Hosea 13 in Oriya

1 ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍‍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।

2 ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍‍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।

3 ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।

4 ତଥାପି ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ ଓ ତୁମ୍ଭେ ଆମ୍ଭ ଛଡ଼ା ଆଉ କାହାକୁ ପରମେଶ୍ୱର ବୋଲି ଜାଣିବ ନାହିଁ ଓ ଆମ୍ଭ ବ୍ୟତୀତ ଅନ୍ୟ ତ୍ରାଣକର୍ତ୍ତା ନାହିଁ।

5 ଆମ୍ଭେ ପ୍ରାନ୍ତରରେ ଓ ମହାମରୁଭୂମିରେ ତୁମ୍ଭକୁ ଜାଣିଲୁ।

6 ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରି ଅଛନ୍ତି।

7 ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;

8 ଆମ୍ଭେ ଛୁଆହରା ଭଲ୍ଲୁକୀ ପରି ସେମାନଙ୍କୁ ହାବୁଡ଼ିବା ଓ ସେମାନଙ୍କର ବକ୍ଷକୁ ବିଦୀର୍ଣ୍ଣ କରିବା; ଆଉ, ସିଂହ ନ୍ୟାୟ ଆମ୍ଭେ ସେଠାରେ ସେମାନଙ୍କୁ ଗ୍ରାସ କରିବା; ବନ୍ୟ ପଶୁ ସେମାନଙ୍କୁ ବିଦୀର୍ଣ୍ଣ କରିବ।

9 ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ, ତୁମ୍ଭ ସହାୟର ବିପକ୍ଷ ହୋଇଅଛ, ଏହା ତୁମ୍ଭର ସର୍ବନାଶର କାରଣ।

10 ତୁମ୍ଭର ନଗରସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ ? ମୋତେ ରାଜା ଓ ଅଧିପତିଗଣ ଦିଅ ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ, ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି ?

11 ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।

12 ଇଫ୍ରୟିମର ଅଧର୍ମ ବନ୍ଧା ଯାଇଅଛି; ତାହାର ପାପ ସଞ୍ଚିତ ହୋଇଅଛି।

13 ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ; ସେ ଅଜ୍ଞାନ ଶିଶୁ; କାରଣ ଶିଶୁମାନଙ୍କର ପ୍ରସବ ଦ୍ୱାରରେ ତାହାର ବିଳମ୍ବ କରି ରହିବାର ଉଚିତ୍ ନୁହେଁ।

14 ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା; ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା; ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ ? ହେ ପାତାଳ, ତୁମ୍ଭର ସଂହାର କାହିଁ ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ।

15 ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।

16 ଶମରୀୟା ଆପଣା ଦୋଷର ଫଳ ଭୋଗ କରିବ; କାରଣ ସେ ଆପଣା ପରମେଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି; ସେମାନେ ଖଡ୍ଗରେ ପତିତ ହେବେ; ସେମାନଙ୍କର ଶିଶୁମାନେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେବେ; ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନେ ଚିରାଯିବେ।