Psalm 64 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ହେ ପରମେଶ୍ୱର, ମୋ' କାକୂକ୍ତିର ରବ ଶ୍ରବଣ କର; ଶତ୍ରୁ ଭୟରୁ ମୋ' ଜୀବନ ରକ୍ଷା କର।

2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;

3 ସେମାନେ ଖଡ଼୍‍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି

4 ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍‍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।

5 ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖିବ ?”

6 ସେମାନେ ଅଧର୍ମ କଳ୍ପନା କରନ୍ତି; “ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।

7 ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; ସେଥିରେ ସେମାନେ ହଠାତ୍‍ ଆହତ ହେବେ।

8 ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;

9 ପୁଣି, ସକଳ ମନୁଷ୍ୟ ଭୟ କରିବେ, ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।

10 ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ। ପୁଣି, ସରଳାନ୍ତଃକରଣ ସମସ୍ତେ ଦର୍ପ କରିବେ।