Song of Solomon 4 in Oriya

1 ହେ ମୋହର ପ୍ରିୟେ, ଦେଖ, ତୁମ୍ଭେ ସୁନ୍ଦରୀ; ଦେଖ ତୁମ୍ଭେ ସୁନ୍ଦରୀ; ଓଢ଼ଣା ତଳେ ତୁମ୍ଭ ଚକ୍ଷୁ କପୋତ ତୁଲ୍ୟ; ତୁମ୍ଭର କେଶ ଗିଲିୟଦ ପର୍ବତ ପାର୍ଶ୍ୱରେ ଆରାମକାରୀ ଛେଳିପଲ ତୁଲ୍ୟ।

2 ତୁମ୍ଭର ଦନ୍ତ-ପଂକ୍ତି ନୂତନ ଲୋମକଟା, ସ୍ନାନରୁ ଉତ୍‍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଆଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ।

3 ତୁମ୍ଭର ଓଷ୍ଠାଧର ସିନ୍ଦୂରବର୍ଣ୍ଣ ସୂତ୍ର ତୁଲ୍ୟ ଓ ତୁମ୍ଭର ମୁଖ ମନୋହର; ଓଢ଼ଣି ତଳେ ତୁମ୍ଭ ଗାଲ ଡାଳିମ୍ବ ତୁଲ୍ୟ।

4 ତୁମ୍ଭର ଗଳଦେଶ ଅସ୍ତ୍ରାଗାର ନିମନ୍ତେ ନିର୍ମିତ ଦାଉଦଙ୍କ ଦୁର୍ଗ ତୁଲ୍ୟ, ସେହି ଦୁର୍ଗ ମଧ୍ୟରେ ଏକ ସହସ୍ର ଚର୍ମ, ବୀରଗଣର ସକଳ ଢାଲ ଟଙ୍ଗାଗଲା।

5 କଇଁ ଫୁଲବନରେ ଚରିବାର ଯାଆଁଳା ହରିଣ ଛୁଆ ତୁଲ୍ୟ ତୁମ୍ଭର ସ୍ତନଯୁଗଳ।

6 ଦିବସ ଶୀତଳ ହେବା ଓ ଛାୟା ବହିଯିବା ପର୍ଯ୍ୟନ୍ତ ମୁଁ ଗନ୍ଧରସ-ପର୍ବତ ଓ କୁନ୍ଦୁରୁ-ଉପପର୍ବତକୁ ଯିବି।

7 ହେ ମୋହର ପ୍ରିୟେ, ତୁମ୍ଭେ ସର୍ବାଙ୍ଗ ସୁନ୍ଦରୀ; ତୁମ୍ଭଠାରେ କୌଣସି ଖୁଣ ନାହିଁ।

8 ହେ ମୋହର କନ୍ୟେ, ମୋ' ସଙ୍ଗେ ଲିବାନୋନରୁ, ମୋ' ସଙ୍ଗେ ଲିବାନୋନରୁ ଆସ; ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣର ଶୃଙ୍ଗରୁ, ସିଂହମାନଙ୍କ ଗହ୍ୱରରୁ, ଚିତାବାଘମାନଙ୍କ ପର୍ବତରୁ ଦୃଷ୍ଟିପାତ କର।

9 ହେ ମୋହର ଭଗିନୀ, ହେ ମୋହର କନ୍ୟେ, ତୁମ୍ଭେ ମୋହର ଚିତ୍ତ ହରଣ କରିଅଛ; ତୁମ୍ଭେ ଆପଣାର ଏକ ଦୃଷ୍ଟିରେ, ଆପଣା ଗଳାର ଏକ ହାରରେ ମୋହର ଚିତ୍ତ ହରଣ କରିଅଛ।

10 ହେ ମୋହର ଭଗିନୀ, ମୋହର କନ୍ୟେ, ତୁମ୍ଭର ପ୍ରେମ କିପରି ମନୋରମ ! ତୁମ୍ଭ ପ୍ରେମ ଦ୍ରାକ୍ଷାରସ ଅପେକ୍ଷା କିପରି ଉତ୍ତମ ! ପୁଣି, ତୁମ୍ଭ ତୈଳର ସୁଗନ୍ଧ ସର୍ବପ୍ରକାର ସୁଗନ୍ଧିଦ୍ରବ୍ୟ ଅପେକ୍ଷା କିପରି ଉତ୍ତମ !

11 ହେ ମୋହର କନ୍ୟେ, ତୁମ୍ଭ ଓଷ୍ଠାଧରରୁ ମଧୁଚାକ ପରି ଟୋପା ଟୋପା କ୍ଷରେ; ମଧୁ ଓ ଦୁଗ୍‍ଧ ତୁମ୍ଭ ଜିହ୍ୱା ତଳେ ଥାଏ; ତୁମ୍ଭ ବସ୍ତ୍ରର ସୁଗନ୍ଧ ଲିବାନୋନର ସୁଗନ୍ଧ ତୁଲ୍ୟ।

12 ମୋହର ଭଗିନୀ, ମୋହର କନ୍ୟା ଏକ ରୁଦ୍ଧ ଉଦ୍ୟାନ; ଏକ ରୁଦ୍ଧ ନିର୍ଝର, ଏକ ମୁଦ୍ରାଙ୍କିତ ଜଳାକାର ସଦୃଶ୍ୟ।

13 ତୁମ୍ଭର ପଲ୍ଲବ ବହୁମୂଲ୍ୟ ଫଳବିଶିଷ୍ଟ ଡାଳିମ୍ବ ଉପବନ ; ମେହେନ୍ଦି, ସୁଗନ୍ଧି ବୃକ୍ଷର ଚାରାବିଶିଷ୍ଟ,

14 ଜଟାମାଂସୀ ଓ କୁଙ୍କୁମ, ବଚ ଓ ଦାରୁଚିନି, ସର୍ବପ୍ରକାର କୁନ୍ଦୁରୁ ବୃକ୍ଷବିଶିଷ୍ଟ ଗନ୍ଧରସ ଓ ଅଗୁର, ସର୍ବପ୍ରକାର ପ୍ରଧାନ ପ୍ରଧାନ ସୁଗନ୍ଧି ବୃକ୍ଷବିଶିଷ୍ଟ।

15 ତୁମ୍ଭେ ଉଦ୍ୟାନସମୂହର ଜଳାକର, ଅମୃତ ଜଳର କୂପ ଓ ଲିବାନୋନରୁ ପ୍ରବାହିତ ସ୍ରୋତ ସଦୃଶ୍ୟ।

16 ହେ ଉତ୍ତରୀୟ ବାୟୁ, ଜାଗ; ହେ ଦକ୍ଷିଣ ବାୟୁ, ଆସ; ମୋ' ଉଦ୍ୟାନର ସୁଗନ୍ଧି ଯେପରି ନିର୍ଗତ ହେବ, ଏଥିପାଇଁ ତହିଁ ଉପରେ ବହ। ମୋହର ପ୍ରିୟତମ ଆପଣା ଉଦ୍ୟାନକୁ ଆସନ୍ତୁ ଓ ଆପଣାର ବହୁମୂଲ୍ୟ ଫଳସବୁ ଭୋଜନ କରନ୍ତୁ।