Habakkuk 1 in Oriya

1 ହବକ୍‍କୂକ ଭବିଷ୍ୟଦ୍‍ବକ୍ତାଙ୍କର ପ୍ରାପ୍ତ ଦର୍ଶନର ଭାରୋକ୍ତି।

2 ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ ? ମୁଁ ଦୌରାତ୍ମ୍ୟ ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରୁଅଛି ଓ ତୁମ୍ଭେ ଉଦ୍ଧାର କରିବ ନାହିଁ।

3 ତୁମ୍ଭେ କାହିଁକି ମୋତେ ଅଧର୍ମ ଦେଖାଉଅଛ ଓ କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ ? କାରଣ ମୋ' ସମ୍ମୁଖରେ ଧନାପହାର ଓ ଦୌରାତ୍ମ୍ୟ ଥାଏ; ପୁଣି, ବିବାଦ ହୁଏ ଓ ବିରୋଧ ବଢ଼ି ଉଠେ।

4 ଏଥିପାଇଁ ବ୍ୟବସ୍ଥା ନିସ୍ତେଜ ହୋଇଅଛି ଓ ବିଚାର କେବେ ନିଷ୍ପନ୍ନ ହେଉ ନାହିଁ; କାରଣ ଦୁର୍ଜନମାନେ ଧାର୍ମିକକୁ ଘେରନ୍ତି; ଏଥିପାଇଁ ବିଚାର ବିପରୀତ ହୋଇପଡ଼େ।

5 ତୁମ୍ଭେମାନେ ଗୋଷ୍ଠୀଗଣ ମଧ୍ୟରେ ଦେଖି ମନୋଯୋଗ କର ଓ ଅତିଶୟ ଚମତ୍କୃତ ହୁଅ; କାରଣ ତୁମ୍ଭମାନଙ୍କ ସମୟରେ ଆମ୍ଭେ ଏକ କର୍ମ କରୁଅଛୁ, ସେ ବିଷୟ ତୁମ୍ଭମାନଙ୍କୁ କୁହା ଗଲେ ହେଁ ତୁମ୍ଭେମାନେ ତାହା ବିଶ୍ୱାସ କରିବ ନାହିଁ।

6 କାରଣ ଦେଖ, ଯେଉଁ କଲଦୀୟ ଲୋକମାନେ ନିଷ୍ଠୁର ଓ ଚଞ୍ଚଳ ଗୋଷ୍ଠୀ, ସେମାନଙ୍କୁ ଆମ୍ଭେ ଉଠାଉଅଛୁ; ଯେଉଁ ନିବାସ-ସ୍ଥାନସକଳ ସେମାନଙ୍କର ନୁହେଁ, ତାହା ଅଧିକାର କରିବା ପାଇଁ ସେମାନେ ପୃଥିବୀର ବିସ୍ତାରର ସର୍ବତ୍ର ଯାତ୍ରା କରନ୍ତି।

7 ସେମାନେ ତ୍ରାସଜନକ ଓ ଭୟଙ୍କର ଅଟନ୍ତି; ସେମାନଙ୍କର ଶାସନ ଓ ଗୌରବ ସେମାନଙ୍କର ନିଜଠାରୁ ନିର୍ଗତ ହୁଅଇ।

8 ଆହୁରି, ସେମାନଙ୍କର ଅଶ୍ୱଗଣ ଚିତାବାଘଠାରୁ ବେଗଗାମୀ ଓ ସନ୍ଧ୍ୟାକାଳରେ କେନ୍ଦୁଆଗଣଠାରୁ ଦୂରନ୍ତ; ଆଉ, ସେମାନଙ୍କର ଅଶ୍ୱାରୋହୀମାନେ ଆପଣାମାନଙ୍କୁ ବ୍ୟାପ୍ତ କରୁଅଛନ୍ତି; ହଁ, ସେମାନଙ୍କର ଅଶ୍ୱାରୋହୀଗଣ ଦୂରରୁ ଆସୁଅଛନ୍ତି; ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡ଼ୁଅଛନ୍ତି।

9 ସେମାନେ ସମସ୍ତେ ଦୌରାତ୍ମ୍ୟ କରିବା ପାଇଁ ଆସୁଅଛନ୍ତି; ପୂର୍ବୀୟ ବାୟୁ ତୁଲ୍ୟ ସେମାନଙ୍କ ମୁଖ ବ୍ୟଗ୍ର ଭାବରେ ରଖାଯାଇଅଛି ଓ ସେମାନେ ବନ୍ଦୀଗଣକୁ ବାଲୁକାର ନ୍ୟାୟ ଏକତ୍ର କରୁଅଛନ୍ତି।

10 ପୁଣି, ସେ ରାଜାଗଣକୁ ଉପହାସ କରେ ଓ ଅଧିପତିଗଣ ତାହାର ବିଦ୍ରୁପର ପାତ୍ର; ସେ ପ୍ରତ୍ୟେକ ଦୃଢ଼ ଦୁର୍ଗକୁ ତୁଚ୍ଛଜ୍ଞାନ କରେ; କାରଣ ସେ ଧୂଳି ଗଦା କରି ତାହା ହସ୍ତଗତ କରେ।

11 ଏଉତ୍ତାରେ ସେ ବାୟୁ ତୁଲ୍ୟ ବହି ବ୍ୟାପି ଯିବ ଓ ସେ, ଅର୍ଥାତ୍‍, ଯାହାର ଶକ୍ତି ତାହାର ଦେବତା, ସେ ଦଣ୍ଡନୀୟ ହେବ।

12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ ? ଆମ୍ଭେମାନେ ବିନଷ୍ଟ ନୋହିବା। ହେ ସଦାପ୍ରଭୁ, ତୁମ୍ଭେ ଶାସନାର୍ଥେ ତାହାକୁ ନିରୂପଣ କରିଅଛ, ପୁଣି ହେ ଶୈଳସ୍ୱରୂପ, ତୁମ୍ଭେ ଶାସ୍ତି ନିମନ୍ତେ ତାହାକୁ ସ୍ଥାପନ କରିଅଛ।

13 ତୁମ୍ଭେ ତ ଏପରି ନିର୍ମଳ ଚକ୍ଷୁ ଯେ, ମନ୍ଦ ଦେଖି ନ ପାର ଓ ତୁମ୍ଭେ କୁଟିଳାଚରଣ ପ୍ରତି ଦୃଷ୍ଟି କରି ନ ପାର, ତେବେ ଯେଉଁମାନେ ବିଶ୍ୱାସଘାତକତା କରନ୍ତି, ସେମାନଙ୍କ ପ୍ରତି କାହିଁକି ଦୃଷ୍ଟିପାତ କରୁଅଛ ? ଓ ଦୁଷ୍ଟ ଲୋକ ଆପଣା ଅପେକ୍ଷା ଧାର୍ମିକ ଲୋକକୁ ଗ୍ରାସ କଲା ବେଳେ କାହିଁକି ନୀରବ ହୋଇ ରହୁଅଛ ?

14 ଓ ମନୁଷ୍ୟକୁ ସମୁଦ୍ରର ମତ୍ସ୍ୟ ପରି ଓ ଯେଉଁମାନଙ୍କର ଅଧ୍ୟକ୍ଷ କେହି ନାହିଁ, ଏପରି ଉରୋଗାମୀ କୀଟ ପରି କାହିଁକି କରୁଅଛ ?

15 ସେ ସମସ୍ତଙ୍କୁ ବଡ଼ଶୀରେ ଧରି ନିଏ, ସେ ଆପଣା ଜାଲରେ ସେମାନଙ୍କୁ ଧରେ ଓ ଆପଣା ଟଣା ଜାଲରେ ସେମାନଙ୍କୁ ଏକତ୍ର କରେ; ତହିଁ ସକାଶୁ ସେ ଆନନ୍ଦିତ ଓ ଉଲ୍ଲସିତ ହୁଏ।

16 ଏଥିପାଇଁ ସେ ଆପଣା ଜାଲ ଉଦ୍ଦେଶ୍ୟରେ ବଳିଦାନ କରେ ଓ ଆପଣା ଟଣା ଜାଲ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଏ; କାରଣ ତାହା ଦ୍ୱାରା ତାହାର ବାଣ୍ଟ ପୁଷ୍ଟ ହୁଏ ଓ ତାହାର ଖାଦ୍ୟ ଯଥେଷ୍ଟ ହୁଏ।

17 ଏନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ ଓ ଦୟା ନ କରି କି ଗୋଷ୍ଠୀଗଣକୁ ନିରନ୍ତର ବଧ କରୁଥିବ ?