Psalm 39 in Oriya

1 ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ ପାଇଁ ଦାଉଦଙ୍କର ଗୀତ। ମୁଁ କହିଲି, “ମୁଁ ଜିହ୍ୱାରେ ପାପ ନ କରିବା ପାଇଁ ଆପଣା ପଥ ବିଷୟରେ ସାବଧାନ ହେବି; ଦୁଷ୍ଟ ମୋ' ସମ୍ମୁଖରେ ଥିବା ପର୍ଯ୍ୟନ୍ତ ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି।”

2 ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ ନିବୃତ୍ତ ରହିଲି; ତହିଁରେ ମୋହର ଦୁଃଖ ପ୍ରବଳ ହେଲା;

3 ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି; ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି; ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି;

4 “ହେ ସଦାପ୍ରଭୁ, ମୋହର ଅନ୍ତିମକାଳ ଓ ମୋ' ଦିନର ପରିମାଣ କଅଣ, ମୋତେ ଜଣାଅ; ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ।

5 ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ; ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। ସେଲା

6 ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ; ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ; ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ।

7 ହେ ପ୍ରଭୁ, ଏବେ ମୁଁ କାହିଁର ଅପେକ୍ଷା କରିବି ? ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।

8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର; ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।

9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ; କାରଣ ତୁମ୍ଭେ ତାହା କଲ।

10 ମୋ'ଠାରୁ ତୁମ୍ଭ ଆଘାତ ଦୂର କର; ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।

11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ; ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର। ସେଲା

12 ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ' ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ; ମୋ' ଅଶ୍ରୁପାତରେ ନୀରବ ହୁଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ, ମୋହର ସମସ୍ତ ପିତୃଲୋକଙ୍କ ତୁଲ୍ୟ ପ୍ରବାସୀ।

13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି, ଏଥିପାଇଁ ମୋ'ଠାରୁ ଦୃଷ୍ଟି ଫେରାଅ।”