Isaiah 6 in Oriya

1 ଉଷିୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା।

2 ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ।

3 ଆଉ, ସେମାନେ ପରସ୍ପର ଡାକି କହିଲେ, “ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।”

4 ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ଗୃହ ଧୂମରେ ପରିପୂର୍ଣ୍ଣ ହେଲା।

5 ତେବେ ମୁଁ କହିଲି, “ହାୟ ହାୟ ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି !”

6 ଏଥିଉତ୍ତାରେ ସେହି ସରାଫଗଣ ମଧ୍ୟରୁ ଏକ ଜଣ ମୋ' ନିକଟକୁ ଉଡ଼ି ଆସିଲେ, ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା, ସେ ଯଜ୍ଞବେଦିରୁ ଚିମୁଟା ଦ୍ୱାରା ତାହା ନେଇ ଥିଲେ;

7 ପୁଣି, ସେ ତଦ୍ଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, “ଦେଖ, ଏହା ତୁମ୍ଭ ଓଷ୍ଠାଧରକୁ ସ୍ପର୍ଶ କରିଅଛି; ଏଣୁ ତୁମ୍ଭର ଅପରାଧ ଦୂରୀକୃତ ହେଲା ଓ ତୁମ୍ଭର ପାପ ମୋଚନ ହେଲା।”

8 ଏଥିଉତ୍ତାରେ “ମୁଁ କାହାକୁ ପଠାଇବି ? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।”

9 ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ, ତୁମ୍ଭେମାନେ ଶୁଣୁଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।

10 ଏହି ଲୋକମାନେ ଆପଣା ଆପଣା ଚକ୍ଷୁରେ ଦେଖି ଓ କର୍ଣ୍ଣରେ ଶୁଣି ଓ ଅନ୍ତଃକରଣରେ ବୁଝି ମନ ଫେରାଇ ଯେପରି ସୁସ୍ଥ ନ ହୁଅନ୍ତି, ଏଥିପାଇଁ ତୁମ୍ଭେ ସେମାନଙ୍କ ଅନ୍ତଃକରଣ ସ୍ଥୂଳ କର ଓ ସେମାନଙ୍କ କର୍ଣ୍ଣ ଭାରୀ କର ଓ ସେମାନଙ୍କ ଚକ୍ଷୁ ମୁଦି ଦିଅ।”

11 ତେବେ ମୁଁ କହିଲି, “ହେ ପ୍ରଭୁ, କେତେ କାଳ ଯାଏ ?” ତହିଁରେ ସେ ଉତ୍ତର କଲେ, ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନ ଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ,

12 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ।

13 ଆଉ, ଯଦିବା ତହିଁରେ ଦଶମାଂଶ ରହେ, ତଥାପି ତାହା ପୁନର୍ବାର ବିନଷ୍ଟ ହେବ; ଏଲା ଓ ଅଲୋନ୍‍ ବୃକ୍ଷ ହଣା ଗଲେ ହେଁ ଯେପରି ତାହାର ଗଣ୍ଡି ରହେ; ସେହିପରି ସେହି ପବିତ୍ର ବଂଶ ଏହି ଗୋଷ୍ଠୀର ଗଣ୍ଡିସ୍ୱରୂପ ଅଟେ।