Ezekiel 45 in Oriya

1 ଆହୁରି, ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ, ସେହି ସମୟରେ ଦେଶର ଏକ ପବିତ୍ର ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ରୂପେ ଉତ୍ସର୍ଗ କରିବ; ତହିଁର ଦୀର୍ଘତା ପଚିଶ ହଜାର ଓ ପ୍ରସ୍ଥ ଦଶ ହଜାର ହାତ ହେବ; ତାହା ଚତୁର୍ଦ୍ଦିଗରେ ତହିଁର ସମସ୍ତ ସୀମା ମଧ୍ୟରେ ପବିତ୍ର ହେବ।

2 ତହିଁ ମଧ୍ୟରୁ ପାଞ୍ଚଶହ ନଳ ଦୀର୍ଘ, ପାଞ୍ଚଶହ ଦଣ୍ଡ ପ୍ରସ୍ଥ ସମଚତୁଷ୍କୋଣ ହୋଇ ପବିତ୍ର ସ୍ଥାନ ନିମନ୍ତେ ରହିବ ଓ ଚାରିଆଡ଼େ ପଚାଶ ହାତ ପରିମିତ ତଳଭୂମି ରହିବ।

3 ଆଉ, ଏହି ପରିମିତ ଅଂଶରୁ ତୁମ୍ଭେ ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି ମାପିବ; ପୁଣି, ତହିଁ ମଧ୍ୟରେ ଧର୍ମଧାମ, ମହାପବିତ୍ର ସ୍ଥାନ ହେବ।

4 ଦେଶର ଏହି ଅଂଶ ପବିତ୍ର ଅଟେ; ଯେଉଁ ଯାଜକମାନେ, ପବିତ୍ର ସ୍ଥାନର ପରିଚାରକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ପାଇଁ ନିକଟକୁ ଆସନ୍ତି, ଏହି ସ୍ଥାନ ସେମାନଙ୍କର ହେବ ଓ ଏହା ସେମାନଙ୍କ ଗୃହ ନିର୍ମାଣର ସ୍ଥାନ ଓ ଧର୍ମଧାମର ନିମନ୍ତେ ପବିତ୍ର ସ୍ଥାନ ହେବ।

5 ପୁଣି, ପଚିଶ ହଜାର ଦଣ୍ଡ ଦୀର୍ଘ ଓ ଦଶ ହଜାର ଦଣ୍ଡ ପ୍ରସ୍ଥ ଭୂମି କୋଡ଼ିଏ କୋଠରୀ ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରର୍ଥେ ହେବ।

6 ଆଉ, ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାରରୂପ ଅଂଶର ପାଖେ ପାଖେ ପାଞ୍ଚ ହଜାର ଦଣ୍ଡ ପ୍ରସ୍ଥ ଓ ପଚିଶହଜାର ଦଣ୍ଡ ଦୀର୍ଘ ଭୂମି ନିରୂପଣ କରିବ; ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ।

7 ପୁଣି, ଅଧିପତିର ନିମନ୍ତେ ଯାହା ହେବ, ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିର ଏପାଖରେ ଓ ସେପାଖରେ ରହିବ, ତାହା ପବିତ୍ର ଉପହାରର ଓ ନଗର ଅଧିକାରର ସମ୍ମୁଖବର୍ତ୍ତୀ ହୋଇ ପଶ୍ଚିମ ପାର୍ଶ୍ୱରେ ପଶ୍ଚିମ ପ୍ରତି ଓ ପୂର୍ବ ପାର୍ଶ୍ୱରେ ପୂର୍ବ ପ୍ରତି ବିସ୍ତୃତ ହେବ; ଆଉ, ତାହା ଦୀର୍ଘତାରେ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ଅଂଶମାନର ମଧ୍ୟରୁ ଏକ ଅଂଶର ସମାନ ହେବ।

8 ଏହା ଦେଶ ମଧ୍ୟରେ ତାହାର, ଅର୍ଥାତ୍‍, ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ; ପୁଣି, ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ; ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ।

9 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ; ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର; ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

