Job 6 in Oriya

1 ଏଥିରେ ଆୟୁବ ଉତ୍ତର କରି କହିଲା,

2 “ଆହା, ଯେବେ ମୋହର ଦୁଃଖ ତୌଲା ଯାଇଥା'ନ୍ତା ଓ ମୋହର ଦୁର୍ଗତି ତରାଜୁରେ ଏକତ୍ର ରଖା ଯାଇଥା'ନ୍ତା !

3 ତେବେ ତାହା ଏତେବେଳେ ସମୁଦ୍ର ବାଲିଠାରୁ ଭାରୀ ହୁଅନ୍ତା; ଏଣୁ ମୋହର ବାକ୍ୟ ଅବିବେଚନାଯୁକ୍ତ ହୋଇଅଛି।

4 କାରଣ ସର୍ବଶକ୍ତିମାନଙ୍କ ତୀରସବୁ ମୋର ଅନ୍ତରରେ ଅଛି, ମୋହର ପ୍ରାଣ ତହିଁର ବିଷ ପାନ କରୁଅଛି; ପରମେଶ୍ୱରଙ୍କ ଭୟରୂପ ସୈନ୍ୟ ମୋ' ପ୍ରତିକୂଳରେ ଶ୍ରେଣୀବଦ୍ଧ ହୁଅନ୍ତି।

5 ଘାସ ଥିଲେ କ'ଣ ବନ୍ୟଗର୍ଦ୍ଦଭ ବୋବାଏ ? ଆହାର ପାଖରେ କ'ଣ ଗୋରୁ ହମାଳେ ?

6 ଅସ୍ୱାଦ ଦ୍ରବ୍ୟ କ'ଣ ଲବଣ ବିନା ଭୋଜନ କରାଯାଇପାରେ ? ଅବା ଡିମ୍ବର ଲାଳରେ କି କିଛି ସ୍ୱାଦ ଅଛି ?

7 ମୋହର ପ୍ରାଣ ତାହା ସ୍ପର୍ଶ କରିବାକୁ ଅସମ୍ମତ; ତାହାସବୁ ମୋ' ପ୍ରତି ଘୃଣିତ ଭକ୍ଷ୍ୟ ସ୍ୱରୂପ।

8 ଆହା, ଯେବେ ମୁଁ ଆପଣା ବାଞ୍ଛିତ ବିଷୟ ପ୍ରାପ୍ତ ହୁଅନ୍ତି; ଯାହା ମୁଁ ଅପେକ୍ଷା କରେ, ତାହା ଯେବେ ପରମେଶ୍ୱର ମୋତେ ଦିଅନ୍ତେ।

9 ହଁ, ଯେବେ ପରମେଶ୍ୱର ଅନୁଗ୍ରହ କରି ମୋତେ ଚୂର୍ଣ୍ଣ କରନ୍ତେ; ଯେବେ ସେ ଆପଣା ହସ୍ତ ମୁକୁଳା କରି ମୋତେ ଛେଦନ କରି ପକାନ୍ତେ !

10 ତାହାହେଲେ, ଏବେ ହେଁ ମୁଁ ସାନ୍ତ୍ୱନାପ୍ରାପ୍ତ ହୁଅନ୍ତି; ହଁ, ମୁଁ ନିର୍ଦ୍ଦୟ ଯାତନା ମଧ୍ୟରେ ହେଁ ଅତ୍ୟନ୍ତ ଆନନ୍ଦ କରନ୍ତି; କାରଣ ମୁଁ ଧର୍ମମୟଙ୍କର ବାକ୍ୟସବୁ ଅସ୍ୱୀକାର କରି ନାହିଁ।

11 ମୋହର ବଳ କଅଣ ଯେ, ମୁଁ ଅପେକ୍ଷା କରିବି ? ମୋହର ପରିଣାମ କଅଣ ଯେ, ମୁଁ ସହିଷ୍ଣୁ ହେବି ?

12 ମୋହର ବଳ କ'ଣ ପ୍ରସ୍ତରମାନଙ୍କର ବଳ ? ଅବା ମୋହର ମାଂସ କ'ଣ ପିତ୍ତଳ ?

13 ମୋ' ଦ୍ୱାରା ମୋହର କିଛି ଉପକାର ନାହିଁ ଓ ଫଳଦାୟକ କର୍ମଣ୍ୟତା ମୋ'ଠାରୁ ସମ୍ପୂର୍ଣ୍ଣ ଦୂରୀକୃତ ହୋଇଅଛି, ଏହା କ'ଣ ସତ୍ୟ ନୁହେଁ ?

14 କ୍ଷୀଣ ହେବାକୁ ଉଦ୍ୟତ ଲୋକ ପ୍ରତି, ମଧ୍ୟ ସର୍ବଶକ୍ତିମାନଙ୍କ ଭୟତ୍ୟାଗୀ ଲୋକ ପ୍ରତି ବନ୍ଧୁଠାରୁ ଦୟା ପ୍ରକାଶିତ ହେବା ଉଚିତ।

15 ମୋହର ଭ୍ରାତୃଗଣ ନଦୀ ତୁଲ୍ୟ, ପ୍ରବାହିତ ନଦୀସ୍ରୋତ ତୁଲ୍ୟ ପ୍ରବଞ୍ଚନା କରିଅଛନ୍ତି

16 ତାହାସବୁ ହିମ ସକାଶୁ କୃଷ୍ଣବର୍ଣ୍ଣ ଓ ତହିଁ ମଧ୍ୟରେ ତୁଷାର ଲୀନ ହୁଏ;

17 ନଦୀ ଉତ୍ତପ୍ତ ହେଲେ, ତାହା ଲୁପ୍ତ ହୁଏ; ଗ୍ରୀଷ୍ମ ପାଇଲେ ସ୍ୱସ୍ଥାନରୁ ଅନ୍ତର୍ହିତ ହୁଏ।

18 ପଥିକ ଦଳ ତହିଁ ନିକଟ ଦେଇ ଯାତ୍ରା କରିବା ବେଳେ ପଥ ଛାଡ଼ନ୍ତି; ସେମାନେ ମରୁଭୂମିକି ଯାଇ ବିନଷ୍ଟ ହୁଅନ୍ତି।

19 ତେମାର ପଥିକ ଦଳ ଅନ୍ଵେଷଣ କଲେ, ଶିବାର ଯାତ୍ରୀ ଦଳ ତହିଁ ପାଇଁ ଅପେକ୍ଷା କଲେ।

20 ସେମାନେ ପ୍ରତ୍ୟାଶା କରିଥିବା ସକାଶୁ ଲଜ୍ଜିତ ହେଲେ; ସେମାନେ ସେଠାରେ ଉପସ୍ଥିତ ହୋଇ ଘାବରା ହେଲେ।

21 ଦେଖ, ଏବେ ତୁମ୍ଭେମାନେ କିଛି ନୁହଁ; ତୁମ୍ଭେମାନେ ବିପତ୍ତି ଦେଖି ଭୀତ ହେଉଅଛ।

22 ମୋତେ କିଛି ଦିଅ, ଅବା ତୁମ୍ଭମାନଙ୍କ ସମ୍ପତ୍ତିରୁ ମୋ' ପାଇଁ ଉପହାର ଯାଚ।

23 କିଅବା ବିପକ୍ଷ ହସ୍ତରୁ ମୋତେ ଉଦ୍ଧାର କର, ଅଥବା ଉପଦ୍ରବୀମାନଙ୍କ ହସ୍ତରୁ ମୋତେ ମୁକ୍ତ କର, ଏହା କି ମୁଁ କହିଲି ?

24 ମୋତେ ଶିକ୍ଷା ଦିଅ, ତହିଁରେ ମୁଁ ନୀରବ ହେବି ଓ ମୁଁ କେଉଁ ବିଷୟରେ ଭୁଲିଗଲି, ତାହା ମୋତେ ବୁଝାଇ ଦିଅ।

25 ସରଳ ବାକ୍ୟ କିପରି ପ୍ରବଳ ! ମାତ୍ର ତୁମ୍ଭମାନଙ୍କ ତର୍କ କେଉଁ ଦୋଷ ବ୍ୟକ୍ତ କରେ ?

26 ତୁମ୍ଭେମାନେ କ'ଣ ଶବ୍ଦର ଦୋଷ ଧରିବାକୁ କଳ୍ପନା କରୁଅଛ ? କାରଣ ନିରାଶ ଲୋକର ବାକ୍ୟ ବାୟୁ ତୁଲ୍ୟ।

27 ହଁ, ତୁମ୍ଭେମାନେ ପିତୃହୀନ ପାଇଁ ଗୁଲିବାଣ୍ଟ କରିବ ଓ ଆପଣା ବନ୍ଧୁକୁ ବାଣିଜ୍ୟ ଦ୍ରବ୍ୟ କରିବ।

28 ଏହେତୁ ଏବେ ଅନୁଗ୍ରହ କରି ମୋ' ପ୍ରତି ଦୃଷ୍ଟି କର; କାରଣ ମୁଁ ନିଶ୍ଚୟ ତୁମ୍ଭ ମୁଖ ଆଗରେ ମିଥ୍ୟା କହିବି ନାହିଁ।

29 ମୁଁ ବିନୟ କରୁଅଛି, ଫେର, କୌଣସି ଅନ୍ୟାୟ ନ ହେଉ; ହଁ, ପୁନର୍ବାର ଫେର, ମୋହର ଗୁହାରି ଯଥାର୍ଥ।

30 ମୋ' ଜିହ୍ୱାରେ କ'ଣ ଅନ୍ୟାୟ ଅଛି ? ମୋହର ରସନେନ୍ଦ୍ରିୟ କ'ଣ ଅନିଷ୍ଟ ବିଷୟ ବାରି ନ ପାରେ ?