Job 10 in Oriya

1 ମୋ' ପ୍ରାଣ ମୋ' ଜୀବନ ବିଷୟରେ କ୍ଳାନ୍ତ ହୋଇଅଛି, ମୁଁ ଆପଣା ଦୁଃଖ ସ୍ୱଚ୍ଛନ୍ଦରେ କହିବି; ମୁଁ ଆପଣା ପ୍ରାଣର ତିକ୍ତତାରେ କହିବି।

2 ମୁଁ ପରମେଶ୍ୱରଙ୍କୁ କହିବି, “ମୋତେ ଦୋଷୀ କର ନାହିଁ; କାହିଁକି ମୋ' ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ।

3 ତୁମ୍ଭେ ଯେ ଉପଦ୍ରବ କରିବ, ତୁମ୍ଭେ ଯେ ଆପଣା ହସ୍ତର କର୍ମ ତୁଚ୍ଛ କରିବ ଓ ଦୁଷ୍ଟର ମନ୍ତ୍ରଣାରେ ପ୍ରସନ୍ନ ହେବ, ଏହା କ'ଣ ତୁମ୍ଭ ପ୍ରତି ଭଲ ?

4 ତୁମ୍ଭର କ'ଣ ଚର୍ମର ଚକ୍ଷୁ ଅଛି ? ଅବା ମନୁଷ୍ୟ ଯେପରି ଦେଖେ, ତୁମ୍ଭେ କ'ଣ ସେପରି ଦେଖୁଅଛ ?

5 ତୁମ୍ଭର ଆୟୁ କ'ଣ ମନୁଷ୍ୟର ଆୟୁ ତୁଲ୍ୟ, ଅବା ତୁମ୍ଭର ବର୍ଷସମୂହ କ'ଣ ମନୁଷ୍ୟର ଦିନସମୂହ ତୁଲ୍ୟ

6 ଯେ, ତୁମ୍ଭେ ମୋହର ଅଧର୍ମ ଅନୁସନ୍ଧାନ କରୁଅଛ ଓ ମୋହର ପାପ ଅନ୍ଵେଷଣ କରୁଅଛ ?

7 ତୁମ୍ଭେ ତ ଜାଣ, ମୁଁ ଦୁଷ୍ଟ ନୁହେଁ ଓ ତୁମ୍ଭ ହସ୍ତରୁ ଉଦ୍ଧାର କରିବାକୁ କେହି ସମର୍ଥ ନୁହେଁ।

8 ତୁମ୍ଭର ହସ୍ତ ମୋତେ ଗଢ଼ିଅଛି ଓ ସର୍ବାଙ୍ଗ ସୁସଂଯୁକ୍ତ କରି ମୋତେ ନିର୍ମାଣ କରିଅଛି; ତଥାପି ତୁମ୍ଭେ ମୋତେ ସଂହାର କରୁଅଛ।

9 ମୁଁ ବିନୟ କରୁଅଛି, ସ୍ମରଣ କର, ତୁମ୍ଭେ ମୋତେ ମୃତ୍ତିକା ତୁଲ୍ୟ ଗଢ଼ିଅଛ ଓ ତୁମ୍ଭେ କ'ଣ ମୋତେ ପୁନର୍ବାର ଧୂଳି କରିବ ?

10 ତୁମ୍ଭେ କ'ଣ ଦୁଗ୍‍ଧ ନ୍ୟାୟ ମୋତେ ଢାଳି ନାହଁ ଓ ଛେନା ତୁଲ୍ୟ ମୋତେ ଶକ୍ତ କରି ନାହଁ ?

11 ତୁମ୍ଭେ ମୋତେ ଚର୍ମ ଓ ମାଂସରେ ବସ୍ତ୍ରାନ୍ୱିତ କରିଅଛ, ପୁଣି ଅସ୍ଥି ଓ ଶିରାରେ ମୋତେ ଏକତ୍ର ବୁଣିଅଛ।

12 ତୁମ୍ଭେ ମୋତେ ଜୀବନ ଓ ଅନୁଗ୍ରହ ଦାନ କରିଅଛ ଓ ତୁମ୍ଭର ତତ୍ତ୍ୱାବଧାରଣ ମୋର ଆତ୍ମାକୁ ରକ୍ଷା କରିଅଛି।

13 ତଥାପି ତୁମ୍ଭେ ଏହିସବୁ ବିଷୟ ଆପଣା ମନରେ ଗୁପ୍ତ କରି ରଖିଅଛ; ମୁଁ ଜାଣେ, ଏହା ହିଁ ତୁମ୍ଭର ବିଚାର;

14 ମୁଁ ପାପ କଲେ, ତୁମ୍ଭେ ମୋତେ ଲକ୍ଷ୍ୟ କରୁଅଛ ଓ ତୁମ୍ଭେ ମୋର ଅଧର୍ମରୁ ମୋତେ ମୁକ୍ତ କରିବ ନାହିଁ।

15 ମୁଁ ଦୁଷ୍ଟ ହେଲେ, ମୋର ସନ୍ତାପ ହେବ, ପୁଣି ମୁଁ ଧାର୍ମିକ ହେଲେ ହେଁ ଅବମାନନାରେ ପୂର୍ଣ୍ଣ ହେବାରୁ ଓ ଆପଣା କ୍ଳେଶ ପ୍ରତି ଅନାଇବାରୁ ଆପଣା ମସ୍ତକ ଟେକି ପାରୁ ନାହିଁ।

16 ମାତ୍ର ମୋର ମସ୍ତକ ଆପେ ଟେକି ହେଲେ, ତୁମ୍ଭେ ସିଂହ ପରି ମୋତେ ମୃଗୟା କରୁଅଛ ଓ ତୁମ୍ଭେ ପୁନର୍ବାର ମୋ' ପ୍ରତି ଆପଣାକୁ ଅଦ୍ଭୁତ ଦେଖାଉଅଛ।

17 ତୁମ୍ଭେ ମୋ' ବିରୁଦ୍ଧରେ ନୂଆ ନୂଆ ସାକ୍ଷୀ ଆଣୁଅଛ ଓ ତୁମ୍ଭେ ମୋ' ଉପରେ ଆପଣା କ୍ରୋଧ ବୃଦ୍ଧି କରୁଅଛ; ନୂତନ ନୂତନ ସୈନ୍ୟଦଳ ମୋହର ପ୍ରତିକୂଳ।

18 ତେବେ ତୁମ୍ଭେ କାହିଁକି ମୋତେ ଗର୍ଭରୁ ବାହାର କରି ଆଣିଅଛ ? ମୁଁ ପ୍ରାଣତ୍ୟାଗ କରିଥା'ନ୍ତି ଓ କୌଣସି ଚକ୍ଷୁ ମୋତେ ଦେଖି ନ ଥା'ନ୍ତା,

19 ମୁଁ ଅଜାତର ତୁଲ୍ୟ ହୋଇଥା'ନ୍ତି; ମୁଁ ଗର୍ଭରୁ କବରକୁ ଘେନା ଯାଇଥା'ନ୍ତି।

20 ମୋହର ଦିନ କ'ଣ ଅଳ୍ପ ନୁହେଁ ? ତେବେ କ୍ଷାନ୍ତ ହୁଅ,

21 ମୋତେ ଛାଡ଼ି ଦିଅ, ତହିଁରେ ମୁଁ ଯେଉଁ ସ୍ଥାନରୁ ଫେରି ଆସିବି ନାହିଁ, ଏପରି ଅନ୍ଧକାର ଓ ମୃତ୍ୟୁୁଚ୍ଛାୟାରୂପ ଦେଶକୁ ଯିବା ପୂର୍ବେ ମୁଁ କ୍ଷଣକାଳ ସାନ୍ତ୍ୱନା ପାଇବି;

22 ସେ ଦେଶ ଅନ୍ଧକାର ତୁଲ୍ୟ ନିବିଡ଼ ଅନ୍ଧକାରମୟ; ସେ ଦେଶ ମୃତ୍ୟୁୁଚ୍ଛାୟାମୟ, ସୁଧାରାବିହୀନ ଓ ସେଠାରେ ଦୀପ୍ତି ଅନ୍ଧକାରର ସମାନ।”