Jeremiah 9 in Oriya

1 ଆଃ, ଯେବେ ମୋହର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝର ସ୍ୱରୂପ ହୁଅନ୍ତା, ତେବେ ମୁଁ ଆପଣା ଲୋକମାନଙ୍କ କନ୍ୟାର ହତ ଲୋକମାନଙ୍କ ନିମନ୍ତେ ଦିବାରାତ୍ର କ୍ରନ୍ଦନ କରି ପାରନ୍ତି !

2 ଆଃ, ପଥିକମାନଙ୍କର ବସା ପରି ଯଦି ପ୍ରାନ୍ତରରେ ମୋର ଗୋଟିଏ ବସା ଥା'ନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି ! କାରଣ ସେମାନେ ସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ।

3 ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି; ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ; କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି, “ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ,” ଏହା ସଦାପ୍ରଭୁ କହନ୍ତି।

4 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀ ବିଷୟରେ ସାବଧାନ ହୁଅ ଓ କୌଣସି ଭ୍ରାତାଠାରେ ବିଶ୍ୱାସ କର ନାହିଁ; କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ ଓ ପ୍ରତ୍ୟେକ ପ୍ରତିବାସୀ ନିନ୍ଦା ଘେନି ବୁଲିବ।

5 ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ; ସେମାନେ ଆପଣା ଆପଣା ଜିହ୍ୱାକୁ ମିଥ୍ୟା କହିବା ପାଇଁ ଶିଖାଇ ଅଛନ୍ତି; ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି।

6 ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତି ସ୍ଥାନ ଅଛି; ସଦାପ୍ରଭୁ କହନ୍ତି, “ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”

7 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ ତରଳାଇବା ଓ ସେମାନଙ୍କୁ ପରୀକ୍ଷା କରିବା; କାରଣ ଆମ୍ଭ ଲୋକଙ୍କର କନ୍ୟା ହେତୁରୁ ଏହା ଛଡ଼ା ଆଉ କଅଣ କରିବା ?

8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ତୀର ସ୍ୱରୂପ; ତାହା ପ୍ରବଞ୍ଚନାର କଥା କହେ; ଲୋକେ ମୁଖରେ ପ୍ରତିବାସୀ ସଙ୍ଗେ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରେ ଛକି ବସନ୍ତି।”

9 ସଦାପ୍ରଭୁ କହନ୍ତି, “ଆମ୍ଭେ କ'ଣ ସେମାନଙ୍କୁ ଏହିସବୁର ପ୍ରତିଫଳ ଦେବା ନାହିଁ ? ଏହି ପ୍ରକାର ଗୋଷ୍ଠୀଠାରୁ ଆମ୍ଭର ପ୍ରାଣ କ'ଣ ପରିଶୋଧ ନେବ ନାହିଁ ?”

10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟ ଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି।

11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପି ଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା।

12 ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି ? ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ ? ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ, କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ ?

13 ଆହୁରି, ସଦାପ୍ରଭୁ କହନ୍ତି, “କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି;

14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍‍ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି।”

15 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ସେମାନଙ୍କୁ, ଅର୍ଥାତ୍‍, ଏହି ଲୋକମାନଙ୍କୁ ତିକ୍ତ ଫଳ ଭୋଜନ କରାଇବା ଓ ବିଷବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା।

16 ଆହୁରି, ଯେଉଁମାନଙ୍କୁ ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷମାନେ ଜାଣି ନାହାନ୍ତି, ଏପରି ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା; ପୁଣି, ଆମ୍ଭେ ଯେପର୍ଯ୍ୟନ୍ତ ସେମାନଙ୍କୁ ସଂହାର ନ କରୁ, ସେପର୍ଯ୍ୟନ୍ତ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ୍ଗ ପଠାଇବା।”

17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକ ଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;

18 ଆମ୍ଭମାନଙ୍କର ଚକ୍ଷୁ ଯେପରି ଲୋତକରେ ଭାସିଯିବ ଓ ଆମ୍ଭମାନଙ୍କ ଚକ୍ଷୁପତାରୁ ଜଳଧାରା ନିର୍ଗତ ହେବ, ଏଥିପାଇଁ ସେମାନେ ଶୀଘ୍ର ଆସି ଆମ୍ଭମାନଙ୍କ ନିମନ୍ତେ ହାହାକାର କରନ୍ତୁ।”

19 କାରଣ ସିୟୋନଠାରୁ ଏହି ହାହାକାର ଶବ୍ଦ ଶୁଣା ଯାଉଅଛି, ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ ! ଲୋକମାନେ ଆମ୍ଭମାନଙ୍କର ବାସସ୍ଥାନ ଭୂମିସାତ୍‍ କରିବାରୁ ଆମ୍ଭେମାନେ ଦେଶ ତ୍ୟାଗ କରି ଅତିଶୟ ଲଜ୍ଜିତ ହୋଇଅଛୁ।

20 ତଥାପି ଆଗୋ ସ୍ତ୍ରୀମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ତୁମ୍ଭମାନଙ୍କର କର୍ଣ୍ଣ ତାହାଙ୍କର ମୁଖ ନିର୍ଗତ ବାକ୍ୟ ଗ୍ରହଣ କରୁ, ଆଉ ତୁମ୍ଭେମାନେ ଆପଣା ଆପଣା କନ୍ୟାମାନଙ୍କୁ ହାହାକାର କରିବାର ଓ ପ୍ରତ୍ୟେକେ ଆପଣା ପ୍ରତିବାସିନୀକୁ ବିଳାପ କରିବାର ଶିକ୍ଷା ଦିଅ।

21 କାରଣ ମୃତ୍ୟୁୁ ଆମ୍ଭମାନଙ୍କର ଝରକା ଦେଇ ଆସି ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି; ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ।

22 କୁହ, ସଦାପ୍ରଭୁ ଏହି କଥା କହନ୍ତି, “ମନୁଷ୍ୟମାନଙ୍କର ଶବ ଖତ ପରି ଓ ଶସ୍ୟଚ୍ଛେଦକର ପଶ୍ଚାତ୍‍ ପଡ଼ିଥିବା ଅଳ୍ପ ଅଳ୍ପ ଶସ୍ୟ ପରି କ୍ଷେତ୍ରରେ ପଡ଼ି ରହିବ, କେହି ସେସବୁକୁ ସଂଗ୍ରହ କରିବେ ନାହିଁ।”

23 ସଦାପ୍ରଭୁ ଏହି କଥା କହନ୍ତି, “ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ;

24 ମାତ୍ର ଯେବେ କେହି ଦର୍ପ କରେ, ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ; ଆମ୍ଭେ ସଦାପ୍ରଭୁ, ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ, କାରଣ ସଦାପ୍ରଭୁ କହନ୍ତି, ଏସବୁରେ ଆମ୍ଭର ସନ୍ତୋଷ ଥାଏ।”

25 ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି;

26 ଆମ୍ଭେ ମିସରକୁ ଓ ଯିହୁଦାକୁ, ଇଦୋମକୁ, ଅମ୍ମୋନ ସନ୍ତାନଗଣକୁ ଓ ମୋୟାବକୁ, ଆପଣା ଆପଣା କେଶ କୋଣ ମୁଣ୍ଡନକାରୀ ପ୍ରାନ୍ତରବାସୀ ସମସ୍ତଙ୍କୁ ଦଣ୍ଡ ଦେବା; କାରଣ ସକଳ ଗୋଷ୍ଠୀ ଅସୁନ୍ନତ, ପୁଣି ସମଗ୍ର ଇସ୍ରାଏଲ ବଂଶ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି।”