Job 19 in Oriya

1 ଏଥିରେ ଆୟୁବ ଉତ୍ତର କରି କହିଲା,

2 “ତୁମ୍ଭେମାନେ କେତେ କାଳ ମୋ' ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ ?

3 ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି, ମୋ' ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ।

4 ହେଉ, ମୁଁ ଭ୍ରମ କରିଅଛି, ମୋହର ଭ୍ରମ ମୋ' ସଙ୍ଗେ ଥାଏ।

5 ଯେବେ ତୁମ୍ଭେମାନେ ନିତାନ୍ତ ମୋ' ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ' ବିରୁଦ୍ଧରେ ମୋ' ଗ୍ଳାନିର ପ୍ରତିବାଦ କରିବ;

6 ତେବେ ଜାଣ ଯେ, ପରମେଶ୍ୱର ମୋ' ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି।

7 ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ; ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ।

8 ସେ ମୋ' ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି।

9 ସେ ମୋ' ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋ' ମସ୍ତକରୁ ମୁକୁଟ ନେଇଅଛନ୍ତି।

10 ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି।

11 ମଧ୍ୟ ସେ ମୋ' ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି।

12 ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋ' ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋ' ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି।

13 ସେ ମୋହର ଜ୍ଞାତିମାନଙ୍କୁ ମୋ'ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି।

14 ମୋ' କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି।

15 ମୋ' ଗୃହନିବାସୀମାନେ ଓ ମୋ' ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି; ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି।

16 ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ।

17 ମୋ' ନିଶ୍ୱାସ ମୋ' ଭାର୍ଯ୍ୟା ପ୍ରତି ଓ ମୋ' ନିବେଦନ ମୋ' ସହୋଦର ପ୍ରତି ଘୃଣିତ।

18 ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି; ମୁଁ ଉଠିଲେ, ସେମାନେ ମୋ' ବିରୁଦ୍ଧରେ କଥା କହନ୍ତି।

19 ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି।

20 ମୋ' ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି।

21 ହେ ମୋହର ମିତ୍ରମାନେ, ମୋ' ପ୍ରତି ଦୟା କର, ମୋ' ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି।

22 ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋ' ମାଂସରେ ତୃପ୍ତ ହେଉ ନାହଁ ?

23 ଆହା, ଏବେ ମୋ' କଥାସବୁ ଯେବେ ଲେଖା ଯା'ନ୍ତା ! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା !

24 ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା !

25 ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;

26 ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି;

27 ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି।

28 ମୋ'ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା ?

29 ତେବେ ତୁମ୍ଭେମାନେ ଖଡ଼୍‍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ଼୍‍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।