2 Corinthians 11 in Oriya

1 ତୁମ୍ଭେମାନେ ଯଦି ମୋର ଅଳ୍ପ ନିର୍ବୋଧତା ସହ୍ୟ କରନ୍ତ ! ହଁ, ତୁମ୍ଭେମାନେ ତ ମୋ' ପ୍ରତି ସହିଷ୍ଣୁ।

2 କାରଣ ଇଶ୍ବରଙ୍କ ବିଷୟକ ଉଦ୍‍ଯୋଗରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ଉଦ୍‍ଯୋଗୀ, ଯେଣୁ ମୁଁ ତୁମ୍ଭମାନଙ୍କୁ ସତୀ କନ୍ୟା ସଦୃଶ ଏକ ସ୍ୱାମୀଠାରେ, ଅର୍ଥାତ୍‍, ଖ୍ରୀଷ୍ଟଙ୍କଠାରେ, ସମର୍ପଣ କରିବା ନିମନ୍ତେ ବାଗ୍‍ଦାନ କରିଅଛି।

3 କିନ୍ତୁ ସର୍ପ ଆପଣା ଧୂର୍ତ୍ତତାରେ ହବାଙ୍କୁ ଯେପରି ଭୁଲାଇଲା, ସେହିପରି କାଳେ ତୁମ୍ଭମାନଙ୍କ ମନ ଖ୍ରୀଷ୍ଟଙ୍କ ପ୍ରତି ସରଳତା ଓ ପବିତ୍ରତାରୁ ଭ୍ରଷ୍ଟ ହୁଏ, ମୋହର ଏହି ଭୟ ହେଉଅଛି।

4 କାରଣ ଯେଉଁ ଯୀଶୁଙ୍କୁ ଆମ୍ଭେମାନେ ପ୍ରଚାର କଲୁ ନାହିଁ, ଏପରି ଅନ୍ୟ ଯୀଶୁଙ୍କୁ ଯଦି କେହି ଆସି ପ୍ରଚାର କରେ, ବା ଯେଉଁ ଆତ୍ମା ତୁମ୍ଭେମାନେ ପ୍ରାପ୍ତ ହେଲ ନାହିଁ, ଏପରି ଅନ୍ୟ ଏକ ଆତ୍ମା ପ୍ରାପ୍ତ ହୁଅ, ଅବା ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କଲ ନାହିଁ, ଏପରି ଅନ୍ୟ ଏକ ସୁସମାଚାର ପ୍ରାପ୍ତ ହୁଅ, ତାହାହେଲେ ତୁମ୍ଭେମାନେ ତ ବଡ଼ ସହିଷ୍ଣୁ।

5 କାରଣ ସେହି ଶ୍ରେଷ୍ଠତର ପ୍ରେରିତମାନଙ୍କଠାରୁ ମୁଁ ଯେକୌଣସି ପ୍ରକାରେ କ୍ଷୁଦ୍ର ନୁହେଁ, ଏହା ମନେ କରୁଅଛି।

6 କିନ୍ତୁ ଯଦ୍ୟପି ମୁଁ ବକ୍ତୃତାରେ ପାରଙ୍ଗମ ନୁହେଁ, ତଥାପି ମୁଁ ଜ୍ଞାନରେ ଅପାରଙ୍ଗମ ନୁହେଁ ପ୍ରକୃତରେ ଆମ୍ଭେମାନେ ସମସ୍ତପ୍ରକାରେ ସମସ୍ତ ବିଷୟରେ ତୁମ୍ଭମାନଙ୍କ ପ୍ରତି ଏହା ପ୍ରକାଶ କଲୁ।

7 ଅବା ତୁମ୍ଭେମାନେ ଯେପରି ଉନ୍ନତ ହୁଅ, ଏଥି ନିମନ୍ତେ ମୁଁ ଆପଣାକୁ ନମ୍ର କରି ଯେ ବିନାମୂଲ୍ୟରେ ତୁମ୍ଭମାନଙ୍କ ନିକଟରେ ଇଶ୍ବରଙ୍କ ସୁସମାଚାର ପ୍ରଚାର କଲି, ଏଥିରେ କ'ଣ ପାପ କଲି ?

8 ତୁମ୍ଭମାନଙ୍କର ସେବା କରିବା ନିମନ୍ତେ ମୁଁ ଅନ୍ୟାନ୍ୟ ମଣ୍ଡଳୀସମୂହରୁ ବେତନ ଗ୍ରହଣ କରି ସେମାନଙ୍କୁ ଲୁଣ୍ଠନ କଲି,

9 କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଯେତେବେଳେ ଅଭାବଗ୍ରସ୍ତ ହୋଇଥିଲି, ସେତେବେଳେ ମୁଁ କୌଣସି ଲୋକର ଭାର ସ୍ୱରୂପ ହୋଇ ନ ଥିଲିି, କାରଣ ମାକିଦନିଆରୁ ଭାଇମାନେ ଆସି ମୋହର ଅଭାବ ପୂରଣ କରିଥିଲେ, ପୁଣି, କୌଣସି ବିଷୟରେ ତୁମ୍ଭମାନଙ୍କର ଭାର ସ୍ୱରୂପ ନ ହେବାକୁ ଆପଣା ବିଷୟରେ ଜାଗ୍ରତ ହୋଇଥିଲି, ଆଉ ଜାଗ୍ରତ ହୋଇ ରହିବି।

10 ମୋ'ଠାରେ ଥିବା ଖ୍ରୀଷ୍ଟଙ୍କ ସତ୍ୟକୁ ସାକ୍ଷୀ ମାନି ମୁଁ କହୁଅଛି ଯେ, ଆଖାୟାର ଅଞ୍ଚଳସମୂହରେ ମୋହର ଏହି ଦର୍ପ କେହିି ଖଣ୍ଡନ କରିବ ନାହିଁ କାହିଁକି ?

11 ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁ ନ ଥିବାରୁ ? ଈଶ୍ୱର ଜାଣନ୍ତି।

12 କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥି ନିମନ୍ତେ ମୁଁ ଯାହା କରୁଅଛି, ତାହା କରୁଥିବି।

13 କାରଣ ଏହିପରି ଲୋକେ ଭଣ୍ଡ ପ୍ରେରିତ ଓ ଶଠ କାର୍ଯ୍ୟକାରୀ, ସେମାନେ ଖ୍ରୀଷ୍ଟଙ୍କ ପ୍ରେରିତମାନଙ୍କ ବେଶ ଧାରଣ କରନ୍ତି।

14 ଆଉ ଏହା ଆଶ୍ଚର୍ଯ୍ୟ ନୁହେଁ, କାରଣ ଶୟତାନ ନିଜେ ଦୀପ୍ତିମୟ ଦୂତର ବେଶ ଧାରଣ କରେ।

15 ଅତଏବ, ଯଦି ତାହାର ସେବକମାନେ ମଧ୍ୟ ଧାର୍ମିକତାର ସେବକମାନଙ୍କ ବେଶ ଧାରଣ କରନ୍ତି, ତେବେ ତାହା ବଡ଼ ବିଷୟ ନୁହେଁ; ସେମାନଙ୍କ ଶେଷ ଦଶା ସେମାନଙ୍କ କର୍ମ ଅନୁସାରେ ଘଟିବ।

16 ମୁଁ ପୁନର୍ବାର କହୁଅଛି, କେହି ମୋତେ ନିର୍ବୋଧ ମନେ ନ କରୁ; କିନ୍ତୁ ଯଦି ତୁମ୍ଭେମାନେ ସେପରି ମନେ କର, ତେବେ ସୁଦ୍ଧା ମୋତେ ନିର୍ବୋଧ ପରି ଗ୍ରହଣ କର,ଯେପରି ମୁଁ ମଧ୍ୟ ଅଳ୍ପ ଦର୍ପ କରି ପାରେ।

17 ମୁଁ ଯାହା କହୁଅଛି, ତାହା ପ୍ରଭୁଙ୍କ ମତାନୁସାରେ କହୁ ନାହିଁ, ମାତ୍ର ନିର୍ବୋଧ ତୁଲ୍ୟ ଏପରି ଅତ୍ୟନ୍ତ ସାହସରେ ଦର୍ପ କରି କହୁଅଛି।

18 ଅନେକ ସାଂସାରିକ ଭାବରେ ଦର୍ପ କରୁଥିବାରୁ ମୁଁ ମଧ୍ୟ ଦର୍ପ କରିବି।

19 କାରଣ ତୁମ୍ଭେମାନେ ବୁଦ୍ଧିମାନ ଦାସ ବୋଲି ସିନା ଆନନ୍ଦରେ ନିର୍ବୋଧମାନଙ୍କ ପ୍ରତି ସହିଷ୍ଣୁ ହେଉଅଛ।

20 ଯେଣୁ ଯଦି କେହି ତୁମ୍ଭମାନଙ୍କୁ ଦାସ କରି ରଖେ, ତୁମ୍ଭମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଂକାର କରେ ବା ତୁମ୍ଭମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମ୍ଭେମାନେ ତାହା ସହିଥାଅ।

21 ମୁଁ ଲଜ୍ଜା ସହ ସ୍ୱୀକାର କରୁଅଛି ଯେ, ଆମ୍ଭେମାନେ ତ ଦୁର୍ବଳ ହୋଇଅଛୁ। ତଥାପି ଯେକୌଣସି ବିଷୟରେ କେହି ସାହସୀ ଅଟେ (ମୁଁ ନିର୍ବୋଧତାରେ କହୁଅଛି), ମୁଁ ମଧ୍ୟ ସାହସୀ।

22 ସେମାନେ କି ଏବ୍ରୀୟ ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କି ଇସ୍ରାଏଲୀୟ ? ମୁଁ ମଧ୍ୟ ଇସ୍ରାଏଲୀୟ। ସେମାନେ କି ଅବ୍ରହାମଙ୍କ ସନ୍ତାନ ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ।

23 ସେମାନେ କି ଖ୍ରୀଷ୍ଟଙ୍କ ସେବକ ? (ମୁଁ ପାଗଳପରି କହୁଅଛି), ମୁଁ ଅଧିକ ରୂପେ ଖ୍ରୀଷ୍ଟଙ୍କର ସେବକ, ଅଧିକ ପରିଶ୍ରମ କରିବାରେ, ଅଧିକ କାରାବାସ ଭୋଗରେ, ଅପରିମିତ ପ୍ରହାର ସହ୍ୟ କରିବାରେ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ;

24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥର ଅଣଚାଳିଶି ପ୍ରହାର ପାଇଅଛି,

25 ତିନି ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, ତିନି ଥର ଜାହାଜଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି,

26 ଅନେକ ଥର ଯାତ୍ରା କରିବାରେ, ନଦୀର ବିପଦରେ, ଡକାଇତଙ୍କ ବିପଦରେ, ସ୍ୱଜାତିଠାରୁ ବିପଦରେ, ଅଣଯିହୂଦୀମାନଙ୍କଠାରୁ ବିପଦରେ, ନଗରର ବିପଦରେ,ପ୍ରାନ୍ତରର ବିପଦରେ, ସମୁଦ୍ରର ବିପଦରେ,

27 ଭଣ୍ଡ ଭାଇମାନଙ୍କଠାରୁ ବିପଦରେ, ପରିଶ୍ରମ ଓ କଷ୍ଟ ଭୋଗରେ, ଅନେକ ଥର ଉଜାଗରରେ, କ୍ଷୁଧା ଓ ତୃଷ୍ଣାରେ , ଅନେକ ଥର ଉପବାସରେ, ଶୀତ ଓ ଉଲଙ୍ଗତାରେ।

28 ଅବଶିଷ୍ଟ ସମସ୍ତ ବିଷୟ ଛଡ଼ା ଆଉ ଗୋଟିଏ ବିଷୟ ପ୍ରତିଦିନ ମୋ' ଉପରେ ମାଡ଼ିପଡ଼ୁଅଛି, ଅର୍ଥାତ୍‍ ମଣ୍ଡଳୀସମୂହ ନିମନ୍ତେ ଚିନ୍ତା।

29 କେହି ଦୁର୍ବଳ ହେଲେ ମୁଁ କ'ଣ ଦୁର୍ବଳ ନୁହେଁ ? କେହି ବିଘ୍ନ ପାଇଲେ ମୁଁ କ'ଣ ଉତ୍ତପ୍ତ ହୁଏ ନାହିଁ ?

30 ଯଦି ମୋହର ଦର୍ପ କରିବାର ଆବଶ୍ୟକ ହୁଏ, ତେବେ ମୁଁ ମୋହର ଦୁର୍ବଳତା ବିଷୟରେ ଦର୍ପ କରିବି।

31 ମୁଁ ଯେ ମିଥ୍ୟା କହୁ ନାହିଁ, ଏହା ପ୍ରଭୁ ଯୀଶୁଙ୍କ ଈଶ୍ୱର ଓ ପିତା ଜାଣନ୍ତି; ସେ ଯୁଗେ ଯୁଗେ ଧନ୍ୟ।

32 ଦମ୍ମେସକରେ ହାରେତା ରାଜାଙ୍କ ଶାସନକର୍ତ୍ତା ମୋତେ ଧରିବା ନିମନ୍ତେ ଉକ୍ତ ସହରରେ ପ୍ରହରୀମାନଙ୍କୁ ଜଗାଇଥିଲେ,

33 ଆଉ ଟୋକାଇରେ ଗୋଟିଏ ଝରକା ବାଟେ ପାଚେରିଦେଇ ମୋତେ ଓହ୍ଲାଇ ଦିଆଗଲା, ପୁଣି, ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇଲି।