Psalm 62 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନର ରୀତି ଅନୁସାରେ ଦାଉଦଙ୍କର ଗୀତ। ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ; ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ।

2 କେବଳ ସେ ମୋହର ଶୈଳ ଓ ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି।

3 ନଇଁ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମ୍ଭେ ସମସ୍ତେ କେତେ କାଳ ଲାଗିଥିବ ?

4 ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି; ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ; ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ ଅଭିଶାପ ଦିଅନ୍ତି। ସେଲା

5 ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର; କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ।

6 କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି।

7 ମୋହର ପରିତ୍ରାଣ ଓ ମୋହର ଗୌରବ ପରମେଶ୍ୱରଙ୍କଠାରେ ଅଛି; ମୋ' ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି।

8 ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର; ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ; ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। ସେଲା

9 ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ ମିଥ୍ୟା; ତୌଲରେ ସେମାନେ ଉପରକୁ ଉଠିବେ; ସେମାନେ ସମସ୍ତେ ଅସାରରୁ ଲଘୁ।

10 ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ।

11 ପରମେଶ୍ୱର ଥରେ କହିଅଛନ୍ତି, ଆମ୍ଭେ ଦୁଇ ଥର ଏହା ଶୁଣିଅଛୁ ଯେ, ପରାକ୍ରମ ପରମେଶ୍ୱରଙ୍କର ଅଟଇ।

12 ଆହୁରି, ହେ ପ୍ରଭୁ; ତୁମ୍ଭଠାରେ ଦୟା ଥାଏ; କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ।