Jeremiah 8 in Oriya
1 ସଦାପ୍ରଭୁ କହନ୍ତି, “ସେହି ସମୟରେ ଲୋକମାନେ ଯିହୁଦାର ରାଜାଗଣର ଅସ୍ଥି ଓ ତାହାର ଅଧିପତିଗଣର ଅସ୍ଥି, ଯାଜକଗଣର ଅସ୍ଥି, ଭବିଷ୍ୟଦ୍ବକ୍ତାଗଣଙ୍କ ଅସ୍ଥି ଓ ଯିରୂଶାଲମ ନିବାସୀଗଣର ଅସ୍ଥି ସେମାନଙ୍କ କବରରୁ ବାହାର କରିବେ।
2 ଆଉ, ସେମାନେ ସୂର୍ଯ୍ୟ, ଚନ୍ଦ୍ର ଓ ଆକାଶମଣ୍ଡଳସ୍ଥ ସୈନ୍ୟଗଣକୁ ଭଲ ପାଇଅଛନ୍ତି ଓ ଯେଉଁମାନଙ୍କର ସେବା କରିଅଛନ୍ତି ଓ ଯେଉଁମାନଙ୍କର ପଶ୍ଚାଦ୍ଗାମୀ ହୋଇଅଛନ୍ତି ଓ ଯେଉଁମାନଙ୍କର ଅନ୍ୱେଷଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସେମାନଙ୍କ ଆଗରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ; ସେହି ଅସ୍ଥିସବୁ ଏକତ୍ରୀକୃତ କିଅବା କବରରେ ପୋତା ହେବ ନାହିଁ; ସେସବୁ ଭୂମିରେ ଖତ ତୁଲ୍ୟ ହେବ।”
3 ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ଏହି ଦୁଷ୍ଟ ବଂଶକୁ ଆମ୍ଭେ ଯେଉଁ ଯେଉଁ ସ୍ଥାନକୁ ତଡ଼ି ଦେଇଅଛୁ, ସେସବୁ ସ୍ଥାନରେ ସେମାନଙ୍କର ଅବଶିଷ୍ଟ ଥିବା ସମସ୍ତଙ୍କ ପ୍ରତି ଜୀବନ ଅପେକ୍ଷା ବରଞ୍ଚ ମୃତ୍ୟୁୁ ବାଞ୍ଛନୀୟ ହେବ।
4 ଆହୁରି, ତୁମ୍ଭେ ସେମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, “ମନୁଷ୍ୟ ପଡ଼ିଲେ, କ'ଣ ଆଉ ଉଠେ ନାହିଁ ? ବିପଥରେ ଗଲେ, କ'ଣ ଆଉ ଫେରେ ନାହିଁ ?”
5 ତେବେ ଯିରୂଶାଲମସ୍ଥ ଏହି ଲୋକମାନେ ଚିରକାଳ ବିପଥଗମନରେ କାହିଁକି ବିପଥଗାମୀ ହୋଇଅଛନ୍ତି ? ସେମାନେ ପ୍ରବଞ୍ଚନା ଦୃଢ଼ ରୂପେ ଧରନ୍ତି, ସେମାନେ ଫେରିବାକୁ ଅସମ୍ମତ।
6 ଆମ୍ଭେ ମନୋଯୋଗ କରି ଶୁଣିଲୁ, ମାତ୍ର ସେମାନେ ଯଥାର୍ଥ କଥା କହିଲେ ନାହିଁ; ହାୟ ହାୟ, ମୁଁ କ'ଣ କରିଅଛି ! ଏହା କହି କେହି ଆପଣା ଦୁଷ୍ଟତା ସକାଶେ ଅନୁତାପ କରେ ନାହିଁ; ଯେପରି ଊର୍ଦ୍ଧ୍ୱଶ୍ୱାସରେ ଅଶ୍ୱ ଯୁଦ୍ଧରେ ଦୌଡ଼େ, ସେପରି ପ୍ରତ୍ୟେକ ଲୋକ ଆପଣା ଆପଣା ପଥରେ ଦୌଡ଼େ।
7 ହଁ, ଆକାଶଗାମିନୀ ଚରଳ ଆପଣାର ନିରୂପିତ ସମୟ ଜାଣେ; ଆଉ, କପୋତ, ତାଳଚୋଞ୍ଚ ଓ ସାରସ ଆପଣା ଆପଣାର ଆସିବାର କାଳ ରକ୍ଷା କରନ୍ତି; ମାତ୍ର ଆମ୍ଭର ଲୋକମାନେ ସଦାପ୍ରଭୁଙ୍କର ନିୟମ ଜାଣନ୍ତି ନାହିଁ।
8 ଆମ୍ଭେମାନେ ଜ୍ଞାନୀ ଓ ସଦାପ୍ରଭୁଙ୍କର ବ୍ୟବସ୍ଥା ଆମ୍ଭମାନଙ୍କଠାରେ ଅଛି, ଏହି କଥା ତୁମ୍ଭେମାନେ କିପରି କହୁଅଛ ? ମାତ୍ର, ଦେଖ, ଅଧ୍ୟାପକମାନଙ୍କର ମିଥ୍ୟା ଲେଖନୀ ମିଥ୍ୟା ଗଢ଼ିଅଛି।
9 ଜ୍ଞାନୀମାନେ ଲଜ୍ଜିତ ହୋଇଅଛନ୍ତି, ସେମାନେ ଘାବରା ଓ ଧରା ହୋଇଅଛନ୍ତି; ଦେଖ, ସେମାନେ ସଦାପ୍ରଭୁଙ୍କର ବାକ୍ୟ ଅଗ୍ରାହ୍ୟ କରିଅଛନ୍ତି; ଆଉ, ସେମାନଙ୍କର ଜ୍ଞାନ କିପ୍ରକାର ?
10 ଏହେତୁ ଆମ୍ଭେ ଅନ୍ୟମାନଙ୍କୁ ସେମାନଙ୍କର ଭାର୍ଯ୍ୟାଗଣ ଓ ଅନ୍ୟ ଅନ୍ୟ ଅଧିକାରୀଙ୍କୁ ସେମାନଙ୍କର କ୍ଷେତ୍ରସବୁ ଦେବା; କାରଣ ସେମାନଙ୍କର କ୍ଷୁଦ୍ର ଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ଲୋଭାସକ୍ତ, ଭବିଷ୍ୟଦ୍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ହିଁ ମିଥ୍ୟାଚରଣ କରନ୍ତି।
11 ପୁଣି, ଶାନ୍ତି ନ ଥିଲେ ହେଁ ସେମାନେ ଶାନ୍ତି, ଶାନ୍ତି ବୋଲି କହି ଆମ୍ଭ ଲୋକମାନଙ୍କ କନ୍ୟାର କ୍ଷତ ଉପରେ ଉପରେ ସୁସ୍ଥ କରନ୍ତି।
12 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କ'ଣ ଲଜ୍ଜିତ ହେଲେ ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, “ସେମାନଙ୍କ ପ୍ରତିଫଳ ପ୍ରାପ୍ତିର ସମୟରେ ସେମାନେ ନିପାତିତ ହେବେ।”
13 ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ନିଃଶେଷ ରୂପେ ସଂହାର କରିବା; ଦ୍ରାକ୍ଷାଲତାରେ ଦ୍ରାକ୍ଷାଫଳ, କିଅବା ଡିମ୍ୱିରି ବୃକ୍ଷରେ ଡିମ୍ୱିରି ଫଳ ରହିବ ନାହିଁ ଓ ପତ୍ର ମ୍ଳାନ ହେବ; ଆଉ, ଆମ୍ଭେ ସେମାନଙ୍କୁ ଯାହା ଦେଇଅଛୁ, ସେସବୁ ସେମାନଙ୍କଠାରୁ ଛାଡ଼ିଯିବ।”
14 ଆମ୍ଭେମାନେ କାହିଁକି ତୁନି ହୋଇ ବସୁଅଛୁ ? ଏକତ୍ରିତ ହୁଅ,ଆସ, ଆମ୍ଭେମାନେ ପ୍ରାଚୀରବେଷ୍ଟିତ ନଗରମାନରେ ପ୍ରବେଶ କରୁ ଓ ସେଠାରେ ନୀରବ ହେଉ; କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ ବୋଲି ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଅଛନ୍ତି ଓ ବିଷବୃକ୍ଷର ରସ ପାନ କରିବାକୁ ଦେଇଅଛନ୍ତି।
15 ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !
16 ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସା ଶବ୍ଦ ଶୁଣା ଯାଉଅଛି; ତାହାର ବଳିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପୁଅଛି; କାରଣ ସେମାନେ ଆସିଅଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି;
17 “ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ,” ଏହା ସଦାପ୍ରଭୁ କହନ୍ତି।
18 ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରି ପାରନ୍ତି ! ମୋର ମଧ୍ୟରେ ମୋ' ହୃଦୟ ମୂର୍ଚ୍ଛିତ।
19 ଦେଖ, ଅତି ଦୂର ଦେଶରୁ ମୋ' ଲୋକଙ୍କ କନ୍ୟାର ଆର୍ତ୍ତନାଦ; ସଦାପ୍ରଭୁ କ'ଣ ସିୟୋନରେ ନାହାନ୍ତି ? ତହିଁର ରାଜା କ'ଣ ତହିଁ ମଧ୍ୟରେ ନାହାନ୍ତି ? ସେମାନେ ଆପଣାମାନଙ୍କର ଖୋଦିତ ପ୍ରତିମା ଓ ବିଦେଶୀୟ ଅସାର ବସ୍ତୁ ସମୂହ ଦ୍ୱାରା କାହିଁକି ଆମ୍ଭଙ୍କୁ ବିରକ୍ତ କରିଅଛନ୍ତି ?
20 ଶସ୍ୟସଂଗ୍ରହର ସମୟ ଗତ ହେଲା, ଗ୍ରୀଷ୍ମକାଳ ଶେଷ ହେଲା, ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହୋଇ ନାହିଁ।
21 ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।
22 ଗିଲୀୟଦରେ କ'ଣ ଔଷଧ ନାହିଁ ? ସେଠାରେ କ'ଣ ବୈଦ୍ୟ ନାହାନ୍ତି ? ତେବେ ମୋ' ଲୋକମାନଙ୍କ କନ୍ୟା କାହିଁକି ପୁନଃ ସ୍ୱାସ୍ଥ୍ୟଲାଭ କରୁ ନାହିଁ ?