10 ତୁମ୍ଭେମାନେ ଯଥାର୍ଥ ତରାଜୁ, ଯଥାର୍ଥ ଐଫା ଓ ଯଥାର୍ଥ ବାତ୍‍ ରଖିବ।

11 ବାତ୍‍ ଯେପରି ହୋମରର ଦଶମାଂଶ ହେବ ଓ ଐଫା ହୋମରର ଦଶମାଂଶ ହେବ, ଏଥିପାଇଁ ଐଫା ଓ ବାତ୍‍ର ଏକ ସମାନ ପରିମାଣ ହେବ; ତହିଁର ପରିମାଣ ହୋମର ଅନୁସାରେ ହେବ।

12 ପୁଣି, ଶେକଲ କୋଡ଼ିଏ ଗେରା ହେବ; କୋଡ଼ିଏ ଶେକଲ, ପଚିଶ ଶେକଲ, ପନ୍ଦର ଶେକଲ ତୁମ୍ଭମାନଙ୍କ ନିମନ୍ତେ ଏକ ମୀନା ହେବ।

13 ତୁମ୍ଭେମାନେ ଏହି ଉପହାର ଉତ୍ସର୍ଗ କରିବ; ଗହମର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଓ ଯବର ଏକ ହୋମରରୁ ଏକ ଐଫାର ଷଷ୍ଠାଂଶ ଦେବ;

14 ପୁଣି, ବାତ୍‍ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ ଏକ ବାତ୍‍ର ଦଶମାଂଶ ହେବ, କୋର ଦଶ ବାତ୍‍, ଅର୍ଥାତ୍‍, ଏକ ହୋମର; କାରଣ ଦଶ ବାତ୍‍ରେ ଏକ ହୋମର ହୁଏ;

15 ଆଉ, ଇସ୍ରାଏଲର ଉତ୍ତମ ଚରାଣୀ ସ୍ଥାନରୁ ପଲର ଦୁଇଶହ ମେଷ ମଧ୍ୟରୁ ଏକ ମେଷ (ନେବ); ତାହା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

16 ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ।

17 ପୁଣି, ପର୍ବାଦିରେ, ଅମାବାସ୍ୟାରେ ଓ ବିଶ୍ରାମବାର ସକଳରେ, ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ଉତ୍ସର୍ଗ କରିବାର ଅଧିପତିର ବାଣ୍ଟ ହେବ; ସେ ଇସ୍ରାଏଲ ବଂଶ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ।

18 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିର୍ଦ୍ଦୋଷ ଗୋବତ୍ସ ନେଇ ପବିତ୍ର ସ୍ଥାନ ଶୁଚି କରିବ।

19 ପୁଣି, ଯାଜକ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ଗୃହର ଚୌକାଠମାନର ଉପରେ ଓ ଯଜ୍ଞବେଦି ଥାକର ଚାରି କୋଣର ଉପରେ, ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବ।

20 ଆଉ, ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ; ଏରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ୍ତ କରିବ।

21 ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ତୁମ୍ଭମାନଙ୍କ ନିସ୍ତାର ପର୍ବ ହେବ, ତାହା ସାତ ଦିନର ପର୍ବ ହେବ; ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।

22 ପୁଣି, ସେହି ଦିନ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ବୃଷ ଉତ୍ସର୍ଗ କରିବେ।

23 ଆଉ, ପର୍ବର ସାତ ଦିନ ପର୍ଯ୍ୟନ୍ତ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବେ, ସାତ ଦିନ ପର୍ଯ୍ୟନ୍ତ ପ୍ରତିଦିନ ନିର୍ଦ୍ଦୋଷ ସାତ ବୃଷ ଓ ସାତ ମେଷ, ଆଉ ପାପାର୍ଥକ ବଳି ରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ।

24 ପୁଣି, ସେ ଏକ ଏକ ବୃଷ ସଙ୍ଗେ ଏକ ଏକ ଐଫା, ଏକ ଏକ ମେଷ ସଙ୍ଗେ ଏକ ଏକ ଐଫା ଓ ପ୍ରତ୍ୟେକ ଐଫା ସଙ୍ଗେ ଏକ ଏକ ହୀନ୍‍ ତୈଳର ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ।

25 ସପ୍ତମ ମାସର ପଞ୍ଚଦଶ ଦିନ ପର୍ବ ସମୟରେ ସେ ସାତ ଦିନ ପର୍ଯ୍ୟନ୍ତ ଏହିରୂପ, ଅର୍ଥାତ୍‍, ପାପାର୍ଥକ ବଳିର, ହୋମାର୍ଥକ ବଳିର ଓ ଭକ୍ଷ୍ୟ ନୈବେଦ୍ୟର, ଆଉ ତୈଳଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ।