Hosea 1 in Oriya

1 ଯିହୁଦାର ରାଜାଗଣ ଉଷୀୟ, ଯୋଥମ, ଆହସ୍‌ ଓ ହିଜକୀୟର ରାଜତ୍ୱ ସମୟରେ ଯୋୟାସର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା।

2 ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, “ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରିଅଛି।”

3 ତହିଁରେ ସେ ଯାଇ ଦିବ୍‍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା।

4 ତହୁଁ ସଦାପ୍ରଭୁ ତାହାଙ୍କୁ କହିଲେ, “ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ ସମୟ ପରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ପ୍ରତିଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା।

5 ପୁଣି, ସେହି ସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ ଇସ୍ରାଏଲର ଧନୁ ଭଗ୍ନ କରିବା।”

6 ଆଉ, ଗୋମର ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା। ଆଉ, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ରୁହାମା (ଅଦୟା ପାତ୍ରୀ) ରଖ; କାରଣ ଆମ୍ଭେ କୌଣସି ପ୍ରକାରେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ।

7 ମାତ୍ର ଆମ୍ଭେ ଯିହୁଦା ବଂଶ ପ୍ରତି ଦୟା କରିବା ଓ ଧନୁ, ଖଡ୍ଗ, ଯୁଦ୍ଧ କି ଅଶ୍ୱଗଣ କିଅବା ଅଶ୍ୱାରୋହୀଗଣ ଦ୍ୱାରା ସେମାନଙ୍କୁ ଉଦ୍ଧାର ନ କରି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଉଦ୍ଧାର କରିବା।”

8 ସେହି ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା।

9 ତହିଁରେ ସଦାପ୍ରଭୁ କହିଲେ, “ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ; କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା ନାହିଁ।”

10 ତଥାପି ଇସ୍ରାଏଲ ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, “ତୁମ୍ଭେମାନେ ଆମ୍ଭର ଲୋକ ନୁହଁ” ବୋଲି କୁହା ଯାଇଥିଲା, ସେହି ସ୍ଥଳରେ ସେମାନଙ୍କୁ କୁହାଯିବ ଯେ, “ତୁମ୍ଭେମାନେ ଜୀବିତ ପରମେଶ୍ୱରଙ୍କର ସନ୍ତାନଗଣ ଅଟ।”

11 ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ; କାରଣ ଯିଷ୍ରିୟେଲର ଦିନ ମହତ୍ ଦିନ ହେବ।