Psalm 81 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍‍ ସ୍ୱରରେ ଆସଫର ଗୀତ। ଆମ୍ଭମାନଙ୍କ ବଳ ସ୍ୱରୂପ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଉଚ୍ଚସ୍ୱରରେ ଗାନ କର; ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।

2 ଗୀତ ଉଠାଅ ଓ ଦାରା, ନେବଲ ସହିତ ମନୋହର ବୀଣାଯନ୍ତ୍ର ଆଣ।

3 ଅମାବାସ୍ୟାରେ, ପୂର୍ଣ୍ଣିମାରେ, ଆମ୍ଭମାନଙ୍କ ମହୋତ୍ସବ ଦିନରେ ତୂରୀ ବଜାଅ।

4 କାରଣ ତାହା ଇସ୍ରାଏଲ ନିମନ୍ତେ ବିଧି ଓ ଯାକୁବର ପରମେଶ୍ୱରଙ୍କ ବିଧାନ ଅଟେ।

5 ସେ ମିସର ଦେଶ ବିରୁଦ୍ଧରେ ବାହାରିବା ବେଳେ ଯୋଷେଫ ମଧ୍ୟରେ ସାକ୍ଷ୍ୟ ନିମନ୍ତେ ତାହା ସ୍ଥାପନ କଲେ; ସେଠାରେ ଆମ୍ଭେ ଆପଣାର ଅଜ୍ଞାତ ବାଣୀ ଶୁଣିଲୁ।

6 ଆମ୍ଭେ ତାହାର ସ୍କନ୍ଧ ଭାରରୁ ଘୁଞ୍ଚାଇ ଦେଲୁ; ତାହାର ହସ୍ତ ଟୋକାଇରୁ ମୁକ୍ତ ହେଲା।

7 ତୁମ୍ଭେ ସଙ୍କଟ ବେଳେ ଡାକିଲ, ତହୁଁ ଆମ୍ଭେ ତୁମ୍ଭକୁ ଉଦ୍ଧାର କଲୁ; ଆମ୍ଭେ ମେଘଗର୍ଜ୍ଜନର ଗୁପ୍ତ ସ୍ଥାନରେ ତୁମ୍ଭକୁ ଉତ୍ତର ଦେଲୁ; ଆମ୍ଭେ ମିରୀବାଃ ଜଳ ନିକଟରେ ତୁମ୍ଭକୁ ପରୀକ୍ଷା କଲୁ। ସେଲା

8 ହେ ଆମ୍ଭର ଲୋକ, ଶୁଣ, ଆମ୍ଭେ ତୁମ୍ଭ ନିକଟରେ ସାକ୍ଷ୍ୟ ଦେବା; ହେ ଇସ୍ରାଏଲ, ଯଦି ତୁମ୍ଭେ ଆମ୍ଭ କଥା ଶୁଣନ୍ତ !

9 ତୁମ୍ଭ ମଧ୍ୟରେ ଅନ୍ୟ କୌଣସି ଦେବତା ରହିବ ନାହିଁ; କିଅବା ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ।

10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲୁ; ଆପଣା ମୁଖ ବଡ଼ କରି ମେଲାଅ, ଆମ୍ଭେ ତାହା ପୂର୍ଣ୍ଣ କରିବା।

11 ମାତ୍ର ଆମ୍ଭ ଲୋକେ ଆମ୍ଭ ରବ ଶୁଣିଲେ ନାହିଁ ଓ ଇସ୍ରାଏଲ ଆମ୍ଭଙ୍କୁ ଚାହିଁଲା ନାହିଁ।

12 ତହିଁରେ ସେମାନେ ଯେପରି ଆପଣା ଆପଣା ମନ୍ତ୍ରଣାନୁସାରେ ଚାଲିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ସେମାନଙ୍କ ହୃଦୟର କଠିନତାନୁସାରେ ଛାଡ଼ି ଦେଲୁ।

13 ଆହା, ଯଦି ଆମ୍ଭ ଲୋକେ ଆମ୍ଭର କଥା ଶୁଣନ୍ତେ ! ଯଦି ଇସ୍ରାଏଲ ଆମ୍ଭ ପଥରେ ଚାଲନ୍ତା !

14 ଆମ୍ଭେ ଶୀଘ୍ର ସେମାନଙ୍କ ଶତ୍ରୁଗଣକୁ ଦମନ କରନ୍ତୁ ଓ ସେମାନଙ୍କ ବିପକ୍ଷଗଣର ପ୍ରତିକୂଳରେ ଆପଣା ହସ୍ତ ଫେରାନ୍ତୁ।

15 ସଦାପ୍ରଭୁଙ୍କ ଘୃଣାକାରୀମାନେ ତାହାଙ୍କର ବଶତା ସ୍ୱୀକାର କରନ୍ତେ; ମାତ୍ର ସେମାନଙ୍କର ସମୟ ସଦାକାଳ ରହନ୍ତା।

16 ଆହୁରି, ସେ ଉତ୍ତମ ଗହମରେ ସେମାନଙ୍କୁ ପ୍ରତିପୋଷଣ କରନ୍ତେ ଓ ଆମ୍ଭେ ଶୈଳରୁ ମଧୁ ଦେଇ ତୁମ୍ଭକୁ ପରିତୃପ୍ତ କରନ୍ତୁ।