Psalm 99 in Oriya

1 ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ।

2 ସଦାପ୍ରଭୁ ସିୟୋନରେ ମହାନ ଓ ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ।

3 ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ; ସେ ପବିତ୍ର ଅଟନ୍ତି।

4 ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ, ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ।

5 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରତିଷ୍ଠା କର ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; ସେ ପବିତ୍ର ଅଟନ୍ତି।

6 ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ; ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ।

7 ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ; ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ।

8 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ। ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ।

9 ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରତିଷ୍ଠା କର ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି।