Jeremiah 43 in Oriya

1 ଏଥିଉତ୍ତାରେ ଯିରିମୀୟ ଏହିସବୁ କଥା, ଅର୍ଥାତ୍‍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ,

2 ହୋଶୋୟୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍‍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, “ତୁମ୍ଭେ ମିଥ୍ୟା କଥା କହୁଅଛ; ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏକଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ତୁମ୍ଭକୁ ପଠାଇ ନାହାନ୍ତି;

3 ମାତ୍ର କଲ୍‍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି।”

4 ଏହିରୂପେ କାରେହର ପୁତ୍ର ଯୋହାନନ୍‍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

5 ମାତ୍ର କାରେହର ପୁତ୍ର ଯୋହାନନ୍‍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍‍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ,

6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟାଗଣକୁ ଓ ଯେ ପ୍ରତ୍ୟେକ ଲୋକକୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ,

7 ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍‍ହେଷର ପର୍ଯ୍ୟନ୍ତ ଗଲେ।

8 ଏଥିଉତ୍ତାରେ ତଫନ୍‍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,

9 “ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍‍ହେଷରରେ ଫାରୋ ଗୃହର ପ୍ରବେଶ ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ;

10 ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ।

11 ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁୁଯୋଗ୍ୟ ଲୋକଙ୍କୁ ମୃତ୍ୟୁୁରେ, ବନ୍ଦୀତ୍ୱର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ୱରେ ଓ ଖଡ୍ଗଯୋଗ୍ୟ ଲୋକଙ୍କୁ ଖଡ୍ଗରେ ସମର୍ପଣ କରିବ।

12 ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ପିନ୍ଧେ, ସେପରି ସେ ମିସର ଦେଶ ଦ୍ୱାରା ଆପଣାକୁ ସଜ୍ଜିତ କରିବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ।

13 ଆହୁରି, ସେ ମିସର ଦେଶସ୍ଥ ବୈଥ୍‍-ଶେମଶର ସ୍ତମ୍ଭସକଳ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍‍ଧ କରିବ।'”