Psalm 130 in Oriya

1 ଆରୋହଣ-ଗୀତ। ହେ ସଦାପ୍ରଭୁ, ମୁଁ ଗଭୀର ଜଳରେ ଥାଇ ତୁମ୍ଭ ନିକଟରେ ଡାକ ପକାଇଅଛି।

2 ହେ ପ୍ରଭୁ, ମୋ' ରବ ଶୁଣ; ତୁମ୍ଭ କର୍ଣ୍ଣ ମୋ' ବିନତୀ-ରବରେ ମନୋଯୋଗ କରୁ।

3 ହେ ସଦାପ୍ରଭୁ, ତୁମ୍ଭେ ଯଦି ଅପରାଧସବୁ ଧରିବ, ତେବେ ହେ ପ୍ରଭୁ, କିଏ ଠିଆ ହେବ ?

4 ମାତ୍ର ତୁମ୍ଭଙ୍କୁ ଯେପରି ଭୟ କରାଯାଏ, ଏଥିପାଇଁ ତୁମ୍ଭଠାରେ କ୍ଷମା ଅଛି।

5 ମୁଁ ସଦାପ୍ରଭୁଙ୍କର ଅପେକ୍ଷା କରୁଅଛି, ମୋ' ପ୍ରାଣ ଅପେକ୍ଷା କରୁଅଛି, ପୁଣି, ମୁଁ ତାହାଙ୍କ ବାକ୍ୟରେ ଭରସା ରଖୁଅଛି।

6 ପ୍ରହରୀମାନେ ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ମୋ' ପ୍ରାଣ ପ୍ରଭୁଙ୍କ ପାଇଁ ଅଧିକ ଚାହିଁ ରହେ; ହଁ, ପ୍ରହରୀମାନଙ୍କର ପ୍ରଭାତ ପାଇଁ ଚାହିଁ ରହିବା ଅପେକ୍ଷା ଅଧିକ।

7 ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ; କାରଣ ସଦାପ୍ରଭୁଙ୍କଠାରେ ଦୟା ଅଛି ଓ ତାହାଙ୍କଠାରେ ପ୍ରଚୁର ମୁକ୍ତି ଅଛି।

8 ପୁଣି, ସେ ଇସ୍ରାଏଲକୁ ତାହାର ସମସ୍ତ ଅପରାଧରୁ ମୁକ୍ତ କରିବେ।