Psalm 48 in Oriya

1 ଗୀତ : କୋରହ-ସନ୍ତାନମାନଙ୍କର ଗୀତ। ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।

2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।

3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।

4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ ଏକସଙ୍ଗେ ଗମନ କଲେ।

5 ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;

6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।

7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା ତର୍ଶୀଶର ଜାହାଜସବୁ ଭାଙ୍ଗିଥାଅ।

8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ ଦେଖିଅଛୁ; ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ। ସେଲା

9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ।

10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ।

11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୂଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ।

12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର।

13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର।

14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି; ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।