Psalm 24 in Oriya

1 ଦାଉଦଙ୍କର ଗୀତ। ପୃଥିବୀ ଓ ତହିଁର ପୂର୍ଣ୍ଣତା, ଜଗତ ଓ ତନ୍ନିବାସୀ ସମସ୍ତେ ସଦାପ୍ରଭୁଙ୍କର।

2 କାରଣ ସେ ସମୁଦ୍ର ଉପରେ ତାହା ସ୍ଥାପନ କରିଅଛନ୍ତି ଓ ନଦୀ ଉପରେ ତାହା ଦୃଢ଼ କରିଅଛନ୍ତି।

3 କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ? ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ ?

4 ଯାହାର ହସ୍ତ ଶୁଚି ଓ ଅନ୍ତଃକରଣ ନିର୍ମଳ; ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି, ଯେ ଛଳ ଭାବରେ ଶପଥ କରି ନାହିଁ, ସେ।

5 ସେ ସଦାପ୍ରଭୁଙ୍କଠାରୁ ଆଶୀର୍ବାଦ ଓ ଆପଣାର ପରିତ୍ରାଣ ସ୍ୱରୂପ ପରମେଶ୍ୱରଙ୍କଠାରୁ ଧାର୍ମିକତା ପ୍ରାପ୍ତ ହେବ।

6 ଯେଉଁମାନେ ପରମେଶ୍ୱରଙ୍କୁ ଅନ୍ୱେଷଣ କରନ୍ତି, ସେମାନଙ୍କର ବଂଶ ଏହି, ହେ ଯାକୁବର ପରମେଶ୍ୱର, ଏମାନେ ତୁମ୍ଭର ମୁଖ ଅନ୍ୱେଷଣ କରନ୍ତି। ସେଲା

7 ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ଟେକି ହୁଅ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।

8 ଗୌରବମୟ ରାଜା କିଏ ? ବଳବାନ ଓ ବୀର ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ।

9 ହେ ନଗରଦ୍ୱାରସକଳ, ମସ୍ତକ ଟେକ; ହେ ଚିରସ୍ଥାୟୀ କବାଟସବୁ, ମସ୍ତକ ଟେକ; ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।

10 ଏହି ଗୌରବମୟ ରାଜା କିଏ ? ବାହିନୀଗଣର ସଦାପ୍ରଭୁ, ସେ ଗୌରବମୟ ରାଜା ଅଟନ୍ତି। ସେଲା