Isaiah 21 in Oriya

1 ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି।

2 ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି।

3 ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ।

4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉ ଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋ' ପ୍ରତି ଥରହରର କାରଣ ହୋଇଅଛି।

5 ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର।

6 କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, “ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ;

7 ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”

8 ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, “ହେ ପ୍ରଭୁ, ମୁଁ ଦିନବେଳେ ନିରନ୍ତର ପ୍ରହରୀଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,”

9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।”

10 ହେ ମୋହର ମର୍ଦ୍ଦିତ ଓ ମୋ' ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି।

11 ଦୁମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା ? ପ୍ରହରୀ, କେତେ ରାତ୍ର ହେଲା ?”

12 ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।”

13 ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ।

14 ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ଟେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ।

15 କାରଣ ସେମାନେ ଖଡ଼୍‍ଗରୁ, ନିଷ୍କୋଷ ଖଡ଼୍‍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।

16 ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦରର ସକଳ ପ୍ରତାପ ଲୁପ୍ତ ହେବ;

17 ଆଉ, କେଦର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।