Psalm 5 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୋ' ବାକ୍ୟରେ କର୍ଣ୍ଣ ଦିଅ, ମୋହର କାକୂକ୍ତି ବିବେଚନା କର।

2 ହେ ମୋହର ରାଜନ୍‍, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର, କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ।

3 ହେ ସଦାପ୍ରଭୁ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ; ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି।

4 କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ; ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ।

5 ଅହଂକାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ; ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ।

6 ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ; ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି।

7 ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି; ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି।

8 ହେ ସଦାପ୍ରଭୁ, ମୋ' ଶତ୍ରୁଗଣ ସକାଶୁ ତୁମ୍ଭେ ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ; ମୋ' ସମ୍ମୁଖରେ ତୁମ୍ଭର ପଥ ସରଳ କର।

9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ; ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ; ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।

10 ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର; ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ; ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ; କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି।

11 ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ; ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ; ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ।

12 ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୁ, ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ।