Judges 18 in Oriya

1 ସେହି ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ସେତେବେଳେ ଦାନ ବଂଶ ବସତି ନିମନ୍ତେ ଅଧିକାର ଖୋଜୁଥିଲେ; କାରଣ ସେଦିନ ପର୍ଯ୍ୟନ୍ତ ଇସ୍ରାଏଲ ବଂଶ ମଧ୍ୟରେ ସେମାନଙ୍କ ଅଧିକାର ପାଇ ନ ଥିଲା।

2 ଏଣୁ ଦାନ୍‍-ସନ୍ତାନଗଣ ଆପଣାମାନଙ୍କ ସଂଖ୍ୟା ମଧ୍ୟରୁ ସ୍ୱଗୋଷ୍ଠୀୟ ପାଞ୍ଚ ଜଣ ବୀର ପୁରୁଷଙ୍କୁ ଦେଶ ଭ୍ରମଣ ଓ ଅନୁସନ୍ଧାନ କରିବାକୁ ସରୀୟ ଓ ଇଷ୍ଟାୟୋଲଠାରୁ ପଠାଇଲେ ଓ ସେମାନଙ୍କୁ କହିଲେ, ଯାଇ ଦେଶ ଅନୁସନ୍ଧାନ କର; ତହିଁରେ ସେମାନେ ଇଫ୍ରୟିମ-ପର୍ବତମୟ ଦେଶସ୍ଥିତ ମୀଖାର ଗୃହ ପର୍ଯ୍ୟନ୍ତ ଆସି ସେଠାରେ ରାତ୍ରି କ୍ଷେପଣ କଲେ।

3 ସେମାନେ ମୀଖାର ଗୃହ ନିକଟରେ ଥିବାବେଳେ ସେହି ଲେବୀୟ ଯୁବା ଲୋକର ରବ ଚିହ୍ନିଲେ; ତହୁଁ ସେମାନେ ସେଠାକୁ ଯାଇ ତାହାକୁ ପଚାରିଲେ, ତୁମ୍ଭକୁ ଏଠାକୁ କିଏ ଆଣିଲା ? ତୁମ୍ଭେ ଏଠାରେ କଅଣ କରୁଅଛ ? ଓ ତୁମ୍ଭର ଏଠାରେ କଅଣ ଅଛି ?

4 ତହିଁରେ ସେ ସେମାନଙ୍କୁ କହିଲା, ମୀଖା ମୋହର ପ୍ରତି ଏହି ଏହି ପ୍ରକାର ବ୍ୟବହାର କଲା, ସେ ମୋତେ ବେତନ ଦେଇ ନିଯୁକ୍ତ କରିଅଛି ଓ ମୁଁ ତାହାର ଯାଜକ ହୋଇଅଛି।

5 ତହୁଁ ସେମାନେ ତାହାକୁ କହିଲେ, ଆମ୍ଭେମାନେ ତୁମ୍ଭକୁ ବିନୟ କରୁଅଛୁ, ପରମେଶ୍ୱରଙ୍କ ନିକଟରେ ପଚାର, ଆମ୍ଭମାନଙ୍କ ଯିବା ବାଟରେ ମଙ୍ଗଳ ହେବ କି ନାହିଁ, ତାହା ଆମ୍ଭେମାନେ ଜାଣିବାକୁ ଚାହୁଁ।

6 ତହୁଁ ଯାଜକ ସେମାନଙ୍କୁ କହିଲା, କୁଶଳରେ ଯାଅ; ତୁମ୍ଭମାନଙ୍କ ଗନ୍ତବ୍ୟ ପଥ ସଦାପ୍ରଭୁଙ୍କ ସମ୍ମୁଖରେ ଅଛି।

7 ଏ ଉତ୍ତାରେ ସେହି ପାଞ୍ଚ ଜଣ ପ୍ରସ୍ଥାନ କରି ଲୟିଶ୍‍ରେ ଉପସ୍ଥିତ ହେଲେ, ପୁଣି ସେଠାସ୍ଥିତ ଲୋକମାନେ କି ରୂପେ ନିର୍ଭୟରେ ବାସ କରି ସୀଦୋନୀୟମାନଙ୍କ ରୀତି ଅନୁସାରେ ଶାନ୍ତ ଓ ନିର୍ଭୟ ହୋଇଅଛନ୍ତି, ଏହା ଦେଖିଲେ; କାରଣ କୌଣସି କଥାରେ ସେମାନଙ୍କୁ ଲଜ୍ଜିତ କରିବା ପାଇଁ ସେହି ଦେଶରେ କର୍ତ୍ତୃତ୍ୱବିଶିଷ୍ଟ କେହି ନ ଥିଲେ, ଆଉ ସେମାନେ ସୀଦୋନୀୟମାନଙ୍କଠାରୁ ଦୂରରେ ଥିଲେ ଓ ଅନ୍ୟ କାହାରି ସହିତ ସେମାନଙ୍କର ସମ୍ପର୍କ ନ ଥିଲା।

8 ଏଥି ଉତ୍ତାରେ ସେହି ପାଞ୍ଚ ଜଣ ସରୀୟ ଓ ଇଷ୍ଟାୟୋଲରେ ଆପଣା ଭ୍ରାତୃଗଣ ନିକଟରେ ଉପସ୍ଥିତ ହେଲେ; ତହିଁରେ ସେମାନଙ୍କର ଭ୍ରାତୃଗଣ ସେମାନଙ୍କୁ ପଚାରିଲେ, କି ବିଚାର ?

9 ତହିଁରେ ସେମାନେ କହିଲେ, ଉଠ, ସେମାନଙ୍କ ବିରୁଦ୍ଧରେ ଯିବା; କାରଣ ଆମ୍ଭେମାନେ ସେ ଦେଶ ଦେଖିଲୁ, ଦେଖ, ସେ ଦେଶ ଅତି ଉତ୍ତମ; ଆଉ ତୁମ୍ଭେମାନେ କି ତୁନି ହୋଇ ରହିଅଛ ? ସେହି ଦେଶକୁ ଯିବାକୁ ଓ ପ୍ରବେଶ କରି ତାହା ଅଧିକାର କରିବାକୁ ଆଳସ୍ୟ କର ନାହିଁ।

10 ତୁମ୍ଭେମାନେ ଗଲେ ନିର୍ଭୟରେ ଥିବା ଲୋକମାନଙ୍କୁ ପାଇବ ଓ ଦେଶ ଅତି ବିସ୍ତୃତ; ପରମେଶ୍ୱର ତାହା ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି; ସେ ସ୍ଥାନରେ ପୃଥିବୀସ୍ଥ କୌଣସି କଥାର ଅଭାବ ନାହିଁ।

11 ତହିଁରେ ସେଠାରୁ ଦାନୀୟ ଗୋଷ୍ଠୀର ଛଅ ଶହ ଲୋକ ଯୁଦ୍ଧାସ୍ତ୍ରରେ ସସଜ୍ଜ ହୋଇ ସରୀୟ ଓ ଇଷ୍ଟାୟୋଲରୁ ଯାତ୍ରା କଲେ।

12 ପୁଣି ସେମାନେ ଉଠି ଯାଇ ଯିହୁଦା-ଅନ୍ତର୍ଗତ କିରୀୟତ୍‍-ଯିୟାରୀମରେ ଛାଉଣି ସ୍ଥାପନ କଲେ; ଏହି କାରଣରୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନକୁ ମହନୀ-ଦାନ (ଦାନର ଛାଉଣି) କହନ୍ତି; ଦେଖ, ତାହା କିରୀୟତ୍‍-ଯିୟାରୀମର ପଛରେ ଅଛି।

13 ଏଥିଉତ୍ତାରେ ସେମାନେ ସେଠାରୁ ଇଫ୍ରୟିମ-ପର୍ବତମୟ ଦେଶ ଆଡ଼େ ଯାଇ ମୀଖାର ଗୃହ ପର୍ଯ୍ୟନ୍ତ ଗଲେ।

14 ସେତେବେଳେ ଯେଉଁ ପାଞ୍ଚ ଜଣ ଲୟିଶ୍‍ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନେ ଆପଣା ଭ୍ରାତୃଗଣକୁ କହିଲେ, ଏହି ଗୃହରେ ଯେ ଏକ ଏଫୋଦ ଓ ଠାକୁରମାନ, ଆଉ ଏକ ଖୋଦିତ ପ୍ରତିମା ଓ ଏକ ଢଳା ପ୍ରତିମା ଅଛି, ଏହା କ'ଣ ତୁମ୍ଭେମାନେ ଜାଣ ? ଏଣୁ ତୁମ୍ଭମାନଙ୍କର କି କର୍ତ୍ତବ୍ୟ, ତାହା ବିବେଚନା କର।

15 ତହୁଁ ସେମାନେ ସେଆଡ଼େ ଯାଇ ମୀଖାର ଗୃହରେ ସେହି ଲେବୀୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳବାର୍ତ୍ତା ପଚାରିଲେ।

16 ପୁଣି ଯୁଦ୍ଧାସ୍ତ୍ରରେ ସସଜ୍ଜ ଦାନ୍‍-ସନ୍ତାନଗଣର ସେହି ଛଅ ଶହ ପୁରୁଷ ଦ୍ୱାର ପ୍ରବେଶ ସ୍ଥାନରେ ଛିଡ଼ା ହୋଇ ରହିଲେ।

17 ଏଥିରେ ଦେଶାନୁସନ୍ଧାନ ନିମିତ୍ତ ଯାଇଥିବା ସେହି ପାଞ୍ଚ ଜଣ ଉପରକୁ ଗଲେ, ପୁଣି ତହିଁ ଭିତରକୁ ଯାଇ ଖୋଦିତ ପ୍ରତିମା ଓ ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଉଠାଇ ନେଲେ; ସେ ସମୟରେ ଯାଜକ ଦ୍ୱାର ପ୍ରବେଶ ସ୍ଥାନରେ ଯୁଦ୍ଧାସ୍ତ୍ରରେ ସସଜ୍ଜ ସେହି ଛଅ ଶହ ଲୋକ ସଙ୍ଗରେ ଛିଡ଼ା ହୋଇଥିଲା।

18 ଆଉ ସେହି ଲୋକମାନେ ମୀଖା ଗୃହକୁ ଯାଇ ଖୋଦିତ ପ୍ରତିମା, ଏଫୋଦ ଓ ଠାକୁରମାନ ଓ ଢଳା ପ୍ରତିମା ଆଣନ୍ତେ, ଯାଜକ ସେମାନଙ୍କୁ କହିଲା, ତୁମ୍ଭେମାନେ କଅଣ କରୁଅଛ ?

19 ତହିଁରେ ସେମାନେ ତାହାକୁ କହିଲେ, ତୁନି ହୁଅ, ଆପଣା ମୁହଁରେ ହାତ ଦିଅ, ଆମ୍ଭମାନଙ୍କ ସଙ୍ଗେ ଚାଲ ଓ ଆମ୍ଭମାନଙ୍କ ପିତା ଓ ଯାଜକ ହୁଅ; ଏକ ଲୋକର ଗୃହରେ ଯାଜକ ହେବା ତୁମ୍ଭର ଭଲ, କି ଇସ୍ରାଏଲୀୟ ଏକ ବଂଶ ଓ ଗୋଷ୍ଠୀର ଯାଜକ ହେବା ଭଲ ?

20 ଏଥିରେ ଯାଜକର ମନ ଆନନ୍ଦିତ ହେଲା, ତହୁଁ ସେ ଏଫୋଦ ଓ ଠାକୁରମାନ ଓ ଖୋଦିତ ପ୍ରତିମା ନେଇ ଲୋକମାନଙ୍କ ମଧ୍ୟରେ ଚାଲିଲା।

21 ଏଥି ଉତ୍ତାରେ ସେମାନେ ମୁଖ ଫେରାଇ ପ୍ରସ୍ଥାନ କଲେ, ପୁଣି ବାଳକ ଓ ପଶୁ ଓ ସାମଗ୍ରୀ ଆପଣାମାନଙ୍କ ଆଗେ ଚଳାଇଲେ।

22 ସେମାନେ ମୀଖାର ଗୃହରୁ କିଛି ଦୂର ଗଲା ଉତ୍ତାରେ ମୀଖାର ଗୃହ ନିକଟ ଗୃହବାସୀମାନେ ଦଳବଦ୍ଧ ହୋଇ ଦାନ୍‍ ସନ୍ତାନଗଣର ପଛେ ପଛେ ଗୋଡ଼ାଇଲେ।

23 ପୁଣି ଦାନ୍‍-ସନ୍ତାନଗଣକୁ ଡାକ ପକାଇଲେ। ତହୁଁ ସେମାନେ ମୁଖ ଫେରାଇ ମୀଖାକୁ କହିଲେ, ତୁମ୍ଭର କଅଣ ହେଲା ଯେ, ତୁମ୍ଭେ ଏପରି ଦଳବଦ୍ଧ ହୋଇ ଆସୁଅଛ ?

24 ତହିଁରେ ସେ କହିଲା, ମୋର ବନାଇଲା ଦେବତାମାନଙ୍କୁ, ପୁଣି ଯାଜକକୁ ତୁମ୍ଭେମାନେ ତ ନେଇ ଚାଲି ଆସିଲ, ବାକି ମୋହର ଆଉ କଅଣ ଅଛି ? ଆହୁରି କହୁଛ, ତୁମ୍ଭର କଅଣ ହେଲା ?

25 ତହିଁରେ ଦାନ୍‍-ସନ୍ତାନଗଣ ତାହାକୁ କହିଲେ, ଆମ୍ଭମାନଙ୍କ ମଧ୍ୟରେ ତୁମ୍ଭ ରବ ଶୁଣା ନ ଯାଉ, କେଜାଣି କ୍ରୋଧୀ ଲୋକେ ତୁମ୍ଭକୁ ଆକ୍ରମଣ କରିବେ, ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପରିବାରର ପ୍ରାଣ ହରାଇବ।

26 ଏ ଉତ୍ତାରେ ଦାନ୍‍-ସନ୍ତାନଗଣ ଆପଣା ପଥରେ ଗମନ କଲେ; ପୁଣି ମୀଖା ସେମାନଙ୍କୁ ଆପଣାଠାରୁ ଅଧିକ ବଳବାନ ଦେଖି, ଆପଣା ଗୃହକୁ ଫେରିଗଲା।

27 ତହୁଁ ସେମାନେ ମୀଖାର ନିର୍ମିତ ବସ୍ତୁସବୁ ଓ ତାହାର ଯାଜକକୁ ନେଇ ଲୟିଶ୍‍ରେ ସେହି ଶାନ୍ତ ଓ ନିର୍ଭୟ ହୋଇ ରହିଥିବା ଲୋକମାନଙ୍କ ନିକଟରେ ଉପସ୍ଥିତ ହେଲେ ଓ ସେମାନଙ୍କୁ ଖଡ୍ଗଧାରରେ ଆଘାତ କରି ଅଗ୍ନିରେ ନଗର ଦଗ୍‍ଧ କଲେ।

28 ପୁଣି ଉଦ୍ଧାରକର୍ତ୍ତା କେହି ନ ଥିଲା, କାରଣ ତାହା ସୀଦୋନଠାରୁ ଦୂର ଥିଲା, ଆଉ ଅନ୍ୟ କାହାରି ସଙ୍ଗେ ସେମାନଙ୍କର ସମ୍ପର୍କ ନ ଥିଲା; ଆଉ ତାହା ବୈଥ୍‍-ରହୋବ ନିକଟସ୍ଥ ତଳଭୂମିରେ ଥିଲା। ଏ ଉତ୍ତାରେ ସେମାନେ ସେହି ନଗର ନିର୍ମାଣ କରି ସେଠାରେ ବାସ କଲେ।

29 ପୁଣି ଆପଣାମାନଙ୍କ ପୂର୍ବପୁରୁଷ ଯେ ଇସ୍ରାଏଲର ପୁତ୍ର ଦାନ୍‍, ତାହାର ନାମାନୁସାରେ ସେହି ନଗରର ନାମ ଦାନ୍‍ ରଖିଲେ; ମାତ୍ର ଆଦ୍ୟରେ ସେହି ନଗରର ନାମ ଲୟିଶ୍‍ ଥିଲା।

30 ପୁଣି ଦାନ୍‍-ସନ୍ତାନଗଣ ସେହି ଖୋଦିତ ପ୍ରତିମା ଆପଣାମାନଙ୍କ ପାଇଁ ସ୍ଥାପନ କଲେ; ପୁଣି ସେହି ଦେଶୀୟ ଲୋକମାନେ ବନ୍ଦୀ ରୂପେ ଦେଶାନ୍ତରିତ ହେବାଯାଏ ମୋଶାର ପୌତ୍ର, ଗେର୍ଶୋନ୍‍ର ପୁତ୍ର ଯୋନାଥନ ଓ ତାହାର ସନ୍ତାନଗଣ ଦାନ ବଂଶର ଯାଜକ ହେଲେ।

31 ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।