Micah 2 in Oriya

1 ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର ! ପ୍ରଭାତ ହେବାମାତ୍ର ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ।

2 ଆଉ, ସେମାନେ କ୍ଷେତ୍ରକୁ ଲୋଭ କରନ୍ତି ଓ ବଳରେ ତାହା ଛଡ଼ାଇ ନିଅନ୍ତି ଓ ଗୃହକୁ ଲୋଭ କରି ତାହା ହରଣ କରି ନିଅନ୍ତି; ଆଉ, ସେମାନେ ପୁରୁଷ ଓ ତାହାର ଗୃହ ପ୍ରତି, ଏବଂ, ମନୁଷ୍ୟ ଓ ତାହାର ପୈତୃକ ଅଧିକାର ପ୍ରତି ଦୌରାତ୍ମ୍ୟ କରନ୍ତି।

3 ଏହେତୁ ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ଏହି ଗୋଷ୍ଠୀ ବିରୁଦ୍ଧରେ ଅମଙ୍ଗଳ କଳ୍ପନା କରୁଅଛୁ, ତହିଁରୁ ତୁମ୍ଭେମାନେ ଆପଣା ଆପଣା ବେକ କାଢ଼ି ନେବାକୁ କିଅବା ଗର୍ବ କରି ଚାଲି ପାରିବ ନାହିଁ; କାରଣ ତାହା ଦୁଃସମୟ ଅଟେ।

4 ସେହି ଦିନ ଲୋକମାନେ ତୁମ୍ଭ ବିରୁଦ୍ଧରେ ଗୋଟିଏ ପ୍ରବାଦ ଧରି ଅତିଶୟ ବିଳାପ କରିବେ, ଆଉ କହିବେ, ଆମ୍ଭମାନଙ୍କର ସର୍ବନାଶ ହେଲା; ସେ ଆମ୍ଭ ଲୋକମାନଙ୍କର ଅଧିକାର ହସ୍ତାନ୍ତର କରିଅଛନ୍ତି; ସେ କିପରି ଆମ୍ଭଠାରୁ ତାହା ଦୂର କରିଅଛନ୍ତି। ସେ ଆମ୍ଭମାନଙ୍କର କ୍ଷେତ୍ର ବିଭାଗ କରି ବିଦ୍ରୋହୀମାନଙ୍କୁ ଦେଇଅଛନ୍ତି।

5 ଏଥିପାଇଁ ଗୁଲିବାଣ୍ଟ ଦ୍ୱାରା ପରିମାପକ ରଜ୍ଜୁ ପକାଇବା ପାଇଁ ସଦାପ୍ରଭୁଙ୍କ ସମାଜରେ ତୁମ୍ଭର କେହି ନ ଥିବେ।

6 ତୁମ୍ଭେମାନେ ବାକ୍ୟ ପ୍ରଚାର ନ କର, ସେମାନେ ଏପରି ପ୍ରଚାର କରନ୍ତି। ଯଦି ଏମାନଙ୍କ ନିକଟରେ ସେମାନେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିବେ ନାହିଁ ତେବେ ଅପମାନ ଘୁଞ୍ଚିବ ନାହିଁ।

7 ହେ ଯାକୁବର ବଂଶ, ସଦାପ୍ରଭୁଙ୍କର ଆତ୍ମା କି ସଙ୍କୁଚିତ ହୋଇଅଛି ? ଏହିସବୁ କି ତାହାଙ୍କର କର୍ମ ? ଏହା କୁହାଯିବ ? ଯେଉଁଜନ ସରଳ ଆଚରଣ କରେ, ଆମ୍ଭର ବାକ୍ୟସକଳ କି ତାହାର ମଙ୍ଗଳ ନ କରେ ?

8 ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି; ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚିନ୍ତ ପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ।

9 ଆମ୍ଭ ଲୋକମାନଙ୍କର ନାରୀଗଣକୁ ସେମାନଙ୍କର ସୁଖଜନକ ଗୃହରୁ ତୁମ୍ଭେମାନେ ଦୂର କରି ଦେଉଅଛ; ସେମାନଙ୍କର ସନ୍ତାନଗଣଠାରୁ ତୁମ୍ଭେମାନେ ଆମ୍ଭର (ଦତ୍ତ) ଗୌରବ ଚିରକାଳର ନିମନ୍ତେ ହରଣ କରି ନେଉଅଛ।

10 ତୁମ୍ଭେମାନେ ଉଠ ଓ ପ୍ରସ୍ଥାନ କର; କାରଣ ଏ ତୁମ୍ଭମାନଙ୍କର ବିଶ୍ରାମ ସ୍ଥାନ ନୁହେଁ; ଯେହେତୁ ଅଶୁଚିତା ବିନାଶ, ଅର୍ଥାତ୍‍, ଭୟାନକ ବିନାଶ କରୁଅଛି।

11 ଯଦି କୌଣସି ଲୋକ ବାୟୁ ଓ ମିଥ୍ୟା କଥାର ଅନୁଗାମୀ ହୋଇ ମିଥ୍ୟାରେ କହେ, ଆମ୍ଭେ ଦ୍ରାକ୍ଷାରସ ଓ ସୁରା ବିଷୟକ ଭବିଷ୍ୟଦ୍‍ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିବା, ତେବେ ସେ ତ ଏହି ଲୋକମାନଙ୍କର ଭବିଷ୍ୟଦ୍‍ବକ୍ତା ହେବ।

12 ହେ ଯାକୁବ, ଆମ୍ଭେ ଅବଶ୍ୟ ତୁମ୍ଭର ଯାବତୀୟ ଲୋକଙ୍କୁ ଏକତ୍ର କରିବା; ଆମ୍ଭେ ଅବଶ୍ୟ ଇସ୍ରାଏଲର ଅବଶିଷ୍ଟାଂଶକୁ ସଂଗ୍ରହ କରିବା; ଆମ୍ଭେ ସେମାନଙ୍କୁ ବସ୍ରାର ମେଷଗଣ ତୁଲ୍ୟ ଏକତ୍ର ରଖିବା; ନିଜ ଚରାଣି-ସ୍ଥାନ ମଧ୍ୟରେ ଯେପରି ମେଷପଲ, ସେହିପରି ମନୁଷ୍ୟର ବାହୁଲ୍ୟ ସକାଶୁ ସେମାନେ ମହାଶବ୍ଦ କରିବେ।

13 ଭଗ୍ନକାରୀ ସେମାନଙ୍କର ଅଗ୍ରଗାମୀ ହୋଇଅଛନ୍ତି; ସେମାନେ ବେଢ଼ା ଭାଙ୍ଗି ଦ୍ୱାର ପର୍ଯ୍ୟନ୍ତ ଯାଇଅଛନ୍ତି ଓ ସେହି ଦ୍ୱାର ଦେଇ ବାହାରି ଯାଇଅଛନ୍ତି; ପୁଣି, ସେମାନଙ୍କର ରାଜା ସେମାନଙ୍କର ଆଗେ ଆଗେ ଯାଇଅଛନ୍ତି ଓ ସଦାପ୍ରଭୁ ସେମାନଙ୍କର ଅଗ୍ରଗାମୀ ଅଛନ୍ତି।