Psalm 143 in Oriya

1 ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ; ମୋ' ନିବେଦନରେ କର୍ଣ୍ଣପାତ କର; ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।

2 ନିଜ ଦାସକୁ ବିଚାରରେ ଆଣ ନାହିଁ; କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।

3 ଶତ୍ରୁ ମୋ' ପ୍ରାଣକୁ ତାଡ଼ନା କରିଅଛି; ସେ ମୋ' ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି; ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇ ଅଛି।

4 ଏହେତୁ ମୋହର ଆତ୍ମା ମୋ' ଅନ୍ତରରେ ଉଦ୍‍ବିଗ୍ନ ହୋଇଅଛି; ମୋ' ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି।

5 ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି; ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି; ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।

6 ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁ ଅଛି; ଶୁଷ୍କ ଭୂମି ତୁଲ୍ୟ ମୋ' ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। ସେଲା

7 ହେ ସଦାପ୍ରଭୁ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି; ମୋ'ଠାରୁ ଆପଣା ମୁଖ ଲୁଚାଅ ନାହିଁ; କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।

8 ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ; କାରଣ ମୁଁ ତୁମ୍ଭଠାରେ ଭରସା ରଖେ; ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ; କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।

9 ହେ ସଦାପ୍ରଭୁ, ମୋ' ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର; ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ।

10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ; କାରଣ ତୁମ୍ଭେ ମୋହର ପରମେଶ୍ୱର; ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ।

11 ହେ ସଦାପ୍ରଭୁ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର; ତୁମ୍ଭ ଧର୍ମରେ ମୋ' ପ୍ରାଣକୁ ସଙ୍କଟରୁ ବାହାର କରି ଆଣ।

12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋ' ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର ଓ ମୋ' ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର; କାରଣ ମୁଁ ତୁମ୍ଭର ଦାସ।