Zephaniah 1 in Oriya

1 ଆମୋନଙ୍କ ପୁତ୍ର ଯିହୁଦାର ରାଜା ଯୋଶୀୟର ଅଧିକାର ସମୟରେ, ହିଜକୀୟଙ୍କ ବୃଦ୍ଧ ପ୍ରପୌତ୍ର, ଅମରୀୟଙ୍କ ପ୍ରପୌତ୍ର, ଗଦଲୀୟଙ୍କ ପୌତ୍ର, କୂଶିଙ୍କ ପୁତ୍ର ସିଫନୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।

2 ସଦାପ୍ରଭୁ କହନ୍ତି, ଆମ୍ଭେ ଭୂମିରୁ ସମଗ୍ର ବସ୍ତୁ ନିଃଶେଷ ରୂପେ ସଂହାର କରିବା,

3 ଆମ୍ଭେ ମନୁଷ୍ୟ ଓ ପଶୁଗଣକୁ ସଂହାର କରିବା; ଆମ୍ଭେ ଆକାଶର ପକ୍ଷୀଗଣକୁ, ସମୁଦ୍ରର ମତ୍ସ୍ୟଗଣକୁ ଓ ଦୁଷ୍ଟଗଣ ସହିତ ବିଘ୍ନସକଳ ସଂହାର କରିବା; ଆଉ, ଆମ୍ଭେ ଭୂମିରୁ ମନୁଷ୍ୟକୁ ଉଚ୍ଛିନ୍ନ କରିବା, ଏହା ସଦାପ୍ରଭୁ କହନ୍ତି।

4 ପୁଣି, ଆମ୍ଭେ ଯିହୁଦାର ବିରୁଦ୍ଧରେ ଓ ଯିରୂଶାଲମର ନିବସୀସକଳର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା; ଆମ୍ଭେ ଏହି ସ୍ଥାନରୁ ବାଲ୍‍ର ଅବଶିଷ୍ଟାଂଶକୁ ଓ ଯାଜକଗଣ ସହିତ ପୁରୋହିତମାନଙ୍କର ନାମ;

5 ଆଉ, ଯେଉଁମାନେ ଛାତ ଉପରେ ଆକାଶର ବାହିନୀକୁ ପ୍ରଣାମ କରନ୍ତି ଓ ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ଶପଥ କରନ୍ତି ଓ ମାଲ୍‍କମ୍‍ ନାମରେ ଶପଥ କରି ପ୍ରଣାମ କରନ୍ତି;

6 ଆଉ, ଯେଉଁମାନେ ସଦାପ୍ରଭୁଙ୍କ ପଶ୍ଚାତ୍‍ଗମନରୁ ବିମୁଖ ହୋଇଅଛନ୍ତି; ପୁଣି, ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରି ନାହାନ୍ତି, କିଅବା ତାହାଙ୍କର ଅନୁସନ୍ଧାନ କରି ନାହାନ୍ତି, ସେସମସ୍ତଙ୍କୁ ଆମ୍ଭେ ଉଚ୍ଛିନ୍ନ କରିବା।

7 ତୁମ୍ଭେ ପ୍ରଭୁ ସଦାପ୍ରଭୁଙ୍କ ଛାମୁରେ ନୀରବ ହୁଅ; କାରଣ ସଦାପ୍ରଭୁଙ୍କର ଦିନ ସନ୍ନିକଟ; କାରଣ ସଦାପ୍ରଭୁ ଏକ ଯଜ୍ଞର ଆୟୋଜନ କରିଅଛନ୍ତି, ସେ ଆପଣା ନିମନ୍ତ୍ରିତଗଣକୁ ପବିତ୍ର କରିଅଛନ୍ତି।

8 ପୁଣି, ସଦାପ୍ରଭୁଙ୍କର ସେହି ଯଜ୍ଞ ଦିନ ଆମ୍ଭେ ଅଧିପତିଗଣକୁ ଓ ରାଜପୁତ୍ରଗଣକୁ ଓ ବିଦେଶୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ସମସ୍ତଙ୍କୁ ଦଣ୍ଡ ଦେବା।

9 ଆଉ, ଯେଉଁମାନେ ଚୌକାଠ ଡେଇଁ କରି ଯା'ନ୍ତି, ଯେଉଁମାନେ ଆପଣାମାନଙ୍କ କର୍ତ୍ତାର ଗୃହ ଦୌରାତ୍ମ୍ୟରେ ଓ ପ୍ରବଞ୍ଚନାରେ ପରିପୂର୍ଣ୍ଣ କରନ୍ତି, ସେସମସ୍ତଙ୍କୁ ଆମ୍ଭେ ସେହି ଦିନ ଦଣ୍ଡ ଦେବା।

10 ପୁଣି, ସଦାପ୍ରଭୁ କହନ୍ତି, ସେହି ଦିନ ମତ୍ସ୍ୟଦ୍ୱାରଠାରୁ କ୍ରନ୍ଦନର ଶବ୍ଦ ଓ (ନଗରର) ଦ୍ୱିତୀୟ ବିଭାଗଠାରୁ ହାହାକାର ଶବ୍ଦ ଓ ଉପପର୍ବତଗଣରୁ ମହାଭଙ୍ଗର ଶବ୍ଦ ଶୁଣାଯିବ।

11 ହେ ମକ୍ତେଶ ନିବାସୀଗଣ, ତୁମ୍ଭେମାନେ ହାହାକାର କର, କାରଣ କିଣାନର ଲୋକ ସମସ୍ତେ ବିନଷ୍ଟ ହୋଇଅଛନ୍ତି ଓ ରୌପ୍ୟ ବାହକ ସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି।

12 ପୁଣି, ସେହି ସମୟରେ ଆମ୍ଭେ ପ୍ରଦୀପ ଜ୍ୱଳାଇ ଯିରୂଶାଲମର ଅନ୍ଵେଷଣ କରିବା; ଆଉ, ଯେଉଁମାନେ ଆପଣା ଆପଣା ମଳ ଉପରେ ସୁସ୍ଥିର ହୋଇ ବସିଅଛନ୍ତି ଓ ମନେ ମନେ କହନ୍ତି, ସଦାପ୍ରଭୁ ମଙ୍ଗଳ କରିବେ ନାହିଁ କିଅବା ଅମଙ୍ଗଳ କରିବେ ନାହିଁ, ସେମାନଙ୍କୁ ଆମ୍ଭେ ଦଣ୍ଡ ଦେବା।

13 ପୁଣି, ସେମାନଙ୍କର ସମ୍ପତ୍ତି ଲୁଟିତ ହେବ ଓ ସେମାନଙ୍କର ଗୃହ ଧ୍ୱଂସସ୍ଥାନ ହେବ; ଆହୁରି ସେମାନେ ଗୃହ ନିର୍ମାଣ କରିବେ, ମାତ୍ର ତହିଁରେ ବାସ କରିବେ ନାହିଁ; ଆଉ, ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବେ, ମାତ୍ର ତହିଁରୁ ଦ୍ରାକ୍ଷାରସ ପାନ କରିବେ ନାହିଁ।

14 ସଦାପ୍ରଭୁଙ୍କର ମହାଦିନ ନିକଟବର୍ତ୍ତୀ, ତାହା ଅର୍ଥାତ୍‍, ସଦାପ୍ରଭୁଙ୍କର ଦିନର ଶବ୍ଦ ନିକଟବର୍ତ୍ତୀ ଓ ଅତି ଶୀଘ୍ର ଆସୁଅଛି; ବୀର ପୁରୁଷ ସେହି ସ୍ଥାନରେ ଅତିଶୟ ରୋଦନ କରୁଅଛି।

15 ସେହି ଦିନ କ୍ରୋଧର ଦିନ, ସଙ୍କଟ ଓ କ୍ଳେଶର ଦିନ, ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ, ମେଘ ଓ ନିବିଡ଼ ଅନ୍ଧକାରର ଦିନ,

16 ତୂରୀଧ୍ୱନି ଓ ଭୟାନକ ନାଦର ଦିନ, ତାହା ପ୍ରାଚୀରବେଷ୍ଟିତ ନଗର ଓ ଉଚ୍ଚ ଚୂଡ଼ାସକଳର ବିପକ୍ଷରେ ଉପସ୍ଥିତ ହେବ।

17 ପୁଣି, ଆମ୍ଭେ ମନୁଷ୍ୟମାନଙ୍କ ଉପରେ ଦୁଃଖ ଘଟାଇବା, ତହିଁରେ ସେମାନେ ଅନ୍ଧ ଲୋକ ପରି ବୁଲିବେ, କାରଣ ସେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛନ୍ତି; ଆଉ, ସେମାନଙ୍କର ରକ୍ତ ଧୂଳି ପରି ଓ ସେମାନଙ୍କର ମାଂସ ମଳ ପରି ଢଳା ଯିବ।

18 ପୁଣି, ସଦାପ୍ରଭୁଙ୍କ କ୍ରୋଧର ଦିନରେ ସେମାନଙ୍କର ରୂପା କିଅବା ସେମାନଙ୍କର ସୁନା ସେମାନଙ୍କୁ ଉଦ୍ଧାର କରି ପାରିବ ନାହିଁ; ମାତ୍ର ତାହାଙ୍କର ଅନ୍ତର୍ଜ୍ୱାଳାରୂପ ଅଗ୍ନିରେ ସମୁଦାୟ ଦେଶ ଗ୍ରାସିତ ହେବ; କାରଣ ସେ ଦେଶନିବାସୀ ସମସ୍ତଙ୍କୁ ନିଃଶେଷ କରିବେ, ହଁ, ଭୟାନକ ରୂପେ ନିଃଶେଷ କରିବେ।