Psalm 28 in Oriya

1 ଦାଉଦଙ୍କର ଗୀତ। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି; ହେ ମୋହର ଶୈଳ, ମୋ' ପ୍ରତି ନୀରବ ହୁଅ ନାହିଁ; କେଜାଣି ତୁମ୍ଭେ ମୋ' ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି।

2 ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ, ତୁମ୍ଭ ପବିତ୍ର ସ୍ଥାନର ଗର୍ଭାଗାର ଆଡ଼େ ଆପଣା ହସ୍ତ ଟେକିବା ବେଳେ, ମୋ' ନିବେଦନର ରବ ଶ୍ରବଣ କର।

3 ଦୁଷ୍ଟ ଓ ଅଧର୍ମାଚାରୀମାନଙ୍କ ସଙ୍ଗେ ମୋତେ ଟାଣି ନିଅ ନାହିଁ; ସେମାନେ ସ୍ୱ ସ୍ୱ ପ୍ରତିବାସୀମାନଙ୍କ ସଙ୍ଗେ ଶାନ୍ତିର କଥା କହନ୍ତି, ମାତ୍ର ସେମାନଙ୍କ ଅନ୍ତଃକରଣରେ ଅନିଷ୍ଟ ଥାଏ।

4 ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ।

5 ସେମାନେ ସଦାପ୍ରଭୁଙ୍କ କ୍ରିୟା ଓ ତାହାଙ୍କ ହସ୍ତର କର୍ମସକଳ ବିବେଚନା ନ କରିବାରୁ ସେ ସେମାନଙ୍କୁ ଭାଙ୍ଗି ପକାଇବେ ଓ ସେମାନଙ୍କୁ ଗଢ଼ିବେ ନାହିଁ।

6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, କାରଣ ସେ ମୋ' ନିବେଦନର ରବ ଶୁଣିଅଛନ୍ତି।

7 ସଦାପ୍ରଭୁ ମୋହର ବଳ ଓ ମୋହର ଢାଲ; ମୋହର ଅନ୍ତଃକରଣ ତାହାଙ୍କଠାରେ ଭରସା ରଖିଅଛି ଓ ମୁଁ ସାହାଯ୍ୟ ପାଇଅଛି; ଏହେତୁ ମୋ' ଅନ୍ତଃକରଣ ଅତ୍ୟନ୍ତ ଉଲ୍ଲାସ କରୁଅଛି; ଆଉ, ମୁଁ ନିଜ ଗୀତରେ ତାହାଙ୍କର ପ୍ରଶଂସା କରିବି।

8 ସଦାପ୍ରଭୁ ସେମାନଙ୍କର ବଳ ଓ ଆପଣା ଅଭିଷିକ୍ତ ପ୍ରତି ପରିତ୍ରାଣର ଦୃଢ଼ ଦୁର୍ଗ ଅଟନ୍ତି।

9 ଆପଣା ଲୋକମାନଙ୍କୁ ତ୍ରାଣ କର ଓ ଆପଣା ଅଧିକାରକୁ ଆଶୀର୍ବାଦ କର; ସେମାନଙ୍କୁ ପ୍ରତିପାଳନ କର ଓ ଅନନ୍ତକାଳ ସେମାନଙ୍କୁ ବହନ କର।