Psalm 60 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍‍-ଏଦୁତ୍‍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍‍; ଅରାମନହରୟିମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ-ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ; ତୁମ୍ଭେ କ୍ରୁଦ୍ଧ ହୋଇଅଛ; ଆମ୍ଭମାନଙ୍କୁ ପୁନଃସ୍ଥାପନ କର।

2 ତୁମ୍ଭେ ଦେଶକୁ କମ୍ପିତ କରିଅଛ; ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ; ତହିଁର ଭଗ୍ନସ୍ଥାନର ପ୍ରତିକାର କର; କାରଣ ତାହା ଟଳ ଟଳ ହେଉଅଛି।

3 ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ; ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ।

4 ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ। ସେଲା

5 ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ, ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ।

6 ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି; “ଆମ୍ଭେ ଉଲ୍ଲାସ କରିବା; ଆମ୍ଭେ ଶିଖିମକୁ ବିଭାଗ କରିବା ଓ ସୁକ୍‍କୋତ ଉପତ୍ୟକାକୁ ମାପିବା।

7 ଗିଲୀୟଦ ଆମ୍ଭର ଓ ମନଃଶି ଆମ୍ଭର; ମଧ୍ୟ ଇଫ୍ରୟିମ ଆମ୍ଭ ମସ୍ତକର ଆଶ୍ରୟ; ଯିହୂଦା ଆମ୍ଭର ରାଜଦଣ୍ଡ।

8 ମୋୟାବ ଆମ୍ଭର ପ୍ରକ୍ଷାଳନ-ପାତ୍ର; ଆମ୍ଭେ ଇଦୋମ ଉପରେ ଆପଣା ପାଦୁକା ପକାଇବା; ହେ ପଲେଷ୍ଟୀୟା, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚ ଧ୍ୱନି କର।

9 କିଏ ମୋତେ ଦୃଢ଼ ନଗରକୁ ଆଣିବ ? କିଏ ମୋତେ ଇଦୋମ ପର୍ଯ୍ୟନ୍ତ କଢ଼ାଇ ନେବ?”

10 ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରି ନାହଁ ? ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁ ନାହଁ।

11 ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର; କାରଣ ମନୁଷ୍ୟର ସାହାଯ୍ୟ ବୃଥା।

12 ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା; ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷଗଣକୁ ଦଳି ପକାଇବେ।