Song of Solomon 7 in Oriya

1 ହେ ରାଜକନ୍ୟେ, ପାଦୁକାରେ ତୁମ୍ଭ ଚରଣ କିପରି ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।

2 ତୁମ୍ଭର ନାଭିଦେଶ ମିଶ୍ରିତ ଦ୍ରାକ୍ଷାରସ ଅଭାବ ନ ଥିବା ବର୍ତ୍ତୁଳ ତାଟିଆ ତୁଲ୍ୟ; ତୁମ୍ଭର ଉଦର କଇଁ ଫୁଲ-ମଣ୍ଡିତ ଗହମରାଶି ତୁଲ୍ୟ।

3 ତୁମ୍ଭର ସ୍ତନଯୁଗଳ ହରିଣୀର ଯାଆଁଳା ଛୁଆ ତୁଲ୍ୟ।

4 ତୁମ୍ଭର ଗଳଦେଶ ଗଜଦନ୍ତମୟ ଦୁର୍ଗ ସଦୃଶ; ତୁମ୍ଭ ନେତ୍ରଯୁଗଳ ବେଥ୍‍-ରବ୍ବୀମ ନଗରଦ୍ୱାର ନିକଟସ୍ଥ ହିଶ୍‍ବୋନ୍‍ ସରୋବର ସଦୃଶ; ତୁମ୍ଭ ନାସିକା ଦମ୍ମେଶକ ସମ୍ମୁଖସ୍ଥ ଲିବାନୋନର ଦୁର୍ଗ ତୁଲ୍ୟ।

5 ତୁମ୍ଭ ମସ୍ତକ କର୍ମିଲ ପର୍ବତ ତୁଲ୍ୟ, ପୁଣି ତୁମ୍ଭ ମସ୍ତକର କେଶ ବାଇଗଣିଆ ରଙ୍ଗ ତୁଲ୍ୟ; ତହିଁର ବେଣୀ-ପାଶରେ ରାଜା ବନ୍ଦୀ ରୂପେ ଧୃତ ଅଟନ୍ତି।

6 ହେ ପ୍ରିୟେ, ତୁଷ୍ଟି ଜନ୍ମାଇବା ନିମନ୍ତେ ତୁମ୍ଭେ କିପରି ସୁନ୍ଦରୀ ଓ ମନୋହାରିଣୀ !

7 ତୁମ୍ଭ ଶରୀରର ଦୀର୍ଘତା ଖର୍ଜୂର ବୃକ୍ଷ ତୁଲ୍ୟ ଓ ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ।

8 ମୁଁ କହିଲି, ମୁଁ ଖର୍ଜୂର ବୃକ୍ଷ ଆରୋହଣ କରିବି, ମୁଁ ତହିଁର ବାହୁଙ୍ଗା ଧରିବି : ତୁମ୍ଭ ସ୍ତନ ଦ୍ରାକ୍ଷାଫଳର ପେଣ୍ଡା ତୁଲ୍ୟ ହେଉ ; ପୁଣି, ତୁମ୍ଭ ନିଶ୍ୱାସର ଆଘ୍ରାଣ ନାଗରଙ୍ଗ ଫଳର ବାସନା ତୁଲ୍ୟ ହେଉ ;

9 ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ, ତାହା ମୋ' ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ନିଦ୍ରିତ ଲୋକମାନଙ୍କ ଓଷ୍ଠାଧରରେ ଧୀରେ ଧୀରେ ଚାଲିଯାଏ।

10 ମୁଁ ଆପଣା ପ୍ରିୟତମଙ୍କର ଓ ତାଙ୍କର ବାସନା ମୋ' ପ୍ରତି ଅଛି।

11 ଆସ, ମୋ' ପ୍ରିୟତମ, ଆମ୍ଭେମାନେ କ୍ଷେତ୍ରକୁ ଯାଉ; ଆମ୍ଭେମାନେ ପଲ୍ଲୀଗ୍ରାମରେ କାଳକ୍ଷେପଣ କରୁ।

12 ଆମ୍ଭେମାନେ ଅତି ପ୍ରଭାତରେ ଦ୍ରାକ୍ଷାକ୍ଷେତ୍ରକୁ ଯାଉ; ଦ୍ରାକ୍ଷାଲତା ପଲ୍ଲବିତ ଓ ତହିଁର ପୁଷ୍ପ ପ୍ରସ୍ପୁଟିତ ଓ ଡାଳିମ୍ବ ପୁଷ୍ପିତ ହୋଇଅଛି କି ନାହିଁ, ତାହା ଦେଖୁ; ସେଠାରେ ମୁଁ ତୁମ୍ଭକୁ ଆପଣା ପ୍ରେମ ପ୍ରଦାନ କରିବି।

13 ଦୂଦା ଫୁଲ ସୁବାସ ଦେଉଅଛି, ଆମ୍ଭମାନଙ୍କ ଦ୍ୱାର ନିକଟରେ ସର୍ବପ୍ରକାର ବହୁମୂଲ୍ୟ ନୂତନ ଓ ପୁରାତନ ଫଳ ଅଛି, ପ୍ରିୟତମଙ୍କ ପ୍ରତି ବ୍ୟାକୁଳତା ହେ ମୋହର ପ୍ରିୟତମ, ତାହାସବୁ ମୁଁ ତୁମ୍ଭ ପାଇଁ ରଖିଅଛି।