Leviticus 10 in Oriya

1 ଏଥିଉତ୍ତାରେ ହାରୋଣଙ୍କର ପୁତ୍ର ନାଦବ ଓ ଅବୀହୁ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଇ ତହିଁ ଉପରେ ଧୂପ ରଖିଲେ; ପୁଣି ସଦାପ୍ରଭୁ ଯାହା ଆଜ୍ଞା କରି ନ ଥିଲେ, ଏପରି ଭିନ୍ନ ଇତର ଅଗ୍ନି ତାହାଙ୍କ ଛାମୁରେ ଉତ୍ସର୍ଗ କଲେ।

2 ତହିଁରେ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କୁ ଗ୍ରାସ କଲା ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ।

3 ତହୁଁ ମୋଶା ହାରୋଣଙ୍କୁ କହିଲେ, “ସଦାପ୍ରଭୁ ଏହି କଥା କହିଲେ, ଯେଉଁମାନେ ଆମ୍ଭ ନିକଟକୁ ଆସନ୍ତି, ସେମାନଙ୍କ ମଧ୍ୟରେ ଆମ୍ଭେ ପବିତ୍ର ରୂପେ ମାନ୍ୟ ହେବା; ଓ ସମସ୍ତ ଲୋକଙ୍କ ସମ୍ମୁଖରେ ଆମ୍ଭେ ଗୌରବାନ୍ୱିତ ହେବା।” ତହିଁରେ ହାରୋଣ ମୌନ ହେଲେ।

4 ଏଥିଉତ୍ତାରେ ମୋଶା ହାରୋଣଙ୍କର କକା ଊଷୀୟେଲର ପୁତ୍ର ମୀଖାୟେଲକୁ ଓ ଇଲୀଷାଫନକୁ ଡାକି କହିଲେ, “ନିକଟକୁ ଆସି ଆପଣା ଭାଇମାନଙ୍କୁ ପବିତ୍ର ସ୍ଥାନର ସମ୍ମୁଖରୁ ଛାଉଣିର ବାହାରକୁ ନେଇଯାଅ।”

5 ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ନିକଟକୁ ଯାଇ ସେମାନଙ୍କୁ ପୋଷାକ ସମେତ ଛାଉଣିର ବାହାରକୁ ନେଇଗଲେ।

6 ପୁଣି, ମୋଶା ହାରୋଣଙ୍କୁ, ତାଙ୍କର ପୁତ୍ର ଇଲୀୟାସର ଓ ଈଥାମରକୁ କହିଲେ, “ତୁମ୍ଭେମାନେ ଯେପରି ନ ମର ଓ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁ ଯେପରି କ୍ରୋଧ ନ କରନ୍ତି, ଏଥିପାଇଁ ତୁମ୍ଭମାନଙ୍କ ମସ୍ତକର କେଶ ମୁକୁଳା ନ ହେଉ, କିଅବା ଆପଣା ଆପଣା ବସ୍ତ୍ର ଚିର ନାହିଁ; ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ୱଳିତ କରିଅଛନ୍ତି, ତହିଁ ସକାଶୁ ତୁମ୍ଭମାନଙ୍କର ଭ୍ରାତୃବର୍ଗ ସମୁଦାୟ ଇସ୍ରାଏଲ ବଂଶ ରୋଦନ କରନ୍ତୁ।

7 ଆଉ ତୁମ୍ଭେମାନେ ସମାଗମ-ତମ୍ବୁର ଦ୍ୱାରରୁ ବାହାରକୁ ଯିବ ନାହିଁ, ଗଲେ ମରିବ। କାରଣ ତୁମ୍ଭମାନଙ୍କ ଦେହରେ ସଦାପ୍ରଭୁଙ୍କର ଅଭିଷେକ ତୈଳ ଅଛି।” ତହିଁରେ ସେମାନେ ମୋଶାଙ୍କର ବାକ୍ୟାନୁସାରେ ସେହିପରି କଲେ।

8 ଏଥିଉତ୍ତାରେ ସଦାପ୍ରଭୁ ହାରୋଣଙ୍କୁ କହିଲେ,

9 “ତୁମ୍ଭମାନଙ୍କର ମୃତ୍ୟୁୁ ଯେପରି ନ ହୁଏ, ଏଥିପାଇଁ ଯେଉଁ ସମୟରେ ତୁମ୍ଭେମାନେ ସମାଗମ-ତମ୍ବୁରେ ପ୍ରବେଶ କରିବ, ସେହି ସମୟରେ ତୁମ୍ଭେ କି ତୁମ୍ଭ ସଙ୍ଗୀ ତୁମ୍ଭର ପୁତ୍ରଗଣ ଦ୍ରାକ୍ଷାରସ ଓ ମଦ୍ୟ ପାନ କରିବ ନାହିଁ; ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ;

10 ତହିଁରେ ତୁମ୍ଭେମାନେ ପବିତ୍ର ଓ ସାମାନ୍ୟ, ପୁଣି ଶୁଚି ଓ ଅଶୁଚି ମଧ୍ୟରେ ଭିନ୍ନତା ଜାଣିପାରିବ;

11 ପୁଣି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଇସ୍ରାଏଲ ସନ୍ତାନଗଣକୁ ଯେଉଁ ସକଳ ବିଧି ଦେଇଅଛନ୍ତି, ତାହା ସେମାନଙ୍କୁ ଶିକ୍ଷା ଦେଇ ପାରିବ।”

12 ଏଥିଉତ୍ତାରେ ମୋଶା ହାରୋଣଙ୍କୁ, ତାଙ୍କର ଅବଶିଷ୍ଟ ପୁତ୍ର ଇଲୀୟାସର ଓ ଈଥାମରଙ୍କୁ କହିଲେ, “ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାରର ଅବଶିଷ୍ଟ ଯେଉଁ ଭକ୍ଷ୍ୟ ନୈବେଦ୍ୟ, ତାହା ତୁମ୍ଭେମାନେ ନେଇ ବେଦି ନିକଟରେ ତାଡ଼ି ବିନା ଭୋଜନ କର, ଯେହେତୁ ତାହା ମହାପବିତ୍ର;

13 ଏଣୁ ତୁମ୍ଭେମାନେ କୌଣସି ପବିତ୍ର ସ୍ଥାନରେ ତାହା ଭୋଜନ କର; କାରଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ମଧ୍ୟରୁ ତାହା ହିଁ ତୁମ୍ଭର ଓ ତୁମ୍ଭ ପୁତ୍ରଗଣଙ୍କର ପ୍ରାପ୍ତବ୍ୟ ଅଂଶ; ଯେହେତୁ ଆମ୍ଭେ ଏହି ଆଜ୍ଞା ପାଇଅଛୁ।

14 ପୁଣି ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ଓ ତୁମ୍ଭ କନ୍ୟାଗଣ ଦୋଳନୀୟ ନୈବେଦ୍ୟର ବକ୍ଷ ଓ ଉତ୍ତୋଳନୀୟ ଉପହାରର ଜଙ୍ଘ କୌଣସି ଶୁଚି ସ୍ଥାନରେ ଭୋଜନ କରିବ, ଯେହେତୁ ଇସ୍ରାଏଲ ସନ୍ତାନଗଣର ମଙ୍ଗଳାର୍ଥକ ବଳି ମଧ୍ୟରୁ ତାହା ତୁମ୍ଭର ଓ ତୁମ୍ଭ ସନ୍ତାନଗଣର ପ୍ରାପ୍ତବ୍ୟ ଅଂଶ।

15 ସେମାନେ ମେଦମୟ ଅଗ୍ନିକୃତ ଉପହାର ସହିତ ଉତ୍ତୋଳନୀୟ ଉପହାରର ଜଙ୍ଘ ଓ ଦୋଳନୀୟ ନୈବେଦ୍ୟର ବକ୍ଷ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବା ନିମନ୍ତେ ଆଣିବେ; ପୁଣି ତାହା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତୁମ୍ଭର ଓ ତୁମ୍ଭ ସନ୍ତାନଗଣଙ୍କର ଅନନ୍ତକାଳୀନ ଅଧିକାର ହେବ।”

16 ଆଉ, ମୋଶା ପାପାର୍ଥକ ଛାଗର ବହୁତ ଅନ୍ୱେଷଣ କଲେ, ମାତ୍ର ଦେଖ, ତାହା ଦଗ୍ଧ ହୋଇଥିଲା; ଏଣୁ ସେ ହାରୋଣଙ୍କର ଅବଶିଷ୍ଟ ଦୁଇ ପୁତ୍ର ଇଲୀୟାସର ଓ ଈଥାମରଙ୍କ ପ୍ରତି କ୍ରୋଧ କରି କହିଲେ,

17 “ତୁମ୍ଭେମାନେ କାହିଁକି ପବିତ୍ର ସ୍ଥାନରେ ସେହି ପାପାର୍ଥକ ବଳି ଭୋଜନ କଲ ନାହିଁ ? ତାହା ତ ମହାପବିତ୍ର, ପୁଣି ମଣ୍ଡଳୀର ଅପରାଧ ବୋହି ସଦାପ୍ରଭୁଙ୍କ ଛାମୁରେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସେ ତାହା ତୁମ୍ଭମାନଙ୍କୁ ଦେଇଅଛନ୍ତି।

18 ଦେଖ, ପବିତ୍ର ସ୍ଥାନ ଭିତରକୁ ତାହାର ରକ୍ତ ଅଣାଗଲା ନାହିଁ; ଯେପରି ଆମ୍ଭେ ଆଜ୍ଞା ଦେଇଥିଲୁ, ସେପରି ତୁମ୍ଭେମାନେ ପବିତ୍ର ସ୍ଥାନରେ ତାହା ତ ଭୋଜନ କରିଥା'ନ୍ତ।”

19 ତେବେ ହାରୋଣ ମୋଶାଙ୍କୁ କହିଲେ, “ଦେଖ, ସେମାନେ ଆଜି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ପାପାର୍ଥକ ବଳି ଓ ଆପଣାମାନଙ୍କର ହୋମାର୍ଥକ ବଳି ଉତ୍ସର୍ଗ କଲେ, ତଥାପି ମୋ' ପ୍ରତି ଏପରି ଘଟିଲା; ଯେବେ ମୁଁ ଆଜି ପାପାର୍ଥକ ବଳି ଭୋଜନ କରିଥା'ନ୍ତି, ତେବେ ତାହା କି ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ ହୋଇଥା'ନ୍ତା ?”

20 ତହୁଁ ମୋଶା ତାହା ଶୁଣନ୍ତେ, ତାହା ତାଙ୍କ ଦୃଷ୍ଟିରେ ଭଲ ଦେଖାଗଲା।