Nehemiah 8 in Oriya

1 ପୁଣି, ସମସ୍ତ ଲୋକ ଏକ ଉଦ୍ଦେଶ୍ୟରେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ; ଆଉ, ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା-ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ।

2 ତହିଁରେ ସପ୍ତମ ମାସର ପ୍ରଥମ ଦିନରେ, ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝିପାରନ୍ତି, ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା-ପୁସ୍ତକ ଆଣିଲେ।

3 ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ, ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲେ; ଆଉ, ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା-ପୁସ୍ତକ ପ୍ରତି ନିବିଷ୍ଟ ରହିଲା।

4 ଆଉ, ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠର ମଞ୍ଚ ଉପରେ ଠିଆ ହେଲେ; ଆଉ, ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତ୍ତଥୀୟ, ଶେମା, ଅନାୟ, ଊରୀୟ, ହିଲ୍‍କୀୟ ଓ ମାସେୟ ଠିଆ ହେଲେ; ପୁଣି, ତାହାର ବାମ ପାର୍ଶ୍ଵରେ ପଦାୟ, ମୀଶାୟେଲ୍‍, ମଲକୀୟ, ହଶୁମ୍‍, ହଶ୍‍ବଦ୍ଦାନା, ଜିଖରୀୟ ଓ ମଶୁଲ୍ଲମ୍‍ ଠିଆ ହେଲେ।

5 ଏଉତ୍ତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲେ; କାରଣ ସେ ସମସ୍ତ ଲୋକଙ୍କ ଉର୍ଦ୍ଧ୍ୱରେ ଠିଆ ହୋଇଥିଲେ; ପୁଣି, ସେ ପୁସ୍ତକ ଫିଟାନ୍ତେ, ସମସ୍ତ ଲୋକ ଠିଆ ହେଲେ।

6 ତହୁଁ ଏଜ୍ରା ମହାନ୍ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ପୁଣି, ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ “ଆମେନ୍‍,” “ଆମେନ୍‍” ବୋଲି ଉତ୍ତର କଲେ; ଆଉ, ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ।

7 ଆହୁରି, ଯେଶୂୟ ଓ ବାନି ଓ ଶେରେବୀୟ, ଯାମୀନ୍‍, ଅକ୍‍କବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ, ଅସରୀୟ, ଯୋଷାବଦ୍‍, ହାନନ୍‍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ; ଆଉ, ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ।

8 ପୁଣି, ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇ ଦେଲେ, ତହୁଁ ଲୋକମାନେ ପଠନ ବୁଝିପାରିଲେ।

9 ପୁଣି, ଶାସନକର୍ତ୍ତା ନିହିମିୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜିଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ।

10 ଆଉ, ନିହିମିୟା ସେମାନଙ୍କୁ କହିଲା, “ଆପଣା ଆପଣା ପଥରେ ଯାଅ, ଚିକଣ ଦ୍ରବ୍ୟ ଭୋଜନ କର ଓ ମିଠା ଦ୍ରବ୍ୟ ପାନ କର ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇ ନାହିଁ, ତାହା ନିକଟକୁ କିଛି ଅଂଶ ପଠାଅ; କାରଣ ଆଜିର ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ, ତୁମ୍ଭେମାନେ ଦୁଃଖିତ ନ ହୁଅ; ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ।”

11 ଏହିରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, “ନୀରବ ହୁଅ, ଆଜି ପବିତ୍ର ଦିନ ! ତୁମ୍ଭେମାନେ ଦୁଃଖିତ ନ ହୁଅ।”

12 ଏଉତ୍ତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟସବୁ ବୁଝିବାରୁ ସେମାନେ ସମସ୍ତେ ଭୋଜନପାନ କରିବାକୁ ଓ କିଛି ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ।

13 ପୁଣି, ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଅଧ୍ୟାପକ ଏଜ୍ରା ନିକଟରେ ଏକତ୍ରିତ ହେଲେ।

14 ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖା ଥିବାର ଦେଖିଲେ ଯେ, ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ-ସନ୍ତାନଗଣ ପତ୍ରକୁଟୀରରେ କିପରି ବାସ କରିବେ;

15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୁଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, “ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦି ଶାଖା ଓ ଖର୍ଜ୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।”

16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରୟିମ-ଦ୍ୱାରର ଛକରେ ନିର୍ମାଣ କଲେ।

17 ପୁଣି, ବନ୍ଦୀତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ; ନୂନର ପୁତ୍ର ଯେଶୂୟର ସମୟଠାରୁ ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସେପରି ଆନନ୍ଦ କରି ନ ଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା।

18 ଆହୁରି, ଏଜ୍ରା ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ପରମେଶ୍ୱରଙ୍କ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ପୁଣି, ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ; ଆଉ, ବ୍ୟବସ୍ଥାନୁସାରେ ଅଷ୍ଟମ ଦିନ ମହାସଭା ହେଲା।