Psalm 30 in Oriya

1 ଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ହେ ସଦାପ୍ରଭୁ, ମୁଁ ତୁମ୍ଭର ଗୁଣ ଗାନ କରିବି; କାରଣ ତୁମ୍ଭେ ମୋତେ ଉଠାଇଅଛ; ଓ ମୋ' ଶତ୍ରୁଗଣକୁ ମୋ' ଉପରେ ଆନନ୍ଦ କରିବାକୁ ଦେଇ ନାହଁ।

2 ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି, ପୁଣି, ତୁମ୍ଭେ ମୋତେ ସୁସ୍ଥ କରିଅଛ।

3 ହେ ସଦାପ୍ରଭୁ, ତୁମ୍ଭେ ପାତାଳରୁ ମୋ' ପ୍ରାଣ ଉଠାଇ ଆଣିଅଛ; ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି, ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ।

4 ହେ ସଦାପ୍ରଭୁଙ୍କର ସଦ୍‍ଭକ୍ତମାନେ, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପୁଣି, ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ।

5 କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ; ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ; ରୋଦନ ଏକ ରାତ୍ରି ପାଇଁ ଆସିପାରେ, ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ।

6 ମୁଁ ଆପଣା ସମୃଦ୍ଧି ସମୟରେ କହିଲି, “ମୁଁ କେବେ ବିଚଳିତ ନୋହିବି।”

7 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ମାତ୍ର ଯଦି ତୁମ୍ଭେ ଆପଣା ମୁଖ ଲୁଚାଇଲ; ତେବେ ମୁଁ ବ୍ୟାକୁଳ ହେଲି।

8 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଡାକିଲି; ପୁଣି, ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି।

9 ମୁଁ ଗର୍ତ୍ତକୁ ଗମନ କଲେ, ମୋର ରକ୍ତରେ କି ଲାଭ ? ଧୂଳି କି ତୁମ୍ଭର ପ୍ରଶଂସା କରିବ ? ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ ?

10 ହେ ସଦାପ୍ରଭୁ, ଶୁଣ ଓ ମୋ' ପ୍ରତି ଦୟା କର; ସଦାପ୍ରଭୁ, ତୁମ୍ଭେ ମୋହର ସହାୟ ହୁଅ।

11 ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ; ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦରୂପ ପଟୁକାରେ ମୋହର କଟି ବାନ୍ଧିଅଛ;

12 ଏଥିପାଇଁ ମୋହର ପ୍ରାଣ ତୁମ୍ଭର ପ୍ରଶଂସା ଗାନ କରିବ ଓ ନୀରବ ନୋହିବ, ହେ ସଦାପ୍ରଭୁ, ମୋହର ପରମେଶ୍ୱର, ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।