Micah 1 in Oriya

1 ଯିହୁଦା ଦେଶୀୟ ଯୋଥମ୍‍, ଆହସ ଓ ହିଜକୀୟ ରାଜାମାନଙ୍କର ଅଧିକାର ସମୟରେ, ମୋରେଷ୍ଟୀୟ ମୀଖାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା; ସେ ଶମରୀୟା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।

2 ହେ ଗୋଷ୍ଠୀଗଣ, ତୁମ୍ଭେ ସମସ୍ତେ ଶୁଣ; ହେ ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତେ, ମନୋଯୋଗ କର; ପ୍ରଭୁ ସଦାପ୍ରଭୁ, ଆପଣା ପବିତ୍ର ମନ୍ଦିରରୁ ପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷୀ ହେଉନ୍ତୁ।

3 କାରଣ ଦେଖ, ସଦାପ୍ରଭୁ ଆପଣା ସ୍ଥାନରୁ ବାହାରି ଆସୁଅଛନ୍ତି ଓ ସେ ଓହ୍ଳାଇ ଆସି ପୃଥିବୀର ଉଚ୍ଚସ୍ଥଳୀସକଳ ଉପରେ ଗମନ କରିବେ।

4 ତହିଁରେ ଅଗ୍ନି ଆଗରେ ଯେପରି ମହମ ତରଳି ଯାଏ ଓ ଗଡ଼ନ୍ତି ସ୍ଥାନରେ ଜଳ ଗଡ଼ିପଡ଼େ, ସେହିପରି ତାହାଙ୍କ ପଦ ତଳେ ପର୍ବତଗଣ ତରଳି ଯିବେ ଓ ତଳଭୂମିସକଳ ବିଦୀର୍ଣ୍ଣ ହେବ।

5 କାରଣ ଯାକୁବର ଆଜ୍ଞାଲଙ୍ଘନ ଓ ଇସ୍ରାଏଲ ବଂଶର ପାପ ସକାଶୁ ଏହିସବୁ ହେଉଅଛି। ଯାକୁବର ଆଜ୍ଞାଲଙ୍ଘନ କଅଣ ? ତାହା କି ଶମରୀୟା ନୁହେଁ ? ଓ ଯିହୁଦାର ଉଚ୍ଚସ୍ଥଳୀସକଳ କଅଣ ସେହିସବୁ କି ଯିରୂଶାଲମ ନୁହେଁ ?

6 ଏଥିପାଇଁ ଆମ୍ଭେ ଶମରୀୟାକୁ କ୍ଷେତ୍ରସ୍ଥ ଢିପି ଓ ଦ୍ରାକ୍ଷାଲତା ରୋପଣର ସ୍ଥାନ ତୁଲ୍ୟ କରିବା; ଆଉ, ଆମ୍ଭେ ତହିଁର ପ୍ରସ୍ତରସକଳ ଉପତ୍ୟକାରେ ପକାଇ ତହିଁର ଭିତ୍ତିମୂଳ ଅନାବୃତ କରିବା।

7 ପୁଣି, ତାହାର ଖୋଦିତ ପ୍ରତିମାସକଳ ଖଣ୍ଡ ଖଣ୍ଡ କରାଯିବ ଓ ତାହାର ବେତନସକଳ ଅଗ୍ନିରେ ଦଗ୍ଧ ହେବ, ଆଉ ଆମ୍ଭେ ତାହାର ଦେବତାସକଳକୁ ଧ୍ୱଂସ କରିବା; କାରଣ ବେଶ୍ୟାର ବେତନ ଦ୍ୱାରା ସେ ତାହା ସଞ୍ଚୟ କରିଅଛି ଓ ତାହା ପୁନର୍ବାର ବେଶ୍ୟାର ବେତନ ହୋଇଯିବ।

