Exodus 17 in Oriya

1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନିରୂପିତ ସକଳ ଉତ୍ତରଣ-ସ୍ଥାନ ଦେଇ ରଫୀଦୀମରେ ଛାଉଣି ସ୍ଥାପନ କଲେ; ମାତ୍ର ସେ ସ୍ଥାନରେ ଲୋକମାନଙ୍କର ପାନ କରିବାକୁ ଜଳ ନ ଥିଲା।

2 ଏଥିପାଇଁ ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, “ଆମ୍ଭମାନଙ୍କୁ ଜଳ ଦିଅ, ଆମ୍ଭେମାନେ ପାନ କରିବୁ।” ତହିଁରେ ମୋଶା କହିଲେ, “ତୁମ୍ଭେମାନେ ମୋ' ସଙ୍ଗରେ କାହିଁକି ବିବାଦ କର ? କାହିଁକି ସଦାପ୍ରଭୁଙ୍କୁ ପରୀକ୍ଷା କର ?”

3 ସେତେବେଳେ ଲୋକମାନେ ସେହି ସ୍ଥାନରେ ଜଳାଭାବ ହେତୁ ତୃଷାକୂଳ ହୋଇ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, “କାହିଁକି ତୁମ୍ଭେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଓ ପଶୁଗଣକୁ ପିପାସାରେ ମାରିବା ନିମନ୍ତେ ମିସରଠାରୁ ଆଣିଅଛ ?”

4 ତହିଁରେ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ମୁଁ ଏହି ଲୋକମାନଙ୍କ ନିମନ୍ତେ କ'ଣ କରିବି ? ସେମାନେ ମୋତେ ପଥର ପକାଇ ମାରିବାକୁ ପ୍ରାୟ ଉଦ୍ୟତ।”

5 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଯଦ୍ଵାରା ନଦୀକୁ ଆଘାତ କରିଥିଲ, ସେହି ଯଷ୍ଟି ହସ୍ତରେ ଘେନି ଇସ୍ରାଏଲର କେତେକ ପ୍ରାଚୀନଙ୍କ ସଙ୍ଗେ ଇସ୍ରାଏଲ-ଲୋକମାନଙ୍କ ଆଗେ ଆଗେ ଯାଅ।

6 ଦେଖ, ଆମ୍ଭେ ହୋରେବ୍‍ରେ ସେହି ଶୈଳ ଉପରେ ତୁମ୍ଭ ସମ୍ମୁଖରେ ଠିଆ ହେବା; ତୁମ୍ଭେ ସେହି ଶୈଳକୁ ଆଘାତ କଲେ, ତହିଁରୁ ଜଳ ନିର୍ଗତ ହେବ, ଆଉ ଲୋକମାନେ ତାହା ପାନ କରିବେ; ତେବେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗଙ୍କ ଦୃଷ୍ଟିରେ ସେହିରୂପ କଲେ।

7 ପୁଣି, ସେହି ସ୍ଥାନରେ ଇସ୍ରାଏଲ-ସନ୍ତାନଗଣର ବିବାଦ ସକାଶୁ ଓ ସଦାପ୍ରଭୁ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ, ଏହା କହି ସଦାପ୍ରଭୁଙ୍କୁ ପରୀକ୍ଷା କରିବା ସକାଶୁ ସେ ସେହି ସ୍ଥାନର ନାମ ମଃସା ଓ ମିରୀବା ରଖିଲେ।”

8 ସେହି ସମୟରେ ଅମାଲେକ ଆସି ରଫୀଦୀମରେ ଇସ୍ରାଏଲ ସହିତ ଯୁଦ୍ଧ କଲେ।

9 ତହିଁରେ ମୋଶା ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ଲୋକ ମନୋନୀତ କରି ଅମାଲେକ ସହିତ ଯୁଦ୍ଧ କରିବାକୁ ଯାଅ; ଆସନ୍ତାକାଲି ମୁଁ ଆପଣା ହସ୍ତରେ ପରମେଶ୍ୱରଙ୍କ ଯଷ୍ଟିଘେନି ପର୍ବତ ଶୃଙ୍ଗରେ ଠିଆ ହେବି।”

10 ତହୁଁ ମୋଶାଙ୍କ ଆଜ୍ଞାନୁସାରେ ଯିହୋଶୂୟ ଅମାଲେକ ସହିତ ଯୁଦ୍ଧ କଲେ, ପୁଣି, ମୋଶା ଓ ହାରୋଣ, ହୂର ପର୍ବତ ଶୃଙ୍ଗରେ ଆରୋହଣ କଲେ।

11 ପୁଣି, ମୋଶା ଆପଣା ହସ୍ତ ଉର୍ଦ୍ଧ୍ୱକୁ ଟେକିଥିବା ସମୟରେ ଇସ୍ରାଏଲ ଜୟୀ ହେଲେ ଓ ସେ ଆପଣା ହସ୍ତ ନୁଆଁଇଥିବା ସମୟରେ ଅମାଲେକ ଜୟୀ ହେଲେ।

12 ମାତ୍ର ମୋଶାଙ୍କର ହସ୍ତ ଭାରୀ ହେଲା; ଏହେତୁ ସେମାନେ ଖଣ୍ଡିଏ ପ୍ରସ୍ତର ଆଣି ତାହା ତଳେ ରଖନ୍ତେ, ମୋଶା ତହିଁ ଉପରେ ବସିଲେ, ପୁଣି, ହାରୋଣ ଓ ହୂର ଜଣେ ଏପାଖେ ଆଉ ଜଣେ ସେପାଖେ ତାଙ୍କର ହାତ ଟେକି ଧରିଲେ; ତହିଁରେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତାଙ୍କର ହସ୍ତ ସ୍ଥିର ରହିଲା।

13 ଏଣୁ ଯିହୋଶୂୟ ଅମାଲେକକୁ ଓ ତାହାର ଲୋକମାନଙ୍କୁ ଖଡ଼୍‍ଗଧାରରେ ପରାସ୍ତ କଲେ।

14 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି କଥା ସ୍ମରଣାର୍ଥେ ପୁସ୍ତକରେ ଲେଖି ରଖ, ପୁଣି, ଯିହୋଶୂୟର କର୍ଣ୍ଣଗୋଚରରେ ତାହା ପାଠ କର; ଯଥା, ଆମ୍ଭେ ଆକାଶ ତଳରୁ ଅମାଲେକର ସ୍ମରଣ ଲୋପ କରିବା।”

15 ତହିଁରେ ମୋଶା ଗୋଟିଏ ବେଦି ନିର୍ମାଣ କରି ତହିଁର ନାମ ଯିହୋବା-ନିଃଷି ରଖିଲେ।

16 ପୁଣି, ସେ ସଦାପ୍ରଭୁଙ୍କ ଧ୍ୱଜାରେ ହସ୍ତ ଦେଇ କହିଲେ, “ପୁରୁଷାନୁକ୍ରମେ ଅମାଲେକ ସହିତ ସଦାପ୍ରଭୁଙ୍କର ଯୁଦ୍ଧ ହେବ।”