Psalm 137 in Oriya

1 ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ।

2 ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ।

3 କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”

4 ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା ?

5 ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, ତେବେ ମୋହର ଦକ୍ଷିଣ ହସ୍ତ ଆପଣା କୌଶଳ ପାସୋରି ଯାଉ।

6 ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିହ୍ୱା ମୋ' ମୁଖର ତାଳୁରେ ଲାଗି ରହୁ।

7 ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।”

8 ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ।

9 ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ।