Joel 1 in Oriya

1 ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।

2 ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କିଅବା ତୁମ୍ଭମାନଙ୍କର ପିତୃପୁରୁଷଗଣର ସମୟରେ କି ଏହା ଘଟିଅଛି ?

3 ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।

4 ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।

5 ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର, ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର; କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।

6 ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ୍ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ ଓ ତାହାର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ।

7 ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛି ଓ ଆମ୍ଭ ଡିମିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି; ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି; ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି।

8 ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର।

9 ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ଅନ୍ତର କରାଯାଇଅଛି; ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି।

10 କ୍ଷେତ୍ର ଉଜାଡ଼ ହୋଇଅଛି, ଦେଶ ଶୋକ କରୁଅଛି; କାରଣ ଶସ୍ୟ ଉଜାଡ଼ ହୋଇଅଛି, ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି।

11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ, ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର; କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି।

12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମିରି ବୃକ୍ଷ ମ୍ଳାନ ହେଉଅଛି; ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜୂର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ, ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି; କାରଣ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି।

13 ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର; ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର; ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର; କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ନିବୃତ୍ତ କରାଯାଇଅଛି।

14 ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ ପ୍ରାଚୀନଗଣଙ୍କୁ ଓ ଦେଶନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର।

15 ହାୟ ହାୟ ସେ ଦିନ ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ, ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ।

16 ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ ?

17 ବିହନସବୁ ଟେଳା ତଳେ ପଚି ଯାଉଅଛି; ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି; କାରଣ ଶସ୍ୟ ଶୁଷ୍କ ହୋଇଅଛି।

18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି ! ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି; ମେଷପଲ ଦଣ୍ଡ ପାଉଅଛନ୍ତି।

19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନ ସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି।

20 ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି; ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନ ସବୁ ଗ୍ରାସ କରିଅଛି।