8 ଏଥିସକାଶୁ ଆମ୍ଭେ ବିଳାପ ଓ ହାହାକାର କରିବା, ଆମ୍ଭେ ବିବସ୍ତ୍ର ଓ ଉଲଙ୍ଗ ହୋଇ ବୁଲିବା। ଆମ୍ଭେ ଶୃଗାଳ ପରି ବିଳାପ କରିବା ଓ ଉଷ୍ଟ୍ର ପକ୍ଷୀ ପରି ଶୋକ କରିବା।

9 କାରଣ ତାହାର କ୍ଷତ ଅଚିକିତ୍ସ୍ୟ ଯେହେତୁ ତାହା ଯିହୁଦା ପର୍ଯ୍ୟନ୍ତ ଆସିଅଛି; ତାହା ଆମ୍ଭ ଲୋକମାନଙ୍କର ନଗର ଦ୍ୱାର, ଯିରୂଶାଲମ ପର୍ଯ୍ୟନ୍ତ ପହଞ୍ଚି ଅଛି।

10 ଗାଥ୍‍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବୈଥ୍‍-ଲି-ଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ।

11 ହେ ଶାଫୀର ନିବାସିନୀ, ତୁମ୍ଭେ ଉଲଙ୍ଗ ଓ ଲଜ୍ଜିତ ହୋଇ ଚାଲିଯାଅ; ସାନନ ନିବାସିନୀ ବାହାର ହୋଇ ଆସି ନାହିଁ; ବୈଥେତ୍‍ସଲର ବିଳାପ ତୁମ୍ଭମାନଙ୍କଠାରୁ ତାହାର ଅବଲମ୍ବନ ହରଣ କରିବ।

12 କାରଣ ମାରୋତ୍‍ ନିବାସିନୀ ଭାବିତା ହୋଇ ମଙ୍ଗଳର ଅପେକ୍ଷା କରଇ; ଯେହେତୁ ଯିରୂଶାଲମର ଦ୍ୱାର ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଅମଙ୍ଗଳ ଉପସ୍ଥିତ ହୋଇଅଛି।

13 ହେ ଲାଖୀଶ୍‍ ନିବାସିନୀ, ତୁମ୍ଭେ ରଥରେ ଦ୍ରୁତଗାମୀ ଅଶ୍ୱ ଯୋଚ; ସେ ସିୟୋନ-କନ୍ୟା ପ୍ରତି ଆଦ୍ୟ ପାପ ସ୍ୱରୂପ ଥିଲା; କାରଣ ଇସ୍ରାଏଲର ଆଜ୍ଞାଲଙ୍ଘନସକଳ ତୁମ୍ଭ ମଧ୍ୟରେ ଦେଖାଗଲା।

14 ଏଥିପାଇଁ ତୁମ୍ଭେ ମୋରେଷତ୍‍ ଗାଥ୍‍କୁ ବିଦାୟକାଳୀନ ଦାନ ଦେବ ଅକ୍‍ଷୀବର ଗୃହସକଳ ଇସ୍ରାଏଲର ରାଜାଗଣ ପ୍ରତି ପ୍ରବଞ୍ଚନାଜନକ ବସ୍ତୁ ତୁଲ୍ୟ ହେବ;

15 ଆହୁରି, ହେ ମାରେଶା ନିବାସିନୀ, ଯେ ତୁମ୍ଭକୁ ଅଧିକାର କରିବ, ତାହାକୁ ଆମ୍ଭେ ତୁମ୍ଭ ନିକଟକୁ ଆଣିବା; ଇସ୍ରାଏଲର ଗୌରବ ଅଦୁଲ୍ଲମକୁ ହିଁ ଆସିବ।

16 ତୁମ୍ଭେ ଆପଣାର ଆହ୍ଲାଦଜନକ ସନ୍ତାନଗଣ ନିମନ୍ତେ ମସ୍ତକ ମୁଣ୍ଡନ କର ଓ କେଶ କାଟି ପକାଅ; ଶାଗୁଣା ପରି ଆପଣାର କେଶ-ଶୂନ୍ୟତା ବୃଦ୍ଧି କର; କାରଣ ସେମାନେ ତୁମ୍ଭ ନିକଟରୁ ନିର୍ବାସିତ ହୋଇ ଯାଇଅଛନ୍ତି।