1 Samuel 12 in Oriya

1 ଏଥିଉତ୍ତାରେ ଶାମୁୟେଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ଦେଖ, ତୁମ୍ଭେମାନେ ମୋତେ ଯାହା ଯାହା କହିଲ, ମୁଁ ତୁମ୍ଭମାନଙ୍କର ସେହି ରବ ଶୁଣିଲି ଓ ତୁମ୍ଭମାନଙ୍କ ଉପରେ ଏକ ଜଣକୁ ରାଜା କଲି।

2 ଆଉ ଏବେ ଦେଖ, ରାଜା ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି; ପୁଣି, ମୁଁ ବୃଦ୍ଧ ଓ ପକ୍ୱକେଶ ହୋଇଅଛି; ଆଉ ଦେଖ, ମୋହର ପୁତ୍ରମାନେ ତୁମ୍ଭମାନଙ୍କ ସଙ୍ଗରେ ଅଛନ୍ତି, ପୁଣି, ମୁଁ ଯୌବନାକାଳାବଧି ଆଜି ପର୍ଯ୍ୟନ୍ତ ତୁମ୍ଭମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି।

3 ଦେଖ, ମୁଁ ଏଠାରେ ଅଛି; ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ, ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ; ମୁଁ କାହାର ଗୋରୁ ନେଇଅଛି ? ଅବା ମୁଁ କାହାର ଗଧ ନେଇଅଛି ? ଅବା ମୁଁ କାହାର ଅନ୍ୟାୟ କରିଅଛି ? ମୁଁ କାହା ପ୍ରତି ଉପଦ୍ରବ କରିଅଛି ? କିଅବା ମୁଁ ଆପଣା ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି ? ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି।

4 ତହିଁରେ ସେମାନେ କହିଲେ, ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରି ନାହଁ, କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରି ନାହଁ, କିଅବା ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇ ନାହଁ।

5 ତେଣୁ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ, ଏଥିରେ ଆଜି ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି ଓ ତାହାଙ୍କର ଅଭିଷିକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି; ତହିଁରେ ସେମାନେ କହିଲେ, ସାକ୍ଷୀ ଅଛନ୍ତି।

6 ତହୁଁ ଶାମୁୟେଲ ଲୋକମାନଙ୍କୁ କହିଲେ, ସେହି ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ନିଯୁକ୍ତ କରିଥିଲେ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ।

7 ଏହେତୁ ତୁମ୍ଭେମାନେ ଏହିକ୍ଷଣେ ଛିଡ଼ା ହୁଅ, ତୁମ୍ଭମାନଙ୍କ ପ୍ରତି ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣ ପ୍ରତି ସଦାପ୍ରଭୁଙ୍କର କୃତ ସମସ୍ତ ଧର୍ମକର୍ମ ବିଷୟ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ସହିତ ବିବେଚନା କରିବି।

8 ଯାକୁବ ମିସରକୁ ଆସିଲା ଉତ୍ତାରେ ଯେତେବେଳେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ ପଠାଇଲେ; ତହିଁରେ ସେମାନେ ମିସରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ।

9 ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାସୋରନ୍ତେ, ସେ ହାତ୍‍ସୋରର ସେନାପତି ସୀଷରାର ହସ୍ତରେ ଓ ପଲେଷ୍ଟୀୟମାନଙ୍କ ହସ୍ତରେ ଓ ମୋୟାବର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ।

10 ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍‍ ଦେବଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ପୂଜା କରିଅଛୁ; ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା।

11 ଏଥିଉତ୍ତାରେ ସଦାପ୍ରଭୁ ଯିରୁବ୍ବାଲକୁ ଓ ବଦାନକୁ ଓ ଯିପ୍ତହକୁ ଓ ଶାମୁୟେଲଙ୍କୁ ପଠାଇ ତୁମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ରକ୍ଷା କଲେ, ତହିଁରେ ତୁମ୍ଭେମାନେ ନିର୍ଭୟରେ ବାସ କଲ।

12 ଏଥିଉତ୍ତାରେ ଯେତେବେଳେ ତୁମ୍ଭେମାନେ ଦେଖିଲ ଯେ, ଅମ୍ମୋନ-ସନ୍ତାନଗଣର ରାଜା ନାହଶ୍‍ ତୁମ୍ଭମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କର ରାଜା ଥିଲେ ହେଁ ତୁମ୍ଭେମାନେ ମୋତେ କହିଲ; ନାହିଁ, ମାତ୍ର ଜଣେ ରାଜା ଆମ୍ଭମାନଙ୍କ ଉପରେ ରାଜତ୍ୱ କରିବ।

13 ଏହେତୁ ତୁମ୍ଭେମାନେ ଯାହାକୁ ମନୋନୀତ କଲ ଓ ତୁମ୍ଭେମାନେ ଯାହା ପାଇଁ ପ୍ରାର୍ଥନା କଲ, ତୁମ୍ଭମାନଙ୍କର ସେହି ରାଜାଙ୍କୁ ଏବେ ଦେଖ; ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ।

14 ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି, ତୁମ୍ଭେମାନେ ଓ ମଧ୍ୟ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା, ଉଭୟ ଯେବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନୁବର୍ତ୍ତୀ ହେବ, ତେବେ ଭଲ;

15 ମାତ୍ର ଯେବେ ତୁମ୍ଭେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ, ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା, ସେପରି ତୁମ୍ଭମାନଙ୍କ ପ୍ରତିକୂଳରେ ହେବ।

16 ଏହେତୁ ଏବେ ତୁମ୍ଭେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ସାକ୍ଷାତରେ ଯେଉଁ ମହତ କର୍ମ କରିବେ, ତାହା ଦେଖ।

17 ଆଜି କି ଗହମ କାଟିବା ସମୟ ନୁହେଁ ? ସଦାପ୍ରଭୁ ଯେପରି ମେଘଗର୍ଜନ ଓ ବୃଷ୍ଟି ପଠାଇବେ, ଏଥିପାଇଁ ମୁଁ ତାହାଙ୍କୁ ଡାକିବି; ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ, ତାହା ଯେ ବଡ଼, ଏହା ତୁମ୍ଭେମାନେ ଜାଣିବ ଓ ଦେଖିବ।

18 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କୁ ଡ଼ାକିଲେ, ପୁଣି, ସଦାପ୍ରଭୁ ସେହିଦିନ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ; ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ଶାମୁୟେଲଙ୍କୁ ଅତ୍ୟନ୍ତ ଭୟ କଲେ।

19 ପୁଣି, ସମସ୍ତ ଲୋକ ଶାମୁୟେଲଙ୍କୁ କହିଲେ, ଆମ୍ଭେମାନେ ଯେପରି ନ ମରୁ, ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର; କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ।

20 ଏଥିରେ ଶାମୁୟେଲ ଲୋକମାନଙ୍କୁ କହିଲେ, ଭୟ ନ କର; ତୁମ୍ଭେମାନେ ଏହି ସମସ୍ତ ମନ୍ଦତା କରିଅଛ, ପ୍ରମାଣ; ତଥାପି ସଦାପ୍ରଭୁଙ୍କ ପଶ୍ଚାଦ୍‍ଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର;

21 ପୁଣି, ତୁମ୍ଭେମାନେ ବିପଥଗାମୀ ନ ହୁଅ; ଯଦି ହୁଅ, ତେବେ ତୁମ୍ଭେମାନେ ଅବସ୍ତୁସକଳର ଅନୁଗାମୀ ହେବ; ସେମାନେ ଉପକାର କି ରକ୍ଷା କରିବାକୁ ଅସମର୍ଥ, ଯେହେତୁ ସେମାନେ ଅବସ୍ତୁ।

22 ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ; କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି।

23 ଆହୁରି ମୁଁ ଯେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ; ମାତ୍ର ମୁଁ ତୁମ୍ଭମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି।

24 କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି, ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର; କାରଣ ଦେଖ, ସେ ତୁମ୍ଭମାନଙ୍କ ନିମନ୍ତେ କିପରି ମହତ କର୍ମମାନ କରିଅଛନ୍ତି।

25 ମାତ୍ର ଯେବେ ତୁମ୍ଭେମାନେ ନିତାନ୍ତ ମନ୍ଦ ଆଚରଣ କରିବ, ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ରାଜା ଉଭୟ ବିନଷ୍ଟ ହେବ।