Numbers 2 in Oriya

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,

2 “ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।

3 ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୂଦା-ଧ୍ୱଜାର ପଶ୍ଚାଦ୍‍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୂଦା-ସନ୍ତାନଗଣର ଅଧିପତି ହେବ;

4 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ।

5 ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ;

6 ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ।

7 ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍‍ ସବୂଲୂନ ସନ୍ତାନଗଣର ଅଧିପତି ହେବ;

8 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ।

9 ଯିହୂଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ।

10 ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ;

11 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ।

12 ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ ସନ୍ତାନଗଣର ଅଧିପତି ହେବ;

13 ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ।

14 ତହୁଁ ଗାଦର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍‍ ଗାଦ ସନ୍ତାନଗଣର ଅଧିପତି ହେବ;

15 ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ।

16 ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।

17 ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।

18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;

19 ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ।

20 ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;

21 ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ।

22 ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍‍-ସନ୍ତାନଗଣର ଅଧିପତି ହେବ;

23 ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ।

24 ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ।

25 ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ;

26 ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ।

27 ତାହା ପାଖରେ ଆଶେର୍‍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;

28 ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ।

29 ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି ସନ୍ତାନଗଣର ଅଧିପତି ହେବ;

30 ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ।

31 ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।”

32 ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା।

33 ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।

34 ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।