Psalm 132 in Oriya

1 ଆରୋହଣ-ଗୀତ। ହେ ସଦାପ୍ରଭୁ, ଦାଉଦ ପକ୍ଷରେ ତାହାର ସକଳ କ୍ଳେଶ ସ୍ମରଣ କର;

2 ସେ କିପ୍ରକାରେ ସଦାପ୍ରଭୁଙ୍କ ନିକଟରେ ଶପଥ କଲା, ଆଉ ଯାକୁବର ବଳଦାତାଙ୍କ ନିକଟରେ ମାନତ କରି କହିଲା;

3 “ମୁଁ ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିମନ୍ତେ ଏକ ସ୍ଥାନ ଓ ଯାକୁବର ବଳଦାତାଙ୍କ ନିମନ୍ତେ ଏକ ଆବାସ ପ୍ରାପ୍ତ ନ ହୁଏ,

4 ସେପର୍ଯ୍ୟନ୍ତ ମୁଁ ନିଶ୍ଚୟ ଆପଣା ଗୃହ-ତମ୍ବୁରେ ପ୍ରବେଶ କରିବି ନାହିଁ, କିଅବା ଆପଣା ଶଯ୍ୟା ଉପରକୁ ଯିବି ନାହିଁ।

5 ମୁଁ ଆପଣା ଚକ୍ଷୁକୁ ନିଦ୍ରା ଦେବି ନାହିଁ, ଅବା ଆପଣା ଚକ୍ଷୁପତାକୁ ଘୁମାଇବାକୁ ଦେବି ନାହିଁ।”

6 ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ; ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ।

7 ଆମ୍ଭେମାନେ ତାହାଙ୍କ ଆବାସକୁ ଯିବା; ଆମ୍ଭେମାନେ ତାହାଙ୍କ ପାଦପୀଠରେ ପ୍ରଣାମ କରିବା।

8 ହେ ସଦାପ୍ରଭୁ, ଉଠ, ତୁମ୍ଭେ ସ୍ୱପରାକ୍ରମର ସିନ୍ଦୁକ ସହିତ ଆପଣା ବିଶ୍ରାମ-ସ୍ଥାନକୁ ଗମନ କର।

9 ତୁମ୍ଭର ଯାଜକମାନେ ଧର୍ମରୂପ ବସ୍ତ୍ର ପରିହିତ ହେଉନ୍ତୁ; ପୁଣି, ତୁମ୍ଭ ସଦ୍‍ଭକ୍ତମାନେ ଆନନ୍ଦଧ୍ୱନି କରନ୍ତୁ।

10 ତୁମ୍ଭ ଦାସ ଦାଉଦ ସକାଶୁ ଆପଣା ଅଭିଷିକ୍ତଙ୍କ ମୁଖ ଫେରାଇ ଦିଅ ନାହିଁ।

11 ସଦାପ୍ରଭୁ ଦାଉଦ ପ୍ରତି ସତ୍ୟରେ ଶପଥ କରିଅଛନ୍ତି; ସେ ତହିଁରୁ ଫେରିବେ ନାହିଁ। “ଆମ୍ଭେ ତୁମ୍ଭ ତନୁଜାତ ଫଳକୁ ତୁମ୍ଭ ସିଂହାସନରେ ବସାଇବା।

12 ଯଦି ତୁମ୍ଭ ସନ୍ତାନଗଣ ଆମ୍ଭ ନିୟମ ଓ ଆମ୍ଭେ ସେମାନଙ୍କୁ ଯେଉଁ ପ୍ରମାଣ-ବାକ୍ୟ ଶିଖାଇବା, ତାହା ପାଳନ କରିବେ, ତେବେ ସେମାନଙ୍କ ସନ୍ତାନଗଣ ହିଁ ସଦାକାଳ ତୁମ୍ଭ ସିଂହାସନରେ ବସିବେ।”

13 କାରଣ ସଦାପ୍ରଭୁ ସିୟୋନକୁ ମନୋନୀତ କରିଅଛନ୍ତି; ସେ ଆପଣା ନିବାସ ନିମନ୍ତେ ତାହା ବାଞ୍ଛା କରିଅଛନ୍ତି।

14 ଏହା ଚିରକାଳ ଆମ୍ଭର ବିଶ୍ରାମ-ସ୍ଥାନ ଅଟେ; ଏଠାରେ ଆମ୍ଭେ ବାସ କରିବା; କାରଣ ଆମ୍ଭେ ତାହା ବାଞ୍ଛା କରିଅଛୁ।

15 ଆମ୍ଭେ ତାହାର ଭକ୍ଷ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା; ଆମ୍ଭେ ତାହାର ଦରିଦ୍ରଗଣକୁ ଅନ୍ନ ଦେଇ ତୃପ୍ତ କରିବା।

16 ଆମ୍ଭେ ତାହାର ଯାଜକଗଣକୁ ହିଁ ତ୍ରାଣରୂପ ବସ୍ତ୍ର ପିନ୍ଧାଇବା ଓ ତାହାର ସଦ୍‍ଭକ୍ତମାନେ ଆନନ୍ଦରେ ଉଚ୍ଚଧ୍ୱନି କରିବେ।

17 ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା; ଆମ୍ଭେ ଆପଣା ଅଭିଷିକ୍ତଙ୍କ ପାଇଁ ଏକ ପ୍ରଦୀପ ନିରୂପଣ କରିଅଛୁ।

18 ତାହାଙ୍କ ଶତ୍ରୁଗଣକୁ ଆମ୍ଭେ ଲଜ୍ଜାରୂପ ବସ୍ତ୍ର ପିନ୍ଧାଇବା; ମାତ୍ର ତାହାଙ୍କ ନିଜ ଉପରେ ତାହାଙ୍କ ମୁକୁଟ ଶୋଭା ପାଇବ।