Psalm 12 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍‍ ସ୍ୱରରେ ଦାଉଦଙ୍କର ଗୀତ। ସଦାପ୍ରଭୁ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଇଅଛନ୍ତି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ୱସ୍ତ ଲୋକର ହ୍ରାସ ହୋଇଅଛି।

2 ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀମାନଙ୍କୁ ମିଥ୍ୟା କହନ୍ତି। ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ୱିଧାଚିତ୍ତରେ କଥା କହନ୍ତି।

3 ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ୱା ଉଚ୍ଛିନ୍ନ କରିବେ;

4 ସେମାନେ କହନ୍ତି, ଆମ୍ଭେମାନେ ଜିହ୍ୱା ଦ୍ୱାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ ?

5 ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା।

6 ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତ ଥର ପରିଷ୍କୃତ ରୂପା ତୁଲ୍ୟ।

7 ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ।

8 ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି।