Exodus 27 in Oriya

1 ଆଉ ତୁମ୍ଭେ ଶିଟୀମ୍‍ କାଷ୍ଠରେ ପାଞ୍ଚ ହସ୍ତ ଦୀର୍ଘ ଓ ପାଞ୍ଚ ହସ୍ତ ପ୍ରସ୍ଥର ବେଦି ନିର୍ମାଣ କରିବ, ସେହି ବେଦି ଚତୁଷ୍କୋଣ ହେବ; ତହିଁର ଉଚ୍ଚତା ତିନି ହସ୍ତ ହେବ।

2 ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ କରିବ, ଆଉ ସେହି ଶୃଙ୍ଗ ବେଦିର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ।

3 ଆଉ ତହିଁରୁ ଭସ୍ମ କାଢ଼ି ନେବା ପାଇଁ ଭସ୍ମଧାନୀ କରିବ, ତହିଁର କରଚୁଲି, କୁଣ୍ଡ, ତ୍ରିଶୂଳ ଓ ଅଙ୍ଗାରଧାନୀ କରିବ; ତହିଁର ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କରିବ।

4 ପୁଣି, ପିତ୍ତଳରେ ଏକ ଜାଲି ଝାଞ୍ଜିରୀ କରିବ ଓ ତହିଁ ଉପରେ ଚାରି କୋଣରେ ପିତ୍ତଳର ଚାରି କଡ଼ା ପ୍ରସ୍ତୁତ କରିବ।

5 ଏହି ଝାଞ୍ଜିରୀ ବେଦି-ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରୀ ବେଦିର ମଧ୍ୟ ପର୍ଯ୍ୟନ୍ତ ପାଇବ।

6 ଆଉ ବେଦି ନିମନ୍ତେ ଶିଟୀମ୍‍ କାଷ୍ଠର ସାଙ୍ଗୀ କରିବ ଓ ତାହା ପିତ୍ତଳରେ ମଡ଼ାଇବ।

7 ପୁଣି, ବେଦି ବହିବା ବେଳେ ତହିଁର ଦୁଇ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗୀ ରହିବ।

8 ତୁମ୍ଭେ ଫମ୍ପା ରଖି ପଟାରେ ତାହା କରିବ, ପର୍ବତରେ ତୁମ୍ଭକୁ ଯେରୂପ ପ୍ରଦର୍ଶିତ ହୋଇଥିଲା, ସେରୂପେ ଲୋକମାନେ କରିବେ।

9 ଏଥିଉତ୍ତାରେ ତୁମ୍ଭେ ଆବାସର ପ୍ରାଙ୍ଗଣ କରିବ; ସେହି ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର କ୍ଷୌମସୂତ୍ର ନିର୍ମିତ ପରଦା କରିବ; ତହିଁର ଏକ ପାର୍ଶ୍ୱର ଦୈର୍ଘ୍ୟ ଏକଶତ ହସ୍ତ ହେବ।

10 ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ, ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ।

11 ତଦ୍ରୂପ ଉତ୍ତର ପାର୍ଶ୍ୱରେ ଏକଶତ ହସ୍ତ ଦୀର୍ଘ ପରଦା ହେବ, ତହିଁର କୋଡ଼ିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହେବ; ପୁଣି, ସ୍ତମ୍ଭର ଆଙ୍କୁଡ଼ା ଓ ବନ୍ଧନୀ ରୂପାର ହେବ।

12 ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ନିମନ୍ତେ ପଚାଶ ହସ୍ତ ପରଦା, ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

13 ପୁଣି, ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ଥ ପଚାଶ ହସ୍ତ ହେବ।

14 (ଦ୍ୱାରର) ଏକ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।

15 ଆଉ ଅନ୍ୟ ପାର୍ଶ୍ୱରେ ପନ୍ଦର ହସ୍ତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହେବ।

16 ପୁଣି, ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ, ଧୂମ୍ର, ସିନ୍ଦୂରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମସୂତ୍ରରେ ଶିଳ୍ପକର୍ମ ବିଶିଷ୍ଟ କୋଡ଼ିଏ ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର ଚାରି ସ୍ତମ୍ଭ ଓ ଚାରୀ ଚୁଙ୍ଗୀ ହେବ।

17 ପୁଣି, ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ବନ୍ଧନୀରେ ବନ୍ଦ ହେବ ଓ ତହିଁର ଆଙ୍କୁଡ଼ା ରୂପାର ଓ ଚୁଙ୍ଗୀ ପିତ୍ତଳର ହେବ।

18 ପ୍ରାଙ୍ଗଣ ଏକଶତ ହସ୍ତ ଦୀର୍ଘ ଓ ସର୍ବତ୍ର ପଚାଶ ହସ୍ତ ପ୍ରସ୍ଥ ଓ ପାଞ୍ଚ ହସ୍ତ ଉଚ୍ଚ, ପୁଣି, ସବୁ ବଳା ଶୁଭ୍ର କ୍ଷୌମସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗୀ ହେବ।

19 ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର, କଣ୍ଟା ଓ ପ୍ରାଙ୍ଗଣର ସମସ୍ତ କଣ୍ଟା ପିତ୍ତଳର ହେବ।

20 ଆଉ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଷା ଜୀତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ-ସନ୍ତାନମାନଙ୍କୁ ଆଜ୍ଞା ଦେବ।

21 ଆଉ ସମାଗମ-ତମ୍ବୁରେ ସାକ୍ଷ୍ୟ ସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରୋଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ; ଏହା ଇସ୍ରାଏଲ-ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ।