Jeremiah 6 in Oriya

1 ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୂଶାଲମ ମଧ୍ୟରୁ ପଳାୟନ କର, ତକୋୟ (ନଗର) ରେ ତୂରୀ ବଜାଅ ଓ ବୈଥ୍‍-ହକେରମରେ ଧ୍ୱଜା ଟେକ; କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ନିରୀକ୍ଷଣ କରୁଅଛି।

2 ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟାକୁ ଆମ୍ଭେ ସଂହାର କରିବା।

3 ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗେ ନେଇ ତାହା ନିକଟକୁ ଆସିବେ; ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣା ଆପଣା ତମ୍ବୁ ସ୍ଥାପନ କରିବେ; ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ପଲ ଚରାଇବେ।

4 ତୁମ୍ଭେମାନେ ତାହା ବିରୁଦ୍ଧରେ ଯୁଦ୍ଧ ଆୟୋଜନ କର; ଉଠ, ଆମ୍ଭେମାନେ ମଧ୍ୟାହ୍ନ କାଳରେ ଯାତ୍ରା କରୁ, ହାୟ ହାୟ, କାରଣ ଦିନ ଅବସାନ ହେଉଅଛି, ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।

5 ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ଓ ତାହାର ଅଟ୍ଟାଳିକାସବୁ ବିନାଶ କରୁ।

6 କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, “ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ; ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।

7 ଯେପରି ନିର୍ଝର ଜଳ ନିର୍ଗତ କରେ, ସେପରି ସେ ଆପଣା ଦୁଷ୍ଟତା ନିର୍ଗତ କରେ; ତାହା ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ; ପୁଣି, ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।

8 ହେ ଯିରୂଶାଲମ, ତୁମ୍ଭେ ଶିକ୍ଷା ଗ୍ରହଣ କର, ନୋହିଲେ ଆମ୍ଭର ପ୍ରାଣ ତୁମ୍ଭଠାରୁ ବିଛିନ୍ନ ହେବ ଓ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ, ବସତିହୀନ ସ୍ଥାନ କରିବା।”

9 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, “ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ; ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀ ସଦୃଶ୍ୟ ବାରମ୍ବାର ଆପଣା ହସ୍ତ ଟୋକାଇରେ ଦିଅ।”

10 ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି ଓ କାହାକୁ ସାକ୍ଷ୍ୟ ଦେବି ? ଦେଖ, ସେମାନଙ୍କର କର୍ଣ୍ଣ ଅସୁନ୍ନତ ଓ ସେମାନେ ଶୁଣି ପାରନ୍ତି ନାହିଁ; ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି; ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ।

11 ଏହେତୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି; ମୁଁ ତାହା ସମ୍ଭାଳି ରଖିବାରେ କ୍ଳାନ୍ତ ହୋଇଅଛି; ସଡ଼କରେ ବାଳକମାନଙ୍କ ଉପରେ ଓ ଯୁବାମାନଙ୍କ ସଭାରେ ତାହା ଏକାବେଳେ ଢାଳି ପକାଅ; କାରଣ ସ୍ୱାମୀ ଓ ଭାର୍ଯ୍ୟା ବୃଦ୍ଧ ଜରାଗ୍ରସ୍ତ ସମସ୍ତେ ଧରାଯିବେ।

12 ପୁଣି, ସେମାନଙ୍କର ଗୃହ ଓ ସେମାନଙ୍କର କ୍ଷେତ୍ର ଓ ସେମାନଙ୍କର ଭାର୍ଯ୍ୟା ଏକାବେଳେ ଅନ୍ୟମାନଙ୍କର ହେବ; କାରଣ ସଦାପ୍ରଭୁ କହନ୍ତି, “ଆମ୍ଭେ ଦେଶନିବାସୀମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କରିବା।

13 ଯେହେତୁ ସେମାନଙ୍କର କ୍ଷୁଦ୍ର ଠାରୁ ଅତ୍ୟନ୍ତ ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ; ପୁଣି ଭବିଷ୍ୟଦ୍‍ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି।

14 ଆହୁରି, ଶାନ୍ତି ନ ଥିଲେ ହେଁ ସେମାନେ “ଶାନ୍ତି ଶାନ୍ତି' ବୋଲି କହି ଆମ୍ଭ ଲୋକମାନଙ୍କ କ୍ଷତ ହାଲୁକା ଭାବରେ ସୁସ୍ଥ କରିଅଛନ୍ତି।”

15 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।”

16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆ ହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ ? ଓ ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ;” ମାତ୍ର ସେମାନେ କହିଲେ, “ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ।”

17 ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପ୍ରହରୀଗଣ ନିଯୁକ୍ତ କରି କହିଲୁ, ‘ତୂରୀର ଶବ୍ଦ ଶୁଣ;' ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବା ନାହିଁ।'

18 ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ଡଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ।

19 ହେ ପୃଥିବୀ, ଶୁଣ; ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍‍, ସେମାନଙ୍କ କଳ୍ପନାସମୂହର ଫଳ ବର୍ତ୍ତାଇବା, କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରି ନାହାନ୍ତି ଓ ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି।

20 ଶିବା ଦେଶରୁ କୁନ୍ଦୁରୁ ଓ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ ? ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ, କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।

21 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ଥୋଇବା; ତଦ୍ଦ୍ୱାରା ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗେ ଝୁଣ୍ଟି ପଡ଼ିବେ; ପ୍ରତିବାସୀ ଓ ତାହାର ମିତ୍ର ବିନଷ୍ଟ ହେବେ।”

22 ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ।

23 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଓ ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜନ କରେ ଓ ସେମାନେ ଅଶ୍ୱାରୋହଣ କରନ୍ତି; ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି।”

24 ଆମ୍ଭେମାନେ ସେ ବିଷୟର ଜନରବ ଶୁଣିଅଛୁ; ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରିଅଛି।

25 ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ଅଛି।

26 ଆଗୋ ମୋର ଲୋକମାନଙ୍କର କନ୍ୟେ, ତୁମ୍ଭେ ଚଟ ପିନ୍ଧ, ଭସ୍ମରେ ଗଡ଼; ଅଦ୍ୱିତୀୟ ପୁତ୍ର ଲାଗି ଶୋକ ତୁଲ୍ୟ ତୁମ୍ଭେ ଶୋକ ଓ ଅତିଶୟ ବିଳାପ କର; କାରଣ ବିନାଶକ ଅକସ୍ମାତ୍‍ ଆମ୍ଭମାନଙ୍କୁ ଆକ୍ରମଣ କରିବ।

27 ତୁମ୍ଭେ ଯେପରି ଆମ୍ଭ ଲୋକମାନଙ୍କର ପଥ ଜ୍ଞାତ ହୋଇ ପରୀକ୍ଷା କରି ପାରିବ, ଏଥିପାଇଁ ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭକୁ ଏକ ଉଚ୍ଚ ଗୃହ ଓ ଦୁର୍ଗସ୍ୱରୂପ କରିଅଛୁ।

28 ସେସମସ୍ତେ ଦାରୁଣ ଅବାଧ୍ୟ, ଚାରିଆଡ଼େ ନିନ୍ଦା ଘେନି ବୁଲନ୍ତି; ସେମାନେ ପିତ୍ତଳ ଓ ଲୁହା ପରି; ସେସମସ୍ତେ ଭ୍ରଷ୍ଟାଚାରୀ।

29 ଭାଟି ପ୍ରଚଣ୍ଡ ରୂପେ ତାତୁଛି; ସୀସା ଅଗ୍ନିରେ କ୍ଷୟ ପାଇଅଛି; ସେମାନେ ବୃଥାରେ ଖାଦ ବାହାର କରିବା କାର୍ଯ୍ୟରେ ଲାଗିଅଛନ୍ତି; କାରଣ ଦୁଷ୍ଟମାନେ ଉତ୍ପାଟିତ ହେଉ ନାହାନ୍ତି।

30 ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ।