Ezekiel 25 in Oriya

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ବାକ୍ୟ ମୋ' ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,

2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଅମ୍ମୋନ-ସନ୍ତାନଗଣର ପ୍ରତି ଆପଣା ମୁଖ ରଖି ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;

3 ଆଉ, ଅମ୍ମୋନ-ସନ୍ତାନଗଣକୁ କୁହ, ତୁମ୍ଭେମାନେ ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭର ଧର୍ମଧାମ ଅପବିତ୍ରୀକୃତ ହେବା ବେଳେ ତାହା ବିରୁଦ୍ଧରେ ଓ ଇସ୍ରାଏଲ ଦେଶ ଧ୍ୱଂସିତ ହେବା ବେଳେ ତାହା ବିରୁଦ୍ଧରେ; ଆଉ, ଯିହୂଦା-ବଂଶ ବନ୍ଦୀ ହୋଇ ଯିବା ବେଳେ ସେମାନଙ୍କ ବିରୁଦ୍ଧରେ, ଭଲ ହେଲା, ଭଲ ହେଲା, ବୋଲି ତୁମ୍ଭେ କହିଅଛ;

4 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭକୁ ଅଧିକାର ରୂପେ ପୂର୍ବଦେଶୀୟ ସନ୍ତାନଗଣର ହସ୍ତରେ ସମର୍ପଣ କରିବା, ଆଉ ସେମାନେ ତୁମ୍ଭ ମଧ୍ୟରେ ଆପଣା ଆପଣା ଛାଉଣି ସ୍ଥାପନ କରିବେ ଓ ତୁମ୍ଭ ମଧ୍ୟରେ ଆପଣା ଆପଣା ବାସ ନିର୍ମାଣ କରିବେ; ସେମାନେ ତୁମ୍ଭର ଫଳ ଭୋଜନ କରିବେ ଓ ତୁମ୍ଭର ଦୁଗ୍‍ଧ ପାନ କରିବେ।

5 ଆଉ, ଆମ୍ଭେ ରବ୍‍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।

6 କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଇସ୍ରାଏଲ ଦେଶ ବିରୁଦ୍ଧରେ କରତାଳି ଦେଇଅଛ, ପଦାଘାତ କରିଅଛ, ପୁଣି, ଆପଣା ପ୍ରାଣର ସମ୍ପୂର୍ଣ୍ଣ ଘୃଣା ଭାବରେ ଆନନ୍ଦ କରିଅଛ।

7 ଏଥିପାଇଁ ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିଅଛୁ ଓ ଲୁଟିତ ଦ୍ରବ୍ୟ ରୂପେ ଗୋଷ୍ଠୀବର୍ଗଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା; ପୁଣି, ଆମ୍ଭେ ଗୋଷ୍ଠୀ-ବର୍ଗଙ୍କ ମଧ୍ୟରୁ ତୁମ୍ଭକୁ କାଟି ପକାଇବା ଓ ଦେଶସମୂହ ମଧ୍ୟରୁ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ କରିବା, ଆମ୍ଭେ ତୁମ୍ଭକୁ ସଂହାର କରିବା; ଆଉ, ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।”

8 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ମୋୟାବ ଓ ସେୟୀର କହୁଅଛନ୍ତି, “ଦେଖ, ଯିହୂଦା-ବଂଶ ଅନ୍ୟ ସକଳ ଗୋଷ୍ଠୀର ସମାନ,”

9 ଏଥିପାଇଁ ଦେଖ, ଆମ୍ଭେ ନଗରସମୂହଠାରୁ ମୋୟାବର ପାର୍ଶ୍ୱ ମୁକ୍ତ କରିବା, ଅର୍ଥାତ୍‍, ତାହାର ସୀମାନ୍ତବର୍ତ୍ତୀ ଓ ଦେଶର ଗୌରବ ସ୍ୱରୂପ ବୈତ୍‍-ଯିଶୀମୋତ୍‍ ବାଲ୍‍-ମୀୟୋନ୍‍ ଓ କିରୀୟାଥୟିମ୍‍ ପ୍ରତି,

10 ପୂର୍ବଦେଶୀୟ ସନ୍ତାନଗଣର ପାଇଁ (ମୁକ୍ତ କରିବା), ସେମାନେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯାତ୍ରା କରିବେ, ପୁଣି, ଆମ୍ଭେ ସେମାନଙ୍କ ହସ୍ତରେ ଅମ୍ମୋନ-ସନ୍ତାନଗଣକୁ ଅଧିକାର ରୂପେ ସମର୍ପଣ କରିବା, ତହିଁରେ ଗୋଷ୍ଠୀଗଣ ମଧ୍ୟରେ ସେମାନେ ଆଉ ସ୍ମରଣ କରାଯିବେ ନାହିଁ;

11 ଆମ୍ଭେ ମୋୟାବ ଉପରେ ଦଣ୍ଡାଜ୍ଞା ସଫଳ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।

12 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ଇଦୋମ ପ୍ରତିଶୋଧ ନେବା ଦ୍ୱାରା ଯିହୂଦା-ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି,”

13 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଇଦୋମ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା ଓ ତହିଁ ମଧ୍ୟରୁ ମନୁଷ୍ୟ ଓ ପଶୁକୁ ଉଚ୍ଛିନ୍ନ କରିବା; ଆଉ, ଆମ୍ଭେ ତୈମନ୍‍ଠାରୁ ତାହା ଧ୍ୱଂସର ସ୍ଥାନ କରିବା; ଦଦାନ ପର୍ଯ୍ୟନ୍ତ ହିଁ ଲୋକମାନେ ଖଡ଼୍‍ଗରେ ପତିତ ହେବେ।

14 ପୁଣି, ଆମ୍ଭେ ଆପଣାର ଲୋକ ଇସ୍ରାଏଲର ହସ୍ତ ଦ୍ୱାରା ଆମ୍ଭର ପ୍ରତିଶୋଧରୂପ ଭାର ଇଦୋମର ଉପରେ ଥୋଇବା; ତହିଁରେ ସେମାନେ ଆମ୍ଭର କ୍ରୋଧ ଓ ଆମ୍ଭର କୋପ ଅନୁସାରେ ଇଦୋମ ମଧ୍ୟରେ କାର୍ଯ୍ୟ କରିବେ; ପୁଣି, ସେମାନେ ଆମ୍ଭର ଦତ୍ତ ପରିଶୋଧ ଜ୍ଞାତ ହେବେ,” ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।

15 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; “ପଲେଷ୍ଟୀୟ ଲୋକମାନେ ପ୍ରତିହିଂସା ସାଧିବାର ବ୍ୟବହାର କରିଅଛନ୍ତି; ପୁଣି, ଚିର ଶତ୍ରୁତାରେ ବିନାଶ କରିବା ପାଇଁ ପ୍ରାଣର ଘୃଣାରେ ପ୍ରତିଶୋଧ ନେଇଅଛନ୍ତି,”

16 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ କରେଥୀୟ ଲୋକମାନଙ୍କୁ ଉଚ୍ଛିନ୍ନ କରିବା ଓ ସମୁଦ୍ର ତୀରସ୍ଥ ଅବଶିଷ୍ଟ ସକଳକୁ ନଷ୍ଟ କରିବା।

17 ପୁଣି, ଆମ୍ଭେ ପ୍ରଚଣ୍ଡ ଭର୍ତ୍ସନା ସହିତ ସେମାନଙ୍କଠାରୁ ଭାରୀ ପ୍ରତିଶୋଧ ନେବା; ଆଉ, ଯେଉଁ ସମୟରେ ଆମ୍ଭେ ଆପଣା ଦତ୍ତ ପ୍ରତିଶୋଧର ଭାର ସେମାନଙ୍କ ଉପରେ ଥୋଇବା, ସେହି ସମୟରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।