Psalm 145 in Oriya

1 ପ୍ରଶଂସାର ଗୀତ; ଦାଉଦଙ୍କ ରଚିତ। ହେ ରାଜନ୍‍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି,

2 ପ୍ରତି ଦିନ ମୁଁ ତୁମ୍ଭର ଧନ୍ୟବାଦ କରିବି; ପୁଣି, ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।

3 ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ; ପୁଣି, ତାହାଙ୍କ ମାହାତ୍ମ୍ୟ ଅନନୁସନ୍ଧେୟ।

4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟାସକଳର ପ୍ରଶଂସା କରିବେ ଓ ତୁମ୍ଭ ବିକ୍ରମର କର୍ମ ପ୍ରଚାର କରିବେ।

5 ମୁଁ ତୁମ୍ଭ ଗୌରବଯୁକ୍ତ ପ୍ରତାପର ଆଦରଣୀୟତା ଓ ତୁମ୍ଭ ଆଶ୍ଚର୍ଯ୍ୟ-କ୍ରିୟାର ବିଷୟ ଧ୍ୟାନ କରିବି।

6 ପୁଣି, ଲୋକମାନେ ତୁମ୍ଭ ଭୟାନକ କର୍ମର ପ୍ରଭାବ ବ୍ୟକ୍ତ କରିବେ; ପୁଣି, ମୁଁ ତୁମ୍ଭର ମାହାତ୍ମ୍ୟ ପ୍ରଚାର କରିବି।

7 ସେମାନେ ତୁମ୍ଭର ମହାମଙ୍ଗଳଭାବ ବର୍ଣ୍ଣନା କରିବେ ଓ ତୁମ୍ଭ ଧର୍ମ ବିଷୟ ଗାନ କରିବେ।

8 ସଦାପ୍ରଭୁ କୃପାବାନ ଓ ସ୍ନେହଶୀଳ; କ୍ରୋଧରେ ଧୀର ଓ ଦୟାରେ ମହାନ।

9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ; ପୁଣି, ତାହାଙ୍କ ହସ୍ତକୃତ ସମସ୍ତ କର୍ମ ଉପରେ ତାହାଙ୍କର ଦୟା ଥାଏ।

10 ହେ ସଦାପ୍ରଭୁ, ତୁମ୍ଭର ସମୁଦାୟ କର୍ମ ତୁମ୍ଭର ଧନ୍ୟବାଦ କରିବ; ତୁମ୍ଭର ସଦ୍‍ଭକ୍ତମାନେ ତୁମ୍ଭର ଧନ୍ୟବାଦ କରିବେ;

11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରି ଓ ତୁମ୍ଭ ପରାକ୍ରମ ବିଷୟରେ କଥୋପକଥନ କରି,

12 ମନୁଷ୍ୟ-ସନ୍ତାନଗଣକୁ ତାହାଙ୍କ ବିକ୍ରମର କାର୍ଯ୍ୟସବୁ ଓ ତାହାଙ୍କ ରାଜ୍ୟର ଗୌରବଯୁକ୍ତ ପ୍ରଭାବ ଜଣାଇବେ।

13 ତୁମ୍ଭର ରାଜ୍ୟ ଅନନ୍ତକାଳସ୍ଥାୟୀ ରାଜ୍ୟ ଓ ତୁମ୍ଭର କର୍ତ୍ତୃତ୍ୱସକଳ ପୁରୁଷାନୁକ୍ରମସ୍ଥାୟୀ।

14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି ଓ ନଇଁ ପଡ଼ିବା ଲୋକଙ୍କୁ ଉଠାନ୍ତି।

15 ସମସ୍ତଙ୍କର ଚକ୍ଷୁ ତୁମ୍ଭ ଅପେକ୍ଷାରେ ଥାଏ; ତୁମ୍ଭେ ଉପଯୁକ୍ତ ସମୟରେ ସେମାନଙ୍କୁ ଆହାର ଦେଉଅଛ।

16 ତୁମ୍ଭେ ଆପଣା ହସ୍ତ ମେଲାଇ ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଅଛ।

17 ସଦାପ୍ରଭୁ ଆପଣାର ସକଳ ପଥରେ ଧର୍ମମୟ ଓ ଆପଣାର ସମସ୍ତ କାର୍ଯ୍ୟରେ ଦୟାଳୁ ଅଟନ୍ତି,

18 ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି।

19 ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; ଆହୁରି, ସେ ସେମାନଙ୍କର କାକୂକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ।

20 ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରନ୍ତି; ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ।

21 ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତକାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ।