Isaiah 39 in Oriya

1 ସେହି ସମୟରେ ବଲ୍‍ଦନ୍‍ର ପୁତ୍ର ବାବିଲର ରାଜା ମରୋଦକ୍‍-ବଲ୍‍ଦନ୍‍ ହିଜକୀୟ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ତାହାର ପୀଡ଼ିତ ହେବାର ଓ ସୁସ୍ଥ ହେବାର ସମ୍ବାଦ ସେ ଶୁଣିଥିଲା।

2 ତହିଁରେ ହିଜକୀୟ ସେମାନଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣାର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିଦ୍ରବ୍ୟ, ବହୁମୂଲ୍ୟ ତୈଳ ଓ ଆପଣା ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲା; ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲା, ଏପରି କୌଣସି ଦ୍ରବ୍ୟ ତାହାର ଗୃହରେ କିମ୍ବା ତାହାର ସମୁଦାୟ ରାଜ୍ୟରେ ନ ଥିଲା।

3 ସେତେବେଳେ ଯିଶାଇୟ ଭବିଷ୍ୟଦ୍‍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, “ଏହି ଲୋକମାନେ କଅଣ କହିଲେ ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ ?” ତହିଁରେ ହିଜକୀୟ କହିଲା, “ସେମାନେ ଦୂର ଦେଶ ବାବିଲରୁ ମୋ' ନିକଟକୁ ଆସିଅଛନ୍ତି।”

4 ଏଥିରେ ସେ ପଚାରିଲେ, “ସେମାନେ ତୁମ୍ଭ ଗୃହରେ କଅଣ ଦେଖିଅଛନ୍ତି ?” ତହୁଁ ହିଜକୀୟ ଉତ୍ତର କଲା, “ମୋ' ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ଦେଖାଇଲି ନାହିଁ, ଏପରି କୌଣସି ପଦାର୍ଥ ମୋ' ଭଣ୍ଡାରସମୂହରେ ନାହିଁ।”

5 ଏଥିରେ ଯିଶାଇୟ ହିଜକୀୟକୁ କହିଲେ, “ସୈନ୍ୟାଧିପତି ସଦାପ୍ରଭୁଙ୍କର ବାକ୍ୟ ଶୁଣ।

6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ା ଯିବ ନାହିଁ।

7 ଆଉ, ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ।”

8 ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲା, “ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ।” ସେ ଆହୁରି କହିଲା, “କାରଣ ମୋ' ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ।”