Isaiah 28 in Oriya

1 ଇଫ୍ରୟିମର ମତ୍ତ ଲୋକମାନଙ୍କର ଓ ଦ୍ରାକ୍ଷାରସରେ ପରାସ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ, ଫଳଶାଳୀ ଉପତ୍ୟକାର ମସ୍ତକରେ ଥିବା ତାହାର ସୁନ୍ଦର ଭୂଷଣ ସ୍ୱରୂପ ମ୍ଳାନପ୍ରାୟ ପୁଷ୍ପ, ସନ୍ତାପର ପାତ୍ର !

2 ଦେଖ ପ୍ରଭୁଙ୍କର ଜଣେ ବଳବାନ ଓ ସାହସିକ ଲୋକ ଅଛି; ସେ ଶିଳାଯୁକ୍ତ ଝଡ଼ର, ପ୍ରଳୟକାରୀ ବତାସର ନ୍ୟାୟ, ଶୀଘ୍ର ଧାବମାନ ପ୍ରବଳ ଜଳର ଝଡ଼ ତୁଲ୍ୟ, ହସ୍ତ ଦ୍ୱାରା ଭୂମିରେ ନିକ୍ଷେପ କରିବ।

3 ଇଫ୍ରୟିମର ମତ୍ତ ଲୋକମାନଙ୍କର ଦର୍ପସୂଚକ ମୁକୁଟ ପଦ ତଳେ ଦଳିତ ହେବ;

4 ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟ ପକ୍ୱ ଡିମ୍ୱିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବା ମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବା ମାତ୍ର ଗ୍ରାସ କରେ।

5 ସେହି ଦିନରେ ସୈନ୍ୟାଧିପତି ସଦାପ୍ରଭୁ ଆପଣା ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ ସୁନ୍ଦର ମୁକୁଟ ଓ ଶୋଭାକର କିରୀଟ ସ୍ୱରୂପ ହେବେ;

6 ପୁଣି, ବିଚାର କରିବା ନିମନ୍ତେ ଉପବିଷ୍ଟ ଲୋକ ପ୍ରତି ବିଚାରଜନକ ଆତ୍ମା ଓ ଯେଉଁମାନେ ନଗର ଦ୍ୱାରରେ ଯୁଦ୍ଧ ଫେରାଇ ଦିଅନ୍ତି, ସେମାନଙ୍କ ପ୍ରତି ବଳ ସ୍ୱରୂପ ହେବେ।

7 ମାତ୍ର ଏମାନେ ହିଁ ଦ୍ରାକ୍ଷାରସରେ ଭ୍ରାନ୍ତ ହୋଇଅଛନ୍ତି ଓ ସୁରାପାନ ଦ୍ୱାରା ବିପଥରେ ଯାଇଅଛନ୍ତି; ଯାଜକ ଓ ଭବିଷ୍ୟଦ୍‍ବକ୍ତା ସୁରାପାନ ଦ୍ୱାରା ଭ୍ରାନ୍ତ ହୋଇଅଛନ୍ତି, ଦ୍ରାକ୍ଷାରସ ସେମାନଙ୍କୁ ଗ୍ରାସ କରିଅଛି, ସୁରାପାନ ଦ୍ୱାରା ସେମାନେ ବିପଥରେ ଯାଇଅଛନ୍ତି; ସେମାନେ ଦର୍ଶନରେ ଭ୍ରାନ୍ତ ହୁଅନ୍ତି, ବିଚାରରେ ଝୁଣ୍ଟି ପଡ଼ନ୍ତି।

8 କାରଣ, ମେଜସବୁ ବାନ୍ତି ଓ ମଳରେ ପରିପୂର୍ଣ୍ଣ, କୌଣସି ପରିଷ୍କୃତ ସ୍ଥାନ ନାହିଁ।

9 ସେ କାହାକୁ ଜ୍ଞାନ ଶିକ୍ଷା ଦେବ ? ସେ କାହାକୁ ସମାଚାର ବୁଝାଇ ଦେବ ? କି ଦୁଗ୍ଧତ୍ୟାଗୀ ଓ ସ୍ତନ୍ୟପାନରୁ ନିବୃତ୍ତ ଶିଶୁମାନଙ୍କୁ ?

10 କାରଣ, ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ।

11 ନା, ମାତ୍ର ସେ ବିଦେଶୀୟ ଓଷ୍ଠାଧର ଓ ପରଭାଷା ଦ୍ୱାରା ଏହି ଲୋକମାନଙ୍କୁ କଥା କହିବେ;

12 ସେ ସେମାନଙ୍କୁ କହିଲେ, “ଏହି ବିଶ୍ରାମ, ତୁମ୍ଭେମାନେ କ୍ଳାନ୍ତ ଲୋକମାନଙ୍କୁ ବିଶ୍ରାମ ଦିଅନ୍ତି, ପୁଣି, ଏହି ତ ଆରାମ,” ମାତ୍ର ସେମାନେ ଶୁଣିବାକୁ ସମ୍ମତ ହେଲେ ନାହିଁ।

13 ଏହେତୁ ସେମାନେ ଯେପରି ଯାଇ ପଶ୍ଚାତ୍‍ ପଡ଼ି ଭଗ୍ନ ହେବେ, ଫାନ୍ଦରେ ପଡ଼ିବେ ଓ ଧୃତ ହେବେ, ଏଥିପାଇଁ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ବିଧି ଉପରେ ବିଧି, ବିଧି ଉପରେ ବିଧି; ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି; ଏଠି ଅଳ୍ପ, ସେଠି ଅଳ୍ପ ହେବ।

14 ଏହେତୁ ହେ ଯିରୂଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;

15 ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁୁ ସଙ୍ଗେ ନିୟମ କରିଅଛୁ ଓ ପାତାଳ ସଙ୍ଗେ ଆମ୍ଭମାନଙ୍କର ସନ୍ଧି ଅଛି; ଏହେତୁ ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତାହା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ; କାରଣ ଆମ୍ଭେମାନେ ମିଥ୍ୟାକୁ ଆପଣାମାନଙ୍କର ଆଶ୍ରୟ କରିଅଛୁ ଓ ଅସତ୍ୟର ତଳେ ଆମ୍ଭେମାନେ ଆପଣାମାନଙ୍କୁ ଲୁଚାଇଅଛୁ,”

16 ଏଥିପାଇଁ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଭିତ୍ତିମୂଳ ନିମନ୍ତେ ସିୟୋନରେ ଏକ ପ୍ରସ୍ତର, ପରୀକ୍ଷାସିଦ୍ଧ ପ୍ରସ୍ତର, ଦୃଢ଼ ଭିତ୍ତିମୂଳ ସ୍ୱରୂପ ବହୁମୂଲ୍ୟ କୋଣପ୍ରସ୍ତର ସ୍ଥାପନ କରୁଅଛୁ; ଯେ ବିଶ୍ୱାସ କରେ, ସେ ଚଞ୍ଚଳ ହେବ ନାହିଁ।

17 ପୁଣି, ଆମ୍ଭେ ନ୍ୟାୟ ବିଚାରକୁ ପରିମାଣ ରଜ୍ଜୁ ଓ ଧାର୍ମିକତାକୁ ଓଳମ କରିବା; ଆଉ, ଶିଳାବୃଷ୍ଟି ମିଥ୍ୟାରୂପ ଆଶ୍ରୟକୁ ବିନାଶ କରିବ ଓ ଜଳରାଶି ଲୁଚିବା ସ୍ଥାନକୁ ମଗ୍ନ କରିବ।

18 ପୁଣି, ମୃତ୍ୟୁୁ ସହିତ ତୁମ୍ଭମାନଙ୍କର କୃତ ନିୟମ ରହିତ କରାଯିବ ଓ ପାତାଳ ସଙ୍ଗେ ତୁମ୍ଭମାନଙ୍କ ସନ୍ଧି ସ୍ଥିର ରହିବ ନାହିଁ; ଜଳପ୍ରଳୟରୂପ କୋରଡ଼ା ଉପସ୍ଥିତ ହେବା ବେଳେ ତୁମ୍ଭେମାନେ ତଦ୍ଦ୍ୱାରା ଦଳିତ ହେବ।

19 ତାହା ଯେତେଥର ଉପସ୍ଥିତ ହେବ, ସେତେଥର ତୁମ୍ଭମାନଙ୍କୁ ଧରିବ; କାରଣ ପ୍ରଭାତକୁ ପ୍ରଭାତ, ଦିବସ ଓ ରାତ୍ରି ତାହା ଉପସ୍ଥିତ ହେବ; ଆଉ, ସେହି ସମାଚାର ବୁଝିବାର କେବଳ ତ୍ରାସଜନକ ହେବ।

20 କାରଣ, ଆପଣାକୁ ଲମ୍ବାଇବା ପାଇଁ ମନୁଷ୍ୟର ଶଯ୍ୟା ସାନ ଓ ଆପଣାକୁ ଘୋଡ଼ାଇବା ପାଇଁ ବସ୍ତ୍ର ଅଣଓସାର।

21 ଯେହେତୁ ସଦାପ୍ରଭୁ, ଯେପରି ପରାସୀମ ପର୍ବତରେ, ସେହିପରି ଉଠିବେ, ଯେପରି ଗିବୀୟୋନର ତଳଭୂମିରେ, ସେହିପରି ସେ କ୍ରୋଧ କରିବେ; ତହିଁରେ ସେ ଆପଣାର କାର୍ଯ୍ୟ, ଆପଣାର ଅଦ୍ଭୁତ କାର୍ଯ୍ୟ ସିଦ୍ଧ କରିବେ ଓ ଆପଣାର ବ୍ୟାପାର ଓ ଆପଣାର ଅଦ୍ଭୁତ ବ୍ୟାପାର ସମ୍ପନ୍ନ କରିବେ।

22 ଏହେତୁ ଏବେ ତୁମ୍ଭେମାନେ ନିନ୍ଦକ ହୁଅ ନାହିଁ, ପଛେ ଅବା ତୁମ୍ଭମାନଙ୍କର ବନ୍ଧନ ଦୃଢ଼ ହୁଏ; କାରଣ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଆମ୍ଭେ ସମୁଦାୟ ପୃଥିବୀ ଉପରେ ଉଚ୍ଛିନ୍ନତାର, ନିରୂପିତ ଉଚ୍ଛିନ୍ନତାର କଥା ଶୁଣିଅଛୁ।

23 ତୁମ୍ଭେମାନେ କର୍ଣ୍ଣ ଦେଇ ଆମ୍ଭର ରବ ଶୁଣ; ମନୋଯୋଗ କରି ଆମ୍ଭର ବାକ୍ୟ ଶ୍ରବଣ କର।

24 କୃଷକ ବୀଜ ବୁଣିବା ପାଇଁ କ'ଣ ନିତ୍ୟ ହଳ ବୁଲାଏ ? ସେ କ'ଣ ନିତ୍ୟ ଶିଆର କରି ଆପଣାର ଭୂମିର ଟେଳା ଭାଙ୍ଗେ ?

25 ସେ କ'ଣ ଭୂମିର ଉପରଭାଗ ସମାନ କଲା ଉତ୍ତାରେ କଳାଜୀରା ବିଞ୍ଚି ଦିଏ ନାହିଁ ଓ ଜୀରା ବୁଣେ ନାହିଁ ଓ ଧାଡ଼ି ଧାଡ଼ି କରି ଗହମ, ନିରୂପିତ ସ୍ଥାନରେ ଯବ ଓ କ୍ଷେତ୍ରର ସୀମାରେ କ'ଣ ଜହ୍ନା ବୁଣେ ନାହିଁ ?

26 କାରଣ, ତାହାର ପରମେଶ୍ୱର ତାହାକୁ ଯଥାର୍ଥ ଉପଦେଶ ଦିଅନ୍ତି ଓ ସେ ତାହାକୁ ଶିଖାନ୍ତି।

27 ଯେହେତୁ କଳାଜୀରା କୌଣସି ତୀକ୍ଷ୍‍ଣ ଅସ୍ତ୍ରରେ ମର୍ଦ୍ଦିତ ହୁଏ ନାହିଁ, କିଅବା ଜୀରା ଉପରେ ଶକଟ ଚକ୍ର ବୁଲାଯାଏ ନାହିଁ; ମାତ୍ର କଳାଜୀରା ଯଷ୍ଟିରେ ଓ ଜୀରା ଦଣ୍ଡରେ ପିଟାଯାଏ।

28 ରୁଟିର ଶସ୍ୟ ଚୂର୍ଣ୍ଣ କରାଯାଏ; କାରଣ ସେ ଚିରକାଳ ତାହା ମର୍ଦ୍ଦନ କରିବ ନାହିଁ; ଆଉ, ଯଦ୍ୟପି ତାହାର ଶକଟ ଚକ୍ର ଓ ତାହାର ଅଶ୍ୱଗଣ ତାହା ଛିନ୍ନଭିନ୍ନ କରି ପକାନ୍ତି, ତଥାପି ସେ ତାହା ଚୂର୍ଣ୍ଣ କରେ ନାହିଁ।

29 ଏହା ହିଁ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ହୁଏ, ସେ ମନ୍ତ୍ରଣାରେ ଆଶ୍ଚର୍ଯ୍ୟ ଓ ଜ୍ଞାନରେ ମହାନ।