Song of Solomon 6 in Oriya

1 ହେ ନାରୀଗଣ ମଧ୍ୟରେ ପରମ ସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି ? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁଆଡେ ଯାଇଛନ୍ତି କୁହ ?

2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକୁ, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ କଇଁ ଫୁଲ ସଂଗ୍ରହ କରିବାକୁ ଯାଇଅଛନ୍ତି।

3 ମୁଁ ଆପଣା ପ୍ରିୟତମଙ୍କର ଓ ମୋ' ପ୍ରିୟତମ ମୋହର; ସେ ଶୋଶନ୍‍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି।

4 ହେ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୁଶାଲମ ପରି ଶୋଭାବତୀ, ଧ୍ୱଜାଧାରୀ ସୈନ୍ୟ ପରି ଭୟଙ୍କରୀ।

5 ତୁମ୍ଭେ ମୋ' ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ୱାରା ମୁଁ ପରାସ୍ତ ହୋଇଅଛି। ତୁମ୍ଭର କେଶ ଗିଲିୟଦ ପାଶ୍ୱର୍ରେ ଆରାମକାରୀ ଛେଳିପଲ ତୁଲ୍ୟ।

6 ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍‍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।

7 ତୁମ୍ଭ ଓଢ଼ଣା ତଳେ ତୁମ୍ଭର ଗାଲ ଡାଳିମ୍ବଖଣ୍ଡ ସଦୃଶ।

8 ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି।

9 ମାତ୍ର ମୋ' କପୋତୀ, ମୋ' ଶୁଦ୍ଧମତି ଅଦ୍ୱିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା। କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପତ୍ନୀଗଣ ତାହାକୁ ପ୍ରଶଂସା କଲେ।

10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ୱଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ ?

11 ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ବ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍‍ରୋଟ୍‍ ଉଦ୍ୟାନକୁ ଗଲି।

12 ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋ' ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା।

13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର। ମହନୟିମସ୍ଥ ନୃତ୍ୟକୁ ଯେପରି, ସେପରି କାହିଁକି ତୁମ୍ଭେମାନେ ଶୂଲମିୟାକୁ ଅନାଇବ ?