Psalm 32 in Oriya

1 ଦାଉଦଙ୍କ ଗୀତ। ଯାହାର ଅପରାଧ କ୍ଷମା, ଯାହାର ପାପ ଆଚ୍ଛାଦିତ ହୋଇଅଛି, ସେ ଧନ୍ୟ।

2 ସଦାପ୍ରଭୁ ଯାହା ପ୍ରତି ଅଧର୍ମର ଆରୋପ ନ କରନ୍ତି ଓ ଯାହାର ଆତ୍ମାରେ ପ୍ରବଞ୍ଚନା ନାହିଁ, ସେ ଧନ୍ୟ।

3 ମୁଁ ମୌନ ହୋଇ ଥିବା ବେଳେ ଦିନସାରା ଆର୍ତ୍ତନାଦ କରିବା ଦ୍ୱାରା ମୋହର ଅସ୍ଥିସବୁ କ୍ଷୟ ପାଇଲା।

4 କାରଣ ଦିବାରାତ୍ର ତୁମ୍ଭ ହସ୍ତ ମୋ' ଉପରେ ଭାରୀ ଥିଲା; ମୋହର ଶକ୍ତି ଗ୍ରୀଷ୍ମକାଳୀନରେ ଭୂମି ଯେପରି ଶୁଷ୍କ ହୁଏ ସେହିପରି ଶୁଷ୍କ ହେଲା। ସେଲା

5 ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ; ମୁଁ କହିଲି, “ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି,” ତହିଁରେ ତୁମ୍ଭେ ମୋହର ପାପଘଟିତ ଅଧର୍ମ କ୍ଷମା କଲ। ସେଲା

6 ଏଥିପାଇଁ ତୁମ୍ଭର ଉଦ୍ଦେଶ୍ୟ ପାଇ ପାରିବା ସମୟରେ ପ୍ରତ୍ୟେକ ସଦ୍‍ଭକ୍ତ ଲୋକ ତୁମ୍ଭ ନିକଟରେ ପ୍ରାର୍ଥନା କରୁ; ନିଶ୍ଚୟ ମହାଜଳରାଶି ଉଚ୍ଛୁଳିବା ସମୟରେ ତାହା ତାହା ନିକଟକୁ ଆସିବ ନାହିଁ।

7 ତୁମ୍ଭେ ମୋହର ଲୁଚିବା ସ୍ଥାନ; ତୁମ୍ଭେ ସଙ୍କଟରୁ ମୋତେ ରକ୍ଷା କରିବ; ତୁମ୍ଭେ ରକ୍ଷାର୍ଥକ ଗାୟନରେ ମୋହର ଚତୁର୍ଦ୍ଦିଗ ବେଷ୍ଟନ କରିବ। ସେଲା

8 ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି; ମୁଁ ତୁମ୍ଭ ଉପରେ ଆପଣା ଦୃଷ୍ଟି ରଖି ତୁମ୍ଭକୁ ମନ୍ତ୍ରଣା ଦେବି।

9 ତୁମ୍ଭେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ; ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, ନୋହିଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ।

10 ଦୁଷ୍ଟକୁ ଅନେକ ଦୁଃଖ ଘଟିବ; ମାତ୍ର ଯେଉଁ ଜନ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ, ତାହାର ଚତୁର୍ଦ୍ଦିଗରେ ଦୟା ବେଷ୍ଟନ କରିବ।

11 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦ କର ଓ ଉଲ୍ଲସିତ ହୁଅ; ହେ ସରଳାନ୍ତଃକରଣ ସମସ୍ତେ, ତୁମ୍ଭେମାନେ ଆନନ୍ଦଧ୍ୱନି କର।