Galatians 3 in Oriya

1 ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା ? ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ ତ କ୍ରୁଶରେ ହତ ଯୀଶୁଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା।

2 ମୁଁ ତୁମ୍ଭମାନଙ୍କଠାରୁ କେବଳ ଏହା ଜାଣିବାକୁ ଇଚ୍ଛା କରେ, ତୁମ୍ଭେମାନେ କ'ଣ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ନା ବିଶ୍ୱାସରେ ଶୁଣିବା ହେତୁ ଆତ୍ମା ପାଇଥିଲ ?

3 ତୁମ୍ଭେମାନେ କ'ଣ ଏପରି ନିର୍ବୋଧ ? ଆତ୍ମାରେ ଆରମ୍ଭ କରି ତୁମ୍ଭେମାନେ କି ଏବେ ଶରୀରରେ ସିଦ୍ଧ ହେବାକୁ ଯାଉଅଛ ?

4 ତୁମ୍ଭେମାନେ କି ବ୍ୟର୍ଥରେ ଏତେ କ୍ଳେଶଭୋଗ କରିଅଛ ? ତାହା କ'ଣ ପ୍ରକୃତରେ ବୃଥା ?

5 ଅତଏବ, ଯେ ତୁମ୍ଭମାନଙ୍କୁ ଆତ୍ମା ଦାନ କରନ୍ତି, ଆଉ ତୁମ୍ଭମାନଙ୍କ ମଧ୍ୟରେ ମହତର କାର୍ଯ୍ୟ ସାଧନ କରନ୍ତି, ସେ କି ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ ହେତୁ ତାହା କରନ୍ତି ନା ବିଶ୍ୱାସରେ ଶୁଣିବା ହେତୁ କରନ୍ତି ?

6 ଯେପରି ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।

7 ଅତଏବ ଯେଉଁମାନେ ବିଶ୍ୱାସୀ, ସେମାନେ ଅବ୍ରାହାମଙ୍କର ସନ୍ତାନ।

8 ଆଉ ଈଶ୍ୱର ଅଣଯିହୂଦୀମାନଙ୍କୁ ବିଶ୍ୱାସ ହେତୁ ଧାର୍ମିକ ଗଣନା କରିବେ, ଏହା ଧର୍ମଶାସ୍ତ୍ର ପୂର୍ବରୁ ଦେଖି ଅବ୍ରାହାମଙ୍କ ନିକଟରେ ସୁସମାଚାର ପ୍ରଚାର କରି କହିଲା, “ତୁମ୍ଭ ଦେଇ ସମସ୍ତ ଜାତି ଆଶୀର୍ବାଦ ପ୍ରାପ୍ତ ହେବେ।”

9 ଏଣୁ ଯେଉଁମାନେ ବିଶ୍ୱାସୀ, ସେମାନେ ବିଶ୍ବାସର ପୁରୁଷ ଅବ୍ରାହାମଙ୍କ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।

10 କାରଣ ଯେତେ ଲୋକ ମୋଶାଙ୍କ ବ୍ୟବସ୍ଥାର କ୍ରିୟାକର୍ମ କରନ୍ତି, ସେମାନେ ଶାପଗ୍ରସ୍ତ, ଯେଣୁ ଲେଖା ଅଛି, “ଯେ କେହି ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଲିଖିତ ସମସ୍ତ କଥା ପାଳନ କରିବା ପାଇଁ ସେଥିରେ ନିତ୍ୟ ପ୍ରବୃତ୍ତ ନ ହୁଏ, ସେ ଶ୍ରାପଗ୍ରସ୍ତ।”

11 ମୋଶାଙ୍କ ବ୍ୟବସ୍ଥା ଦ୍ୱାରା କେହି ଯେ ଇଶ୍ବରଙ୍କ ସାକ୍ଷାତରେ ଧାର୍ମିକ ଗଣିତ ହୁଏ ନାହିଁ, ଏହା ତ ସ୍ପଷ୍ଟ, “କାରଣ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”

12 ଆଉ ବିଶ୍ୱାସ ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ନୁହେଁ; ମୋଶାଙ୍କ ବ୍ୟବସ୍ଥାର ମୂଳ ବିଷୟ ଏହି, ଯେ ଏହି ସବୁ ପାଳନ କରେ, ସେ ସେଥିରେ ବଞ୍ଚିବ।

13 ଯୀଶୁଖ୍ରୀଷ୍ଟଙ୍କ ହେତୁ ଅବ୍ରାହାମଙ୍କର ଆଶୀର୍ବାଦ ଯେପରି ଅଣଯିହୂଦୀମାନଙ୍କ ପ୍ରତିବର୍ତ୍ତେ, ପୁଣି, ଆମ୍ଭେମାନେ ଯେପରି ବିଶ୍ୱାସ ହେତୁ ପ୍ରତିଜ୍ଞାତ ଆତ୍ମା ପ୍ରାପ୍ତ ହେଉ,

14 ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ମୋଶାଙ୍କ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ; କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ, ସେ ଅଭିଶପ୍ତ।

15 ହେ ଭାଇମାନେ, ମୁଁ ମନୁଷ୍ୟ ଭାବରେ କହୁଅଛି; ଚୁକ୍ତି ମନୁଷ୍ୟ ଦ୍ୱାରା କରାଗଲେ ସୁଦ୍ଧା ଯେତେବେଳେ ତାହା ସ୍ଥିରୀକୃତ ହୁଏ, ସେତେବେଳେ କେହି ତାହା ଅନ୍ୟଥା କରି ପାରେ ନାହିଁ ବା ସେଥିରେ କିଛି ଯୋଗ କରି ପାରେ ନାହିଁ।

16 ଅବ୍ରାହାମ ଓ ତାହାଙ୍କ ସନ୍ତାନ ପ୍ରତି ପ୍ରତିଜ୍ଞାସମୂହ ଉକ୍ତ ହୋଇଥିଲା। ଅନେକଙ୍କୁ ଲକ୍ଷ୍ୟ କରି ସନ୍ତାନମାନଙ୍କୁ ବୋଲି କୁହାଯାଏ ନାହିଁ, କିନ୍ତୁ ଜଣଙ୍କୁ ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ତୁମ୍ଭର ସନ୍ତାନକୁ ବୋଲି କୁହାଯାଏ।

17 ମୋହର ଭାବ ଏହି, ଯେଉଁ ନିୟମ ଇଶ୍ବରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶି ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ୱାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ।

18 କାରଣ ଅଧିକାର ଯଦି ମୋଶାଙ୍କ ବ୍ୟବସ୍ଥାମୂଳକ ହୁଏ, ତେବେ ତାହା ଆଉ ପ୍ରତିଜ୍ଞାମୂଳକ ନୁହେଁ; କିନ୍ତୁ ଈଶ୍ୱର ପ୍ରତିଜ୍ଞା ଦ୍ୱାରା ଅବ୍ରାହାମଙ୍କୁ ତାହା ଦାନ କରିଅଛନ୍ତି।

19 ତେବେ ମୋଶାଙ୍କ ବ୍ୟବସ୍ଥା କାହିଁକି ଦିଆଗଲା ? ଯେଉଁ ସନ୍ତାନଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ ତାହା ଆଜ୍ଞାଲଙ୍ଘନ ହେତୁ ଯୋଗ କରାଗଲା, ପୁଣି, ତାହା ଦୂତମାନଙ୍କ ଦ୍ୱାରା ଜଣେ ମଧ୍ୟସ୍ଥଙ୍କ ହସ୍ତରେ ସ୍ଥାପିତ ହୋଇଥିଲା।

20 ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି, କିନ୍ତୁ ଈଶ୍ୱର ଏକ।

21 ତେବେ ମୋଶାଙ୍କ ବ୍ୟବସ୍ଥା କି ଇଶ୍ବରଙ୍କ ପ୍ରତିଜ୍ଞାସମୂହର ବିରୁଦ୍ଧ ? ତାହା କେବେ ହେଁ ନ ହେଉ; କାରଣ ଯଦି ଜୀବନ ଦେବାକୁ ସମର୍ଥ ଏପରି ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥାନ୍ତା, ତେବେ ଧାର୍ମିକତା ପ୍ରକୃତରେ ମୋଶାଙ୍କ ବ୍ୟବସ୍ଥାମୂଳକ ହୁଅନ୍ତା।

22 କିନ୍ତୁ ଯେପରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେତୁ ପ୍ରତିଜ୍ଞା ବିଶ୍ୱାସ କରୁଥିବା ଲୋକମାନଙ୍କୁ ଦିଆଯାଏ, ଏଥିପାଇଁ ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧିନ ବୋଲି ଗଣନା କରିଅଛି।

23 ମାତ୍ର ସେହି ବିଶ୍ୱାସ ଆସିବା ପୂର୍ବେ, ପ୍ରକାଶିତ ହେବାକୁ ଯାଉଥିବା ସେହି ବିଶ୍ୱାସ ପ୍ରାପ୍ତି ଉଦ୍ଦେଶ୍ୟରେ, ଆମ୍ଭେମାନେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ବନ୍ଦୀ ହୋଇ ରକ୍ଷିତ ହେଉଥିଲୁ।

24 ଏହି ପ୍ରକାରେ ବିଶ୍ୱାସ ହେତୁ ଆମ୍ଭମାନଙ୍କର ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ, ମୋଶାଙ୍କ ବ୍ୟବସ୍ଥା ଆମ୍ଭମାନଙ୍କର ଶିକ୍ଷକସ୍ୱରୂପ ହୋଇଥିଲା।

25 କିନ୍ତୁ ଏବେ ସେହି ବିଶ୍ୱାସ ଉପସ୍ଥିତ ହେଲା ପରେ ଆମ୍ଭେମାନେ ଆଉ ସେହି ଶିକ୍ଷକର ଅଧିନରେ ନାହୁଁ।

26 କାରଣ ତୁମ୍ଭେମାନେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କର ସନ୍ତାନ ହୋଇଅଛ;

27 ଯେଣୁ ତୁମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛ, ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କୁ ପରିଧାନ କରିଅଛ।

28 ଯିହୂଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ।

29 ଆଉ ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କର, ତେବେ ତୁମ୍ଭେମାନେ ତ ଅବ୍ରାହାମଙ୍କ ବଂଶ, ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